ETV Bharat / bharat

ଶରଦ ଗୋଷ୍ଠୀକୁ ନୂଆ ନାମ, ‘ଏନସିପି-ଶରଦଚନ୍ଦ୍ର ପାଓ୍ବାର’

author img

By ETV Bharat Odisha Team

Published : Feb 7, 2024, 9:06 PM IST

Sharad Pawar's Party Assigned New Name By Election Commission: ଶରଦ ପାଓ୍ବାର ଗୋଷ୍ଠୀକୁ ନୂଆ ନାମ ପ୍ରଦାନ କଲେ ନିର୍ବାଚନ ଆୟୋଗ । ‘ଏନସିପି-ଶରଦଚନ୍ଦ୍ର ପାଓ୍ବାର’ । ଅଧିକ ପଢନ୍ତୁ

ଶରଦ ପାଓ୍ବାର ଗୋଷ୍ଠୀକୁ ନୂଆ ନାମ ସହ ନୂଆ ଚିହ୍ନ
ଶରଦ ପାଓ୍ବାର ଗୋଷ୍ଠୀକୁ ନୂଆ ନାମ ସହ ନୂଆ ଚିହ୍ନ

ମୁମ୍ବାଇ: ଗତକାଲି ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି’ (ଏନସିପି) ଘୋଷଣା ସହ ଦଳୀୟ ଚିହ୍ନ ପ୍ରଦାନ କରିବା ପରେ ଆଜି ଶରଦ ପାଓ୍ବାରଙ୍କ ଗୋଷ୍ଠୀକୁ ନୂଆ ଦଳୀୟ ନାମ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ଏବେ ଶରଦଙ୍କ ଗୋଷ୍ଠୀ ‘ଏନସିପି-ଶରଦଚନ୍ଦ୍ର ପାଓ୍ବାର’ ଭାବେ ନାମିତ ହେବ । ଆଜି ଶରଦଙ୍କ ଗୋଷ୍ଠୀ ନୂଆ ନାମ ପାଇଥିବା ବେଳେ ନୂତନ ନିର୍ବାଚନୀ ସଙ୍କେତ ବା ‘ଚିହ୍ନ’ ନେଇ ଏବେବି ନିର୍ବାଚନ ଆୟୋଗ ସସପେନ୍ସ ବଜାୟ ରଖିଛନ୍ତି ।

ଗତକାଲି ଦଳର ମାନ୍ୟତା ସହ ଅଜିତ ଗୋଷ୍ଠୀ ଏନସିପିର ନିର୍ବାଚନୀ ଚିହ୍ନ ‘କାନ୍ଥ-ଘଣ୍ଟା’ ମଧ୍ୟ ପାଇଥିଲା । ତେବେ ଆଜି ସଂଧ୍ୟା ସୁଦ୍ଧା ଶରଦଙ୍କ ଗୋଷ୍ଠୀକୁ ତିନିଟି ବିକଳ୍ପ ପ୍ରସ୍ତାବିତ ନାମ ସୁପାରିଶ କରିବାକୁ ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା । ଶରଦଙ୍କ କ୍ୟାମ୍ପରୁ 3 ବିକଳ୍ପ ନାମ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ସେଥିମଧ୍ୟରୁ ଗୋଟିଏକୁ ଶରଦଙ୍କ ଗୋଷ୍ଠୀକୁ ଆୟୋଗ ପ୍ରଦାନ କରିଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶରଦଙ୍କ ଗୋଷ୍ଠୀ ପ୍ରସ୍ତାବ ରଖିଥିବା ନାମ ମଧ୍ୟରେ ନ୍ୟାସଲିଷ୍ଟ କଂଗ୍ରେସ ପାର୍ଟି-ଏସ, ନ୍ୟାସାଲିଷ୍ଟ କଂଗ୍ରେସ ପାର୍ଟି କଂଗ୍ରେସ ପାର୍ଟି ଶରଦ ପାଓ୍ବାର ଓ ନ୍ୟାସଲିଷ୍ଟ କଂଗ୍ରେସ ପାର୍ଟି- ଶରଦଚନ୍ଦ୍ର ପାଓ୍ବାର ରଖିଥିଲା । ପାର୍ଟିର ବିକଳ୍ପ ନାମ ପ୍ରସ୍ତାବ ରଖିବା ପୂର୍ବରୁ ଶରଦ ପାଓ୍ବାର ନିଜ ଗୋଷ୍ଠୀର ନେତା ଓ ଆଇନଗତ ପରାମର୍ଶଦାତାଙ୍କ ସହ ଆଲୋଚନା କରିଥିଲେ । ଶେଷରେ ତୃତୀୟ ନାମଟିର ମୋହର ମାରିଛନ୍ତି ଆୟୋଗ । ଏନସିପିରେ ପୂର୍ବରୁ ମୋଟ 53 ବିଧାୟକ ଥିବା ବେଳେ ଏବେ 84 ବର୍ଷୀୟ ଶରଦଙ୍କ ଗୋଷ୍ଠୀରେ 12 ବିଧାୟକ ରହିଛନ୍ତି । ଅଜିତ ଗୋଷ୍ଠୀରେ 40ରୁ ଅଧିକ ବିଧାୟକ ଥିବା ଦାବି ହେଉଛି ।

