ETV Bharat / bharat

ଘାଟିରେ ପୁଣି ଟାର୍ଗେଟ କିଲିଂ, ଦୁଇ ଅଣସ୍ଥାନୀୟ ଯୁବକଙ୍କୁ ଆତଙ୍କୀଙ୍କ ଗୁଳିମାଡ

author img

By ETV Bharat Odisha Team

Published : Feb 7, 2024, 9:46 PM IST

ଘାଟିରେ ଦୁଇ ଅଣସ୍ଥାନୀୟଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ: ଜଣେ ମୃତ, ଅନ୍ୟଜଣେ ଗୁରୁତର
ଘାଟିରେ ଦୁଇ ଅଣସ୍ଥାନୀୟଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ: ଜଣେ ମୃତ, ଅନ୍ୟଜଣେ ଗୁରୁତର

Srinagar attack: ଘାଟିରେ ପୁଣି ଟାର୍ଗେଟ କିଲିଂ । ଆତଙ୍କବାଦୀଙ୍କ ଗୁଳିରେ ପଞ୍ଜବୀ ଯୁବକ ମୃତ, ଅନ୍ୟଜଣେ ଗୁରୁତର । ସର୍ଚ୍ଚ ଅପରେସନ ଆରମ୍ଭ । ଅଧିକ ପଢନ୍ତୁ

ଶ୍ରୀନଗର: କିଛି ଦିନର ନିରବତା ପରେ ଆଜି ଘାଟିରେ ପୁଣି ଟାର୍ଗେଟ କିଲିଂକୁ ରୂପ ଦେଇଛନ୍ତି ଆତଙ୍କବାଦୀ । ଅଜଣା ଆତଙ୍କବାଦୀମାନେ ଦୁଇଜଣ ଅଣସ୍ଥାନୀୟ ଯୁବକଙ୍କୁ ଗୁଳିମାଡ କରିଛନ୍ତି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗମ୍ଭୀର ରହିଛି । ପ୍ରାଣ ହରାଇଥିବା ଯୁବକଙ୍କ ନାମ ଅମୃତପାଲ ସିଂ । ସେ ପଞ୍ଜାବର ଅମୃତସର ସହରର ବାସିନ୍ଦା ।

ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଆଜି ବିଳମ୍ବିତ ଅପରାହ୍ନରେ ଶ୍ରୀନଗର ଜିଲ୍ଲାର ଶାଲକାଦଲ ଏରିଆର ମାର୍ଫାଲି ମୋହଲା ନିକଟରେ କିଛି ଅଜଣା ଆତଙ୍କବାଦୀ ଏହି ଦୁଇ ଅଣସ୍ଥାନୀୟ ଯୁବକଙ୍କୁ ବ୍ଲାଙ୍କ ରେଞ୍ଜରୁ ଏକାଧିକ ରାଉଣ୍ଡ ଫାଏରିଂ କରିଥିଲେ । ଘଟଣାସ୍ଥଳରେ ଅମୃତପାଲ ସିଂଙ୍କ ମୃତ୍ୟୁ ହୋଇଥିବା ବେଳେ ରୋହିତ ନାମକ ତାଙ୍କ ବନ୍ଧୁ ଗୁରୁତର ହୋଇଛନ୍ତି । ସୂଚନା ପାଇଁ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ଜବତ କରାଯାଇଛି । ଗୁରୁତର ଯୁବକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ୟାପକ ଫୋର୍ସ ଘଟଣାସ୍ଥଳ ଓ ଏହାର ନିକଟବର୍ତ୍ତୀ ଏରିଆକୁ କର୍ଡନ କରିଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି ।

ଗତବର୍ଷ ଶେଷ ଭାଗରେ ଘାଟିରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଥିଲା । ବ୍ୟାପକ ଆତଙ୍କବାଦ ନିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ଘାଟିରେ ହିଂସା ଭିଆଇଥିଲେ ଆତଙ୍କବାଦୀ । ସୁରକ୍ଷାବଳର ଗାଡିକୁ ଆମ୍ବ୍ୟୁସ କରି ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଏଥିରେ ସେନାର 4 ଯବାନ ଶହୀଦ ହୋଇଥିଲେ । ଏହା ପରେ ମଧ୍ୟ କ୍ରମାଗତ ଏକାଧିକ ଆକ୍ରମଣ ଘଟିଥିଲା । ପୋଲିସ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଘାଟିରେ ହୋଇଥିବା ଏକାଧିକ ଏନକାଉଣ୍ଟର ବେଳେ ଆତଙ୍କବାଦୀଙ୍କୁ କଫର-ଫାଏର ମାଧ୍ୟମରେ ସୁରକ୍ଷା ଦେବାକୁ ଯାଇ ପାକିସ୍ତାନୀ ସେନା ମଧ୍ୟ ନିୟନ୍ତ୍ରଣ ରେଖାରେ ସିଜଫାଏର ଉଲ୍ଲଙ୍ଘନ କରି ବିଏସଏଫ ପୋଷ୍ଟକୁ ଗୁଳିମାଡ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ଶରଦ ଗୋଷ୍ଠୀକୁ ନୂଆ ନାମ, ‘ଏନସିପି-ଶରଦଚନ୍ଦ୍ର ପାଓ୍ବାର’

ସ୍ଥିତିକୁ ଦେଖି ନିଜେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କାଶ୍ମୀର ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ କାଶ୍ମୀର ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ । ଏହି ବୈଠକରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ, ସ୍ଥଳସେନା ମୁଖ୍ୟ, ଜମ୍ମୁ କାଶ୍ମୀର ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଜାତୀୟ ତଦନ୍ତକାରୀ ସସ୍ଥା ‘ଏନଆଇଏ’ ନିର୍ଦ୍ଦେଶକ ସାମିଲ ହୋଇଥିଲେ । ଘାଟିକୁ ଅଧିକ ସଂଖ୍ୟକ କେନ୍ଦ୍ରୀୟ ରିଜର୍ଭ ଫୋର୍ସ ମଧ୍ୟ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.