ETV Bharat / state

କଟକରୁ ହାଇଦ୍ରାବାଦ ଚାଲାଣ ହେଉଥିଲା ଗୋମାଂସ; ୧୫ ଟନରୁ ଊର୍ଦ୍ଧ୍ବ ଜବତ, ୩ ଅଟକ - beef meet seized

author img

By ETV Bharat Odisha Team

Published : Apr 2, 2024, 12:50 PM IST

Beef Meet Seized
Beef Meet Seized

Beef Seized: ଖୋର୍ଦ୍ଧା ନିରାକାରପୁରରୁ 15 ଟନରୁ ଊର୍ଦ୍ଧ୍ବ ଗୋମାଂସ ଜବତ । 3 ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ନିରାକାରପୁର ପୋଲିସ । ଅଧିକ ପଢନ୍ତୁ

Beef Meet Seized

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗୋ ତସ୍କରୀ । ଗ୍ରାମାଞ୍ଚଳରୁ ଚାଷୀଙ୍କ ଠାରୁ କମ ଦାମରେ ଗାଈ ବାଛୁରୀ କିଣି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ସେହିଭଳି ବେଆଇନ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁକୁ ମାରି ତାର ମାଂସକୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ମାଫିଆ । ବିଶେଷ ଭାବେ ଖୋର୍ଦ୍ଧା ଦେଇ ଗୋମାଂସ ଚାଲାଣ ବଢିବାରେ ଲାଗିଛି । ଥର୍ମୋକୁଲର ପେଟିରେ ବରଫ ଦେଇ ଗୋମାଂସ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଆଜି ଗୋଟିଏ କଣ୍ଟେନରରେ କଟକରୁ ହାଇଦ୍ରାବାଦ ଗୋମାଂସ ଚାଲାଣ ହୋଇଥିବା ବେଳେ ନିରାକାରପୁରଠାରେ ଧରିଛନ୍ତି ହିନ୍ଦୁ ସଂଗଠନର ସଦସ୍ୟ । ଗାଡିରୁ 15 ଟନରୁ ଅଧିକ ଗୋମାଂସ ଜବତ ହୋଇଛି । ଘଟଣାରେ 3 ଜଣଙ୍କୁ ଅଟକ ରଖିଛି ନିରାକାରପୁର ପୋଲିସ ।

ସୂଚନାରୁ ଜଣାପଡିଛି, ଏକ ଗୋମାଂସ ବୋଝେଇ କଣ୍ଟେନର କଟକ ତିଗିରିଆରୁ ବାହାରି ପିପିଲି, ନିମାପଡା, ନିରାକାରପୁର ଦେଇ ହାଇଦ୍ରାବାଦ ଚାଲାଣ ହେଉଥିବା ବେଳେ ନିରାକାରପୁର ରେଳ ଫାଟକ ପୂର୍ବରୁ ଗାଡିଟିକୁ ପିଛା କରିଥିଲେ ହିନ୍ଦୁ ସଂଗଠନର ସଦସ୍ୟ । ଗାଡିକୁ ଅଟକାଇବା ସହିତ ଏକ ଦାମୀ କାରରୁ ତିନି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି ଗୋ ସୁରକ୍ଷାକର୍ମୀ । ଖବର ପାଇ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋମାଂସ ବୋଝେଇ କଣ୍ଟେନରକୁ ଜବତ କରି ତିନି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଏତେ ପରିମାଣର ଗୋମାଂସ କେଉଁଠୁ ଆସିଲା, କୁଆଡେ ଯାଉଥିଲା, ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହାକୁ ନେଇ ନିରାକାରପୁରରେ ଚାପା ଉତ୍ତେଜନା ଦେଖାଦେଇଛି । ସେହିପରି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ: ବାଲିପାଟଣା ଅଞ୍ଚଳରୁ ୩ କୁଇଣ୍ଟାଲ ଗୋମାଂସ ଜବତ, ଅଭିଯୁକ୍ତ ଅଟକ

ଏଠାରୁ ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହାଇଦ୍ରାବାଦ ଏବଂ ଉତ୍ତରପ୍ରଦେଶ ପ୍ରଭୃତି ବାହାର ରାଜ୍ୟକୁ ଗୋମାଂସ ଚାଲାଣ କରାଯାଉଥିବା ବିଗତ ଦିନମାନଙ୍କରେ ଦେଖାଯାଇଛି । ଏଥିରେ ଏକ ରାକେଟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ଗତ କିଛି ମାସ ତଳେ ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରୁ ଟନ ଟନ ଗୋମାଂସ ଜବତ କରିଛି ପୋଲିସ । ପୂର୍ବରୁ ଜଟଣୀ, ଚିଲିକା, ବାଣପୁର, ଟାଙ୍ଗୀ, ବୋଲଗଡ଼, ବେଗୁନିଆ ଓ ଖୋର୍ଦ୍ଧା ଅଞ୍ଚଳରୁ କଣ୍ଟେନରରେ ଅତି ଦୟନୀୟ ଭାବେ ବାହାର ରାଜ୍ୟ ଦେଇ ବାଂଲାଦେଶକୁ ଗୋଚାଲାଣ ହେଉଥିଲା । ଏବେ ଥର୍ମୋକୁଲର ପେଟିରେ ବରଫ ଦେଇ ଗୋମାଂସ ଚାଲାଣ କରାଯାଉଛି । ସେହିଭଳି ଆଜି ୧୫ଟନରୁ ଊର୍ଦ୍ଧ୍ବ ଗୋମାଂସ ବୋଝେଇ କଣ୍ଟେନର ଜବତ କରି ତିନି ଅଭିଯୁକ୍ତଙ୍କୁ ଅଟକ ରଖିଛି ନିରାକାରପୁର ପୋଲିସ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.