ETV Bharat / bharat

ବାପାମାଆକୁ ହତ୍ୟା ପାଇଁ ସୁପାରୀ ଦେଲା ପୁଅ - Gadag Muder Case Solved

author img

By ETV Bharat Odisha Team

Published : Apr 23, 2024, 6:10 PM IST

Updated : Apr 23, 2024, 6:58 PM IST

ବେଙ୍ଗାଲୁରୁ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ପର୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ପୁଅ ସମେତ ୮ ଗିରଫ
ବେଙ୍ଗାଲୁରୁ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ପର୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ପୁଅ ସମେତ ୮ ଗିରଫ

Gadag Murder Case Solved: ବେଙ୍ଗାଲୁରୁ ପରିବାରର 4 ସଦସ୍ୟଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ । ବାପାମାଆକୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ପୁଅ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ସମ୍ପତ୍ତି ବିବାଦ ସାଜିଲା ସମ୍ପର୍କରେ ଫାଟ । ଜନ୍ମଦାତା ବାପାକୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ପୁଅ । କର୍ଣ୍ଣାଟକ ରାଜ୍ୟର ଗଡଗ ଅଞ୍ଚଳରେ ସୁପାରୀ ଦେଇ ୪ ଜଣଙ୍କୁ ହତ୍ୟା ମାମଲାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ଏପ୍ରିଲ ୧୯ ତାରିଖରେ ଗଡଗ ସହରର ଦଶରାଗଲି ଅଞ୍ଚଳରେ ସହରର ପୌରପରିଷଦର ଉପାଧ୍ୟକ୍ଷ ସୁନନ୍ଦା ବକାଲେଙ୍କ ଘରେ କିଛି ଦୁର୍ବୃତ୍ତ ପଶି ୪ ଜଣଙ୍କୁ ହତ୍ୟା କରିଥିଲେ । ସୌଭାଗ୍ୟବଶତଃ ସୁନନ୍ଦା ଓ ତାଙ୍କ ସ୍ବାମୀ ପ୍ରକାଶ ବକାଲେ ଆକ୍ରମଣରୁ ବର୍ତ୍ତି ଯାଇଥିଲେ । ତେବେ ଏହି ହତ୍ୟାକାଣ୍ଡର ଖିଅକୁ ଖୋଜୁଖୋଜୁ ପୋଲିସ ଅପରାଧୀଙ୍କୁ ମାତ୍ର ୭୨ ଘଣ୍ଟା ମଧ୍ୟରେ ଗିରଫ କରିଥିଲା ।

ନର୍ଥ ଜୋନ ଆଇଜି ବିକାଶ କୁମାର ଏ ସମ୍ପର୍କରେ କହିଛନ୍ତି ଯେ, ଘଟଣା ଘଟିବାର ୩ ଦିନ ମଧ୍ୟରେ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସାମିଲ ଥିବା ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁନନ୍ଦାଙ୍କ ପୁଅ ବିନାୟକ ବକାଲେ ବୋଲି ଜଣାପଡିଛି । ସେ ସାବତ ମାଆ ଓ ନିଜ ବାପା ପ୍ରକାଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଫୈରୋଜ କାଜି, ଜିଶାନ କାଜି, ସାହିଲ କାଜି, ସୋହେଲ କାଜି, ସୁଲତାନ ଶେଖ, ମହେଶ ସୋଲଙ୍କେ ଓ ୱାହିଦ ବେପାରୀଙ୍କୁ ସୁପାରୀ ଦେଇଥିଲା । ବିନାୟକ ହତ୍ୟାକାରୀମାନଙ୍କୁ ୬୫ ଲକ୍ଷର ସୁପାରୀ ଦେଇଥିଲା । ପ୍ରଥମେ ବିନାୟକ ସେମାନଙ୍କୁ ୨ ଲକ୍ଷ ଟଙ୍କା ଆଗୁଆ ଆଡଭାନସରେ ମଧ୍ୟ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ... ମେଘାଳୟରେ 3 ଆସାମ ଯୁବକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଜାରି - Assam Youths Brunt To Death

ଆଇଜି ବିକାଶ କୁମାର ସୂଚନା ଦେଇଛନ୍ତି ଯେ ନିକଟରେ ପିତା ପ୍ରକାଶ ଓ ପୁଅ ବିନାୟକ ମଧ୍ୟରେ ବ୍ୟବସାୟକୁ ନେଇ ବିବାଦ ଦେଖାଦେଇଥିଲା । ଏପରିକି କିଛି ମାସ ପୂର୍ବରୁ ବିନାୟକ ନିଜ ବାପାଙ୍କୁ ନଜଣାଇ କିଛି ସମ୍ପତ୍ତି ବିକ୍ରି କରିଦେଇଥିଲା । ପରେ ଏ ସମ୍ପର୍କରେ ପିତା ପ୍ରକାଶ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡା ହୋଇଥିଲା । ତେଣୁ ବାପା ପ୍ରକାଶ, ସାବତ ମାଆ ସୁନନ୍ଦା ଓ ଭାଇ କାର୍ତ୍ତିକକୁ ନିଜ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ବିନାୟକ ।

ପୁଅ କାର୍ତ୍ତିକର ନିର୍ବନ୍ଧ ପାଇଁ ପରିବାରର ସମ୍ପର୍କୀୟ ପର୍ଶୁରାମଙ୍କ ସହିତ ତାଙ୍କ ପତ୍ନୀ ଲକ୍ଷ୍ମୀ ଓ ଝିଅ ଆକାଂକ୍ଷା ଘରକୁ ଆସିଥିଲେ । ତେବେ ତଳ ଘରେ ରହିଥିବାରୁ ସେମାନଙ୍କୁ ଧାରୁଆ ମାରଣାସ୍ତ୍ରରେ ହତ୍ୟା କରାଯାଇଥିଲା । ପ୍ରକାଶ ଓ ସୁନନ୍ଦା ରୁମର କବାଟ ନ ଖୋଲି ପୋଲିସକୁ ସୂଚନା ଦେବାରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ପୋଲିସ ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରିଥିଲା । ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଏହି ହାଇପ୍ରୋଫାଇଲ ମର୍ଡର କେସର ସମାଧାନ କରିଥିବାରୁ ପୋଲିସ ଟିମ୍ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 23, 2024, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.