ETV Bharat / bharat

ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ଘୋଷଣା କଲେ ନିର୍ବାଚନ ଆୟୋଗ

author img

By ETV Bharat Odisha Team

Published : Feb 6, 2024, 8:12 PM IST

Ajit Pawar-led faction is real Nationalist Congress Party: ଦାଦାଙ୍କ ବିରୋଧରେ ଜିତିଲେ ପୁତୁରା । ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ବୋଲି ମାନ୍ୟତା ଦେଲା ନିର୍ବାଚନ କମିଶନ । କୋର୍ଟ ଯାଇପାରନ୍ତି ଶରଦ ପାଓ୍ବାର । ଅଧିକ ପଢନ୍ତୁ

ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ବୋଲି ମାନ୍ୟତା ଦେଲା ନିର୍ବାଚନ କମିଶନ
ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ବୋଲି ମାନ୍ୟତା ଦେଲା ନିର୍ବାଚନ କମିଶନ

ମୁମ୍ବାଇ: ଶିବସେନା ବିଦ୍ରୋହ ମାମଲାରେ ନିର୍ବାଚନ କମିଶନ ଦେଇଥିବା ରାୟ ଶରଦ ପାଓ୍ବାରଙ୍କ ଏନସିପି ବିଦ୍ରୋହ କ୍ଷେତ୍ରରେ ପୁନରାବୃତ୍ତି ହୋଇଛି । ଦାଦା ଶରଦଙ୍କ ବିରୋଧରେ ବଡ ବିଜୟ ପାଇଛନ୍ତି ପୁତୁରା ଅଜିତ ପାଓ୍ବାର । ଏନସିପିରୁ ଅଲଗା ହୋଇ ବିଜେପି ଓ ସିନ୍ଦେ ଗୋଷ୍ଠୀ ସହ ମିଶିଥିବା ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ଗୋଷ୍ଠୀକୁ ପ୍ରକୃତ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି’ (ଏନସିପି) ବୋଲି ନିର୍ବାଚନ କମିଶନ ମାନ୍ୟତା ଦେଇଛନ୍ତି । ଏନସିପିର ଦଳୀୟ ଚିହ୍ନ ‘କାନ୍ଥ ଘଣ୍ଟା’ ମଧ୍ୟ ଅଜିତଙ୍କ ଗୋଷ୍ଠୀକୁ ପ୍ରଦାନ କରାଯାଇଛି । ଗତ 6 ମାସ ମଧ୍ୟରେ 10 ଥର ଶୁଣାଣି ପରେ ଏହି ଆଜି ଆୟୋଗଙ୍କ ଦ୍ବାରା ରାୟ ପ୍ରକାଶ ପାଇଛି । ରାୟ ସମ୍ପର୍କରେ ଶରଦ ପାଓ୍ବାର କିମ୍ବା ତାଙ୍କ ଗୋଷ୍ଠୀର ପ୍ରତିକ୍ରିୟା ସାମ୍ନାକୁ ଆସିନଥିବା ବେଳେ ସେମାନେ ଏହା ବିରୋଧରେ କୋର୍ଟରେ ଦ୍ବାରସ୍ଥ ହେବା ସ୍ପଷ୍ଟ ଅନୁମେୟ ।

ଶରଦଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମହାବିକାଶ ଅଗାଡି ମେଣ୍ଟର ସହଯୋଗୀ ଦଳ ରହିଥିଲା । ହେଲେ ଶରଦଙ୍କ ପୁତୁରା ଅଜିତ ପାଓ୍ବାର ନିଜର କିଛି ସମର୍ଥିତ ବିଧାୟକଙ୍କ ସହ ସିନ୍ଦେ ଗୋଷ୍ଠୀ ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇଥିଲେ । ଅଜିତ ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ତାଙ୍କର କିଛି ସମର୍ଥିତ ବିଧାୟକଙ୍କୁ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଏହା ବିରୋଧରେ ଶରଦଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା । ଅଜିତ ଗୋଷ୍ଠୀ ମଧ୍ୟ ନିଜକୁ ମୁଖ୍ୟ ‘ଏନସିପି’ ବୋଲି ଦାବି କରି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲା । ତେବେ ଏହି ମାମଲାରେ ଅଜିତଙ୍କ ବଡ ବିଜୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- UCC ବିଲ୍‌: "ଲିଭ-ଇନ୍‌ ରିଲେସନସିପ ପାଇଁ ପଞ୍ଜୀକରଣ, ବହୁବିବାହ ସମ୍ପୂର୍ଣ୍ଣ ନିଷେଧ"

ନିକଟରେ ଶିବସେନା ବିବାଦରେ ମଧ୍ୟ ନିର୍ବାଚନ ଆୟୋଗ ସମାନ ରାୟ ଶୁଣାଇଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀକୁ ନିର୍ବାଚନ ଆୟୋଗ ‘ଶିବସେନା’ ବୋଲି ଘୋଷଣା କରିବା ସହ ନିର୍ବାଚନୀ ଚିହ୍ନ ‘ଧନୁ-ତୀର’ ପ୍ରଦାନ କରିଥିଲେ । ଏହା ବିରୋଧରେ ସର୍ବୋଚ୍ଚ କୋର୍ଟରେ ମାମଲା ପହଞ୍ଚିଥିଲା । ପରେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର ମହାରାଷ୍ଟ୍ର ବାଚସ୍ପତିଙ୍କ ନିକଟରେ ନ୍ୟସ୍ତ କରିଥିଲେ । ନିକଟରେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ସିନ୍ଦେ ଗୋଷ୍ଠୀକୁ ଶିବସେନା ବୋଲି ଘୋଷଣା କରିଥିଲେ । ଏବେ ଏନସିପି କ୍ଷେତ୍ରରେ ମଧ୍ୟ ସାମାନ ରାୟ ଦେଇଛନ୍ତି ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.