ETV Bharat / politics

ବାରବାଟୀରୁ ସୋଫିଆ ହେବେ କଂଗ୍ରେସ ପ୍ରାର୍ଥୀ, କେବଳ ଆନୁଷ୍ଠାନିକ ଘୋଷଣା ବାକି ! - Sofia firdosh

author img

By ETV Bharat Odisha Team

Published : Apr 28, 2024, 8:03 AM IST

Cuttack-Barabati Seat: କଟକ-ବାରବାଟୀ ଆସନରୁ କଂଗ୍ରେସ ପ୍ରାର୍ଥୀ ହେବେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର ଦେଲେ ପରୋକ୍ଷ ସୂଚନା । ଗତକାଲି ନିର୍ବାଚନୀ ସଭାରେ ସୋଫିଆଙ୍କ ପାଇଁ ଭୋଟ ମାଗିଥିଲା ଦଳ । ଅଧିକ ପଢନ୍ତୁ

ବାରବାଟୀରୁ ସୋଫିଆ ହିଁ କଂଗ୍ରେସ ପ୍ରାର୍ଥୀ, କେବଳ ଆନୁଷ୍ଠାନିକ ଘୋଷଣା ବାକି !
ବାରବାଟୀରୁ ସୋଫିଆ ହିଁ କଂଗ୍ରେସ ପ୍ରାର୍ଥୀ, କେବଳ ଆନୁଷ୍ଠାନିକ ଘୋଷଣା ବାକି !

ବାରବାଟୀରୁ ସୋଫିଆ ହିଁ କଂଗ୍ରେସ ପ୍ରାର୍ଥୀ, କେବଳ ଆନୁଷ୍ଠାନିକ ଘୋଷଣା ବାକି !

କଟକ: ବାରବାଟୀ ଆସନରୁ କଂଗ୍ରେସ ପ୍ରାର୍ଥୀ ହେବେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । ଏନେଇ ଦଳ ଯଦିଓ ବିଧିବଦ୍ଧ ଭାବରେ ସୋଫିଆଙ୍କ ନାମ ଘୋଷଣା କରିନାହିଁ, ତଥାପି ରାଜ୍ୟ ପ୍ରଭାରୀ ଡ଼ଃ ଅଜୟ କୁମାର ଏନେଇ ପରୋକ୍ଷ ଭାବେ ସ୍ପଷ୍ଟ କରିସାରିଛନ୍ତି । ବିଧାୟିକା ପ୍ରାର୍ଥୀ ଭାବେ କେବଳ ସୋଫିଆଙ୍କ ନାଁ ସୁପାରିଶ କରାଯାଇଛି, ମାତ୍ର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଏହି ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଅଜୟ । କେବଳ ସେତିକି ନୁହେଁ, ଗତକାଲି ଆୟୋଜିତ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ସୋଫିଆଙ୍କୁ ଭୋଟ ଦେବାକୁ ମଧ୍ୟ ନିବେଦନ କରିଛନ୍ତି ।

ଗତକାଲି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଜୟ ଏକଥା ସ୍ପଷ୍ଟ କରିଛନ୍ତି । କହିବାକୁ ଗଲେ ସୋଫିଆ ପ୍ରାର୍ଥୀ ହେବା ନେଇ କଂଗ୍ରେସ ନିଷ୍ପତ୍ତି ନେବା ପରେ ଏହା ପ୍ରଥମ କାର୍ଯ୍ୟକ୍ରମ । ହଜାର ହଜାର ସମର୍ଥକଙ୍କୁ ନେଇ ସୋଫିଆ ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଧାୟକ ମୋକିମଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୋଫିଆଙ୍କ ପାଇଁ ପ୍ରଚାର କରିଛି କଂଗ୍ରେସ । ସେହିପରି ସୋଫିଆ ମଧ୍ୟ ଗଣମାଧ୍ୟମ ଆଗରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସହରବାସୀଙ୍କ ସେବା କରିବା ପାଇଁ ତାଙ୍କୁ ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି ।


ଗତକାଲି (ଶନିବାର) କଟକରେ ଆୟୋଜିତ କଂଗ୍ରେସର ଏକ ସମ୍ମିଳନୀରେ ସୋଫିଆଙ୍କ ନିର୍ବାଚନ ଲଢିବା ମଧ୍ୟ ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ସମ୍ମିଳନୀରେ ସୋଫିଆଙ୍କ ସହ ବାପା ମହମ୍ମଦ ମୋକିମ, ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହ କଟକର ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ । ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ବିଜୟୀ କରିବା ପାଇଁ ଉପସ୍ଥିତ ଲୋକଙ୍କୁ ଆହ୍ୱାନ କରିଥିଲେ ଅଜୟ କୁମାର ।

ଏହା ମଧ୍ୟ ପଢନ୍ତ :- ଆଜି ଆସୁଛନ୍ତି ନଡ୍ଡା-ରାହୁଲ, ଗୋଟିଏ ଦିନରେ ହାଇଭୋଲଟେଜ ପ୍ରଚାର - NADDA and Rahul Campaign IN ODISHA

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗ୍ରାମ୍ୟ ଗୃହ ନିର୍ମାଣ ଋଣ ଘୋଟାଲା ମାମଲାରେ ମହମ୍ମଦ ମୋକିମ ଭିଜିଲାନ୍ସ କୋର୍ଟ ଦ୍ବାରା 3 ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି । ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ତାଙ୍କୁ ବେଲ୍ ପ୍ରଦାନ କରିଥିଲେ ସୁଦ୍ଧା ଦଣ୍ଡାଦେଶ ଉପରେ କୌଣସି ରହିତାଦେଶ ଜାରି କରିନାହାନ୍ତି । ତେଣୁ ଜନପ୍ରତିନିଧି ଅଧିନିୟମ ଅନୁସାରେ, ମୋକିମ ଚଳିତ ନିର୍ବାଚନ ଲଢିପାରିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ଝିଅ ସୋଫିଆ ଏବେ ନିର୍ବାଚନୀ ଡେବ୍ୟୁ କରିବାକୁ ଯାଉଥିବା ଏକପ୍ରକାର ସ୍ପଷ୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.