ETV Bharat / international

ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ, 3 ସେନା ମୃତ 25ରୁ ଅଧିକ ଆହତ

author img

By ETV Bharat Odisha Team

Published : Jan 29, 2024, 7:19 AM IST

Attack on US troops: ଜୋର୍ଡାନରେ ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ୍ ଆଟାକ୍ । ଆକ୍ରମଣରେ 3 ସେନାଙ୍କ ମୃତ୍ୟୁ, 25ରୁ ଅଧିକ ଆହତ । ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ଆମେରିକା ସେନାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Attack on US troops
ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ,

ଜୋର୍ଡାନ: ଅଶାନ୍ତ ବିଶ୍ୱ ! ରବିବାର ଦିନ ସିରିୟା ସୀମାବର୍ତ୍ତୀ ଉତ୍ତରପୂର୍ବ ଜୋର୍ଡାନରେ ଆମେରିକା ସେନା ଉପରେ ଡ୍ରୋନ ଆଟାକ ହୋଇଛି । ଏହି ଆକ୍ରମଣରେ ପାଖାପାଖି 3 ଆମେରିକା ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଆହତ ହୋଇଥିବା ନେଇ ଆମେରିକା ସେନା ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ଆକ୍ରମଣ ସିରିୟାରୁ କରାଯାଇଥିବା କୁହାଯାଉଛି । ଏହି ଆକ୍ରମଣକୁ ଜୋର୍ଡାନ ପକ୍ଷରୁ କଡା ନିନ୍ଦା କରାଯାଇଛି । ଏହାକୁ ଆତଙ୍କବାଦୀ ଆକ୍ରମଣ କହିଛି ଜୋର୍ଡାନ । ତେବେ ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକା ସେନାଙ୍କ ଜୀବନ ଯାଇଛି ।

ବାଇଡେନ କହିଲେ ସମୟ ଆସିଲେ ଜବାବ ଦିଆଯିବ: ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ରବିବାର ଦିନ ବାଇଡେନ କହିଛନ୍ତି, "ଯଦିଓ ଆମେ ଏବେବି ଏହି ଆକ୍ରମଣର ତଦନ୍ତ କରୁଛୁ ତଥାପି ଆମେ ଜାଣିଛୁ ଯେ ଏହି ଆକ୍ରମଣ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଯେଉଁମାନେ ସିରିୟା ଓ ଇରାକ ଦ୍ବାରା ପରିଚାଳିତ ସେହିମାନେ ହିଁ କରିଛନ୍ତି । ଆମେରିକା ଏହାର ଜବାବ ସମୟ ଆସିଲେ ନିଜ ଢଙ୍ଗରେ ଦେବ ।"

ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଉଭୟ ଦେଶକୁ ସମର୍ଥନ କରୁଥିବା ଦେଶମାନଙ୍କ ମଧ୍ୟରେ ବି ସଂଘର୍ଷ ଆରମ୍ଭ ହୋଇଯାଇଛି । ଆମେରିକା ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ଏହା ମଧ୍ୟରେ ହମାସ ସମର୍ଥିତ ଦେଶଗୁଡିକ ଆମେରିକା ସେନାମାନଙ୍କ ଉପରେ ଛୋଟ ବଡ ଆକ୍ରମଣ ଜାରି ରଖିଛନ୍ତି । ସିରିୟା, ଇରାକ ପରେ ଏବେ ଜୋର୍ଡାନରେ ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି । ରବିବାର ସିରିୟା ସୀମାବର୍ତ୍ତୀ ଉତ୍ତରପୂର୍ବ ଜୋର୍ଡାନରେ ଆମେରିକା ସେନା ଉପରେ ଡ୍ରୋନ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ପାଖାପାଖି 3 ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଆହତ ହୋଇଥିବା ନେଇ ଆମେରିକା ସେନା ପକ୍ଷରୁ ସୂଚନା ଜାରି କରାଯାଇଛି । ଗାଜା ଇସ୍ରାଏଲ ଯୁଦ୍ଧ ମଧ୍ୟରେ ମଧ୍ୟ ପ୍ରାଚ୍ୟ ଅଞ୍ଚଳରେ ଆମେରିକା ସେନାଙ୍କ ମୃତ୍ୟୁ ପ୍ରଥମ ଘଟଣା ଅଟେ ।

ଜୋର୍ଡାନରେ ଯେଉଁଠି ଆମେରିକାର ମିଲିଟାରୀ ଆଡଭାନ୍ସ ପୋଷ୍ଟ ଉପରେ ଆକ୍ରମଣ ହୋଇଛି ତାହା ସିରିୟା ସୀମାବର୍ତ୍ତୀ ଅଞ୍ଚଳ ଅଟେ । ସୀମାବର୍ତ୍ତୀ ଅଞ୍ଚଳ ଟାଓ୍ବାର-22 ଉପରେ ଡ୍ରୋନ ହାମଲା ହୋଇଥିବା ବେଳେ ଏଥିରେ 3 ଆମେରିକା ସେନାଙ୍କ ମୃତ୍ୟୁ ଘଟିଛି । ଏୟାରବେସ ମଧ୍ୟ ବେଶ କ୍ଷତିଗ୍ରସ୍ତ ହୋଇଛି ।

ଆମେରିକା ମିଡିଆ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ- ହମାସ ଯୁଦ୍ଧ ଆରମ୍ଭ ପରଠୁ ଆମେରିକା ଓ ଅନ୍ୟାନ୍ୟ ସହଯୋଗୀ ଦେଶଗୁଡିକର ଏୟାରବେସ୍ ଉପରେ ସିରିୟା ଓ ଇରାକରୁ ପାଖାପାଖି 158 ଥର ମିଶାଇଲ, ଡ୍ରୋନ ଓ ରକେଟ ଆଟାକ୍ ହୋଇଛି । ଏହି ଆକ୍ରମଣରେ ଅନେକ ସେନା ଆହତ ହୋଇଥିବା ବେଳେ ଏୟାରବେସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ସବୁ ଆକ୍ରମଣ ସିରିୟା ଓ ଇରାକରେ ହୋଇଥିବା ବେଳେ ରବିବାର ଦିନ ପ୍ରଥମ ଥର ପାଇଁ ଜୋର୍ଡାନ ଆମେରିକା ସେନାମାନଙ୍କ ଉପରେ ହୋଇଛି । ତେବେ ମିଲିଟାରୀ ପୋଷ୍ଟରେ ନିୟୋଜିତ ଡିଫେନ୍ସ ସିଷ୍ଟମ କେଉଁ କାରଣ ପାଇଁ ଡ୍ରୋନକୁ ରୋକି ପାରିଲା ନାହିଁ ସେନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଆମେରିକାର ଅଡୁଆ ବଢିଚାଲିଛି । ଲେବାବନରୁ ହିଜବୁଲ୍ଲାହ, ୟେମେନରୁ ହାଉତି ଇସ୍ରାଏଲ ଓ ଆମେରିକା ସେନାମାନଙ୍କୁ ଟାର୍ଗେଟ କରୁଛନ୍ତି । ହାଉତି ଲଗାତର ଭାବେ ଲୋହିତ ସାଗରରେ ବାଣିଜ୍ୟିକ ଜାହାଜ ଗୁଡିକ ଉପରେ ଆକ୍ରମଣ କରୁଛି । ଆମେରିକା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଉଥିଲେ ମଧ୍ୟ ଆମେରିକାକୁ କ୍ଷତି ସହିବାକୁ ପଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.