ଗତକାଲି ଦଳର ମୂଳ ନାମ ଓ ନିର୍ବାଚନୀ ସଙ୍କେତ ଅଜିତଙ୍କ ଗୋଷ୍ଠୀକୁ ମିଳିବା ପରେ ଏହାକୁ ଶରଦ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ସଙ୍କେତ ମିଳିଥିଲା । ହେଲେ ଆଜି ସୁଦ୍ଧା ଶରଦଙ୍କ ଗୋଷ୍ଠୀ କୋର୍ଟରେ ମାମଲା ଦାଏର କରିନାହିଁ । ଏହା ପୂର୍ବରୁ ଆଜି ଅଜିତ ଗୋଷ୍ଠୀ ଆଗୁଆ କୋର୍ଟର ଦ୍ବାରସ୍ଥ ହୋଇ ଏକ କ୍ୟାଭେଟ ପିଟିସନ (caveat petition) ଦାଖଲ କରିଛି । ଆୟୋଗ ପ୍ରଦାନ କରିଥିବା ରାୟ ମାମଲାରେ କୌଣସି ରାୟ ପ୍ରଦାନ କରିବା ପୂର୍ବରୁ ଅଦାତଲ ତାଙ୍କ ଗୋଷ୍ଠୀର ପକ୍ଷ ମଧ୍ୟ ଶୁଣିବାକୁ ଅଜିତ ଗୋଷ୍ଠୀ ଆବେଦନରେ ଦର୍ଶାଇଛି ।

2 ଜୁଲାଇରେ ବିଦ୍ରୋହ କରି ସିନ୍ଦେ ସରକାରରେ ମିଶିଥିଲେ ଅଜିତ:-

ଗତବର୍ଷ (2023) ଜୁଲାଇରେ ଅଜିତ ନିଜର ଏକାଧିକ ସମର୍ଥିତ ବିଧାୟକଙ୍କ ସହ ଏକନାଥ ସିନ୍ଦେ ଗୋଷ୍ଠୀ-ବିଜେପି ସମର୍ଥିତ ଶାସକ ମେଣ୍ଟରେ ସାମିଲ ହୋଇଥିଲେ । ତୁରନ୍ତ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ପାଠ କରାଯାଇଥିଲା । ଅଜିତଙ୍କ ସହ ତାଙ୍କ ସମର୍ଥିତ 8 ବିଧାୟକଙ୍କୁ ସିନ୍ଦେ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିଥିଲା । ନିଜ ଗୋଷ୍ଠୀରେ 40ରୁ ଅଧିକ ବିଧାୟକଙ୍କ ସମର୍ଥନ ଦାବି କରି ନିଜକୁ ମୁଖ୍ୟ ଏନସିପି ଘୋଷଣା କରିବା ପାଇଁ ଅଜିତ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲା । ଗତକାଲି ସଂଧ୍ୟାରେ ନିର୍ବାଚନ ଆୟୋଗ ଅଜିତ ଗୋଷ୍ଠୀ ସପକ୍ଷରେ ବଡ ରାୟ ଦେଇଥିଲେ । ସଂଖ୍ୟା ଆଧାରରେ ଅଜିତଙ୍କ ଗୋଷ୍ଠୀକୁ ମୁଖ୍ୟ ଏନସିପି ବୋଲି ଘୋଷଣା କରିବା ସହ ନିର୍ବାଚନୀ ସଙ୍କେତ କାନ୍ଥଘଣ୍ଟା ମଧ୍ୟ ନିର୍ବାଚନ ଆୟୋଗ ପ୍ରଦାନ କରିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହେଉଥିବା ଶରଦଙ୍କ ଗୋଷ୍ଠୀକୁ ଆଜି ନୂଆ ନାମ ମିଳିଛି । ହେଲେ ନିର୍ବାଚନୀ ଚିହ୍ନ ପ୍ରଦାନ ନିଷ୍ପତ୍ତି ଏବେବି ବାକି ରହିଛି ।

ଏହା ମଧ୍ୟ ପଢନ୍ତୁ :- ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ଘୋଷଣା କଲେ ନିର୍ବାଚନ ଆୟୋଗ

ତେବେ ପୂର୍ବରୁ ରାଜ୍ୟରେ ଦେଖାଯାଇଥିବା ଶିବସେନା ବିଦ୍ରୋହ ମାମଲାରେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲେ ନିର୍ବାଚନ ଆୟୋଗ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀକୁ ନିର୍ବାଚନ ଆୟୋଗ ‘ଶିବସେନା’ ବୋଲି ଘୋଷଣା କରିବା ସହ ନିର୍ବାଚନୀ ଚିହ୍ନ ‘ଧନୁ-ତୀର’ ପ୍ରଦାନ କରିଥିଲେ । ଏହା ବିରୋଧରେ ସର୍ବୋଚ୍ଚ କୋର୍ଟରେ ମାମଲା ପହଞ୍ଚିଥିଲା । ପରେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର ମହାରାଷ୍ଟ୍ର ବାଚସ୍ପତିଙ୍କ ନିକଟରେ ନ୍ୟସ୍ତ କରିଥିଲେ । ନିକଟରେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ସିନ୍ଦେ ଗୋଷ୍ଠୀକୁ ଶିବସେନା ଭାବେ ଘୋଷଣା କରିଥିଲେ । ଏବେ ଏନସିପି କ୍ଷେତ୍ରରେ ମଧ୍ୟ ସାମାନ ରାୟ ଦେଇଛନ୍ତି ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.