ETV Bharat / bharat

‘ଲୋକସଭା ନିର୍ବାଚନରେ ଦକ୍ଷିଣ ଭାରତ ଫଳାଫଳ ଆଶ୍ଚର୍ଯ୍ୟ କରିଦେବ’

author img

By ETV Bharat Odisha Team

Published : Feb 22, 2024, 9:49 PM IST

‘ଲୋକସଭା ନିର୍ବାଚନରେ ଦକ୍ଷିଣ ଭାରତରୁ ବିଜେପି ପାଇଁ ଆଶ୍ଚର୍ଯ୍ୟ କରିବା ପରି ଫଳାଫଳ ଆସିବ’
‘ଲୋକସଭା ନିର୍ବାଚନରେ ଦକ୍ଷିଣ ଭାରତରୁ ଆଶ୍ଚର୍ଯ୍ୟ କରିବା ପରି ଫଳାଫଳ ଆସିବ’

Surprising Results Will Come for BJP from South India: ଇଟିଭି ଭାରତକୁ ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସ୍ବତନ୍ତ୍ର ସାକ୍ଷାତକାର । ଦେଶବାସୀଙ୍କ ହୃଦୟରେ ଅଛନ୍ତି ମୋଦି । ଦକ୍ଷିଣ ଭାରତରେ ଦଳର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେବ କହିଲେ ଶିବରାଜ । ଅଧିକ ପଢନ୍ତୁ

‘ଲୋକସଭା ନିର୍ବାଚନରେ ଦକ୍ଷିଣ ଭାରତରୁ ବିଜେପି ପାଇଁ ଆଶ୍ଚର୍ଯ୍ୟଜନକ ଫଳାଫଳ ଆସିବ’

ହାଇଦ୍ରାବାଦ: ବିଜେପି ଏଥର ଦକ୍ଷିଣ ଭାରତରେ ଭଲ ପ୍ରଦର୍ଶନ କରିବ । ଚଳିତ ଥରର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । କର୍ଣ୍ଣାଟକରେ ଦଳ ସମସ୍ତ 28 ଆସନରେ ଜିତବା ସହ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟରେ ମଧ୍ୟ ପୂର୍ବାପେକ୍ଷା ବେଶ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଆଜି ହାଇଦ୍ରାବାଦ ଗସ୍ତରେ ଆସିଥିବା ଶିବରାଜ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ତମାମ ପ୍ରସଙ୍ଗରେ ତାଙ୍କ ଦଳୀୟ ସରକାରର ଉପଲବ୍ଧି ବଖାଣିବା ସହ ନିର୍ବାଚନରେ ରେକର୍ଡ ରେଜଲ୍ଟ ହେବ ବୋଲି ଦମ୍ଭୋକ୍ତି ଦୋହରାଇଛନ୍ତି ।

ଶିବରାଜ କହିଛନ୍ତି, ଦେଶରେ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି । ଗରିବ ଲୋକଙ୍କ ପାଇଁ ଚାରି କୋଟି ଘର ନିର୍ମାଣ କରାଯାଇଛି । 10 କୋଟି ଉଜ୍ଜଳା ଗ୍ୟାସ ସଂଯୋଗ କରାଯାଇଛି । 11 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି । ‘ଆୟୁଷ୍ମାନ ଭାରତ’ ଯୋଜନାର 55 କୋଟି ଲୋକଙ୍କୁ ସୁବିଧା ଦିଆଯାଇଛି । 80 କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି । ସଫଳତାର ତାଲିକା ଲମ୍ବା । ଏକ କୋଟି ମହିଳା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଲୋକଙ୍କ ପାଖରେ ମୋଦି ସରକାରର ପ୍ରଗତି ପହଞ୍ଚିଛି । ଲୋକେ ପୁଣି ଥରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାସୀନ କରିବାକୁ ଉତ୍ସାହୀ ।

ଦକ୍ଷିଣ ଭାରତରେ ଭାରତୀୟ ଜନତା ପାର୍ଟିର ସ୍ଥିତି ଭଲ ନଥିଲେ ସୁଦ୍ଧା ଶିବରାଜ ଏଥର ରେକର୍ଡସଂଖ୍ୟକ ଆସନ ଜିତି ସମସ୍ତଙ୍କୁ ବିଷ୍ମୟ କରିବାକୁ ଯାଉଛି ବୋଲି କହିଛନ୍ତି । ଶିବରାଜ କହିଛନ୍ତି, ‘‘ଦକ୍ଷିଣ ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ହୃଦୟରେ ଅଛନ୍ତି । ମୁଁ କେରଳ, ତାମିଲନାଡୁ, କର୍ଣ୍ଣାଟକ ଓ ତେଲେଙ୍ଗାନା ଗସ୍ତ କରିଛି । ମୁଁ କର୍ଣ୍ଣାଟକର ଗ୍ରାମାଞ୍ଚଳ ଗସ୍ତ କଲି । ଖ୍ରୀଷ୍ଟିଆନ ଏବଂ ମୁସଲମାନ ସମ୍ପ୍ରଦାୟ ସମେତ ହିତାଧିକାରୀଙ୍କ ସହ କଥା ହେଲି । ସେମାନେ ଜନକଲ୍ୟାଣକାରୀ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ । ସେଥିପାଇଁ ମୁଁ ଭାବୁଛି ଲୋକମାନେ ମୋଦିଙ୍କ ସହିତ ଅଛନ୍ତି । ଦକ୍ଷିଣ ଭାରତରେ ମଧ୍ୟ ଦଳ ପୂର୍ବାପେକ୍ଷା ଭଲ ସଂଖ୍ଯାରେ ଆସନ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।’’

ଆହୁରି ମଧ୍ୟ ଶିବରାଜ କହିଛନ୍ତି,‘‘ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ, ଜାମ୍ମୁ କାଶ୍ମୀରରେ ଧାରା-370 ରଦ୍ଦ, ତିନି ତାଲାକ ଆଇନ ଉଚ୍ଛେଦ ଭାରତୀୟମାନଙ୍କ ମଧ୍ୟରେ ଏକ ନୂତନ ଆଶା ସଞ୍ଚାର କରିଛି । ନରେନ୍ଦ୍ର ମୋଦି ତାଙ୍କର ତୃତୀୟ କାର୍ଯ୍ୟକାଳରେ ଭାରତକୁ ନୂତନ ଉଚ୍ଚତାରେ ପହଞ୍ଚାଇବେ ।

ଏହା ମଧ୍ୟ ପଢନ୍ତୁ :- ‘3 ରୁ 4 ଦିନ ମଧ୍ୟରେ ଗିରଫ ହେବେ କେଜ୍ରିଓ୍ବାଲ’

ସେହିପରି ଦଳ ତାଙ୍କୁ ବିଭିନ୍ନ ପଦ ପଦବୀରେ ଅବସର ଦେଇଛି । ସେ ଜଣେ ସାଧାରଣ ପରିବାରରେ ଜନ୍ମିତ ହୋଇ ମଧ୍ୟ ମଧ୍ୟ ପ୍ରଦେଶର 4ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସଂଗଠନରେ ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଏହା କେବଳ ଦଳ ପାଇଁ ସମ୍ଭବ ହୋଇପାରିଛି । ଦଳ ବହୁତ କିଛି ଦେଇଛି, ତେଣୁ ଏବେ ଦଳ ପାଇଁ କାମ କରିବାର ସମୟ ଆସିଛି ବୋଲି ଶିବରାଜ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.