ETV Bharat / politics

କନୌଜରୁ ନାମାଙ୍କନ ଭରିଲେ ଅଖିଳେଶ ଯାଦବ - AKHILESH YADAV

author img

By ETV Bharat Odisha Team

Published : Apr 25, 2024, 3:18 PM IST

କନୌଜରୁ ନାମାଙ୍କନ ଭରିଲେ ଅଖିଳେଶ ଯାଦବ
କନୌଜରୁ ନାମାଙ୍କନ ଭରିଲେ ଅଖିଳେଶ ଯାଦବ

Akhilesh Yadav files nomination: କନୌଜରୁ ନାମାଙ୍କନ ଭରିଲେ ଅଖିଳେଶ ଯାଦବ । ପୂର୍ବରୁ ଏହି ଆସନରେ ପ୍ରାର୍ଥୀ ହୋଇଥିଲେ ପୁତୁରା ତେଜପ୍ରତାପ । ନିର୍ବାଚନୀ ମୈଦାନରେ ପୂର୍ବରୁ ରହିଛନ୍ତି ପତ୍ନୀ ଡିମ୍ପଲ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ମୈଦାନକୁ ଓହ୍ଲାଇଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଉତ୍ତର ପ୍ରଦେଶର ବିରୋଧୀ ଦଳ ନେତା ଅଖିଳେଶ ଆଜି କନୌଜ ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି । ପୂର୍ବରୁ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ ନିର୍ବାଚନୀ ମୈଦାନରେ ଥିବା ବେଳେ ଏବେ ସ୍ବାମୀ ତଥା ପାର୍ଟି ମୁଖ୍ୟ ଅଖିଳେଶ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ଅଖିଳେଶ କନୌଜରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ବାପା ମୁଲାୟମ ସିଂ ଯାଦବଙ୍କ ପାରମ୍ପରିକ ଆସନ ମୈନପୁରୀରୁ ଡିମ୍ପଲ ନିର୍ବାଚନୀ ଏଣ୍ଟ୍ରି କରିଛନ୍ତି ।

ପୂର୍ବରୁ କନୌଜ ଆସନରେ ଦଳ ଅଖିଳେଶଙ୍କ ପୁତୁରା ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଜ୍ବାଇଁ ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା । ପରବର୍ତ୍ତୀ ସମୟରେ ତେଜ ପ୍ରତାପ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ । ଏଠାରୁ ଅଖିଳେଶ ନିଜେ ଲଢିବା ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଗତକାଲି ଅଖିଳେଶ ଏନେଇ ନିଜେ ସୂଚନା ଦେଇଥିଲେ । ଆଜି ପୂର୍ବ ଚର୍ଚ୍ଚା ମୁତାବକ ଅଖିଳେଶ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କନୌଜରୁ କଟିଲା ପୁତୁରାଙ୍କ ଟିକଟ, କାଲି ନାମାଙ୍କନ ଭରିବେ ଅଖିଳେଶ ! - Akhilesh To Contest From Kannauj

ଉତ୍ତର ପ୍ରଦେଶରେ କଂଗ୍ରେସ ସହ ‘ଇଣ୍ଡିଆ’ ମେଣ୍ଟ ବ୍ୟାନରରେ ଆସନ ବୁଝାମଣାରେ ନିର୍ବାଚନ ଲଢୁଛି ଅଖିଳେଶଙ୍କ ସାମାଜବାଦୀ ପାର୍ଟି । ରାଜ୍ୟର ମୋଟ 80 ଲୋକସଭା ଆସନ ମଧ୍ୟରୁ କେବଳ 17 ଆସନ କଂଗ୍ରେସ ଖାତାକୁ ଛାଡିଛି ଦଳ । ଆସନ ବୁଝାମଣା ନେଇ ସପା ଓ କଂଗ୍ରେସ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଜାରି ରହିଥିଲା । ଏପରିକି ମେଣ୍ଟ ଭାଙ୍ଗିବା ଓ ସପା ଏକାକୀ ରାଜ୍ୟରେ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପର୍ଯ୍ୟନ୍ତ କଥା ମଧ୍ୟ ବଢିଥିଲା ।

ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ରାଜ୍ୟରେ ପ୍ରବେଶ କରିବା ପରେ ମଧ୍ୟ ଅଖିଳେଶ ସେଥିରେ ଅଂଶଗ୍ରହଣ କରିନଥିଲେ । ମାତ୍ର ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ଅଖିଳେଶ ଓ ରାହୁଲଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଉଭୟ ଆସନ ବୁଝାମଣା ପାଇଁ ରାଜି ହୋଇଥିଲେ । ରାଜ୍ୟରେ ପ୍ରାୟ 80 ପ୍ରତିଶତରୁ ଅଧିକ ଆସନ ନିଜ ଦଖଲରେ ରଖିଥିବା ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଳେଶ ଏବେ ନିଜେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.