ETV Bharat / sports

ରାହୁଲ-ଡି କକ୍‌ଙ୍କ ଧୂଆଁଧାର ବ୍ୟାଟିଂ, 8 ଓ୍ବିକେଟରେ ହାରିଲା ଚେନ୍ନାଇ - IPL 2024

author img

By ETV Bharat Odisha Team

Published : Apr 20, 2024, 7:05 AM IST

Etv Bharat
Etv Bharat

IPL 2024: ଆଇପିଏଲର 34ତମ ମ୍ୟାଚରେ ଲକ୍ଷ୍ନୌର ବିଜୟ । 8 ଓ୍ବିକେଟରେ ହାରିଲା ଚେନ୍ନାଇ । ରାହୁଲ ଓ ଡି କକ୍‌ଙ୍କ ଅର୍ଦ୍ଧଶତକ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରେ ରୋକ ଲଗାଇଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । କେଏଲ ରାହୁଲ ଓ ଡି କକ୍‌ଙ୍କ ଧୂଆଁଧାର ବ୍ୟାଟିଂରେ ସିଏସକେକୁ ହରାଇଲା ଲକ୍ଷ୍ନୌ । ଆଇପିଏଲର 34ତମ ମ୍ୟାଚରେ 8 ଓ୍ବିକେଟରେ ଏଲଏସଜିର ବିଜୟ ହୋଇଛି । ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ଦଳ । ଆଇପିଏଲରେ ତୃତୀୟ ପରାଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ସିଏସକେ । ପୁଣି ପଡିଆରେ ବ୍ୟାଟିଂର ଯାଦୁ ଦେଖାଇଥିଲେ ମହେନ୍ଦ୍ର ସିଂ ଧୋନି । 9 ବଲରେ 28 ରନ କରି ପୁଣି ଦର୍ଶକଙ୍କ ମନ ଜିଣିଲେ ।

ଶୁକ୍ରବାର ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କେଏଲ ରାହୁଲଙ୍କ ବାହିନୀ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ଲକ୍ଷ୍ନୌର ଶୃଙ୍ଖଳିତ ବୋଲିଂ ଯୋଗୁଁ 20 ଓଭରରେ 6 ଓ୍ବିକେଟ ହରାଇ 176 ରନ କରିଥିଲା ସିଏସକେ । ରବିନ୍ଦ୍ର ଜାଡେଜା ଅପରାଜିତ 57 ରନ କରିଥିବା ବେଳେ ରାହାଣେ 36 ଓ ମୋଇନ ଅଲି 30 ରନ କରିଥିଲେ । 6 ନମ୍ବର ଓ୍ବିକେଟ ପଡିବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଧୋନି । ମାତ୍ର 9 ବଲରେ 2ଟି ଛକା ଓ 4ଟି ଚୌକା ମାରି ସେ 28 ରନ କରିଥିଲେ । ଧୋନିଙ୍କ ସଟରେ କମ୍ପି ଉଠିଥିଲା ଷ୍ଟାଡିୟମ ।

ଏହା ମଧ୍ୟ ପଢନ୍ତୁ-ମୁମ୍ବାଇର ଘାତକ ବୋଲିଂରେ ଧରାଶାୟୀ ପଞ୍ଜାବ, 9 ରନରେ ହାରିଲା PBKS - IPL 2024

ଏହାପରେ 178 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଲକ୍ଷ୍ନୌ । ଓପନିଂ ଯୋଡି ଭାବେ ବ୍ୟାଟିଂ କରିଥିଲେ ରାହୁଲ ଓ ଡି କକ । ଏହି ଦୁଇ ଜଣଙ୍କୁ ଅଟକାଇବା ବିପକ୍ଷ ଦଳର ବୋଲରଙ୍କ ନିକଟରେ ସହଜ ହୋଇନଥିଲା । ଉଭୟ ଲଢୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ରାହୁଲ 82 ଓ ଡି କକ 54 ରନ କରିଥିଲେ । ଦଳୀୟ ସ୍କୋର 134 ରନ ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । ଏହାପରେ 164 ରନରେ ଦ୍ବିତୀୟ ଓ୍ବିକେଟ ପଡିଥିଲା । ପୂରନ ଓ ଷ୍ଟଇନ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 19 ଓଭରରେ 180 ରନ କରି ଦଳକୁ ବିଜୟୀ କରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.