ETV Bharat / bharat

'ଦିଲ୍ଲୀ ଚଲୋ' ଆନ୍ଦୋଳନ ଜାରି: ରେଳରୋକ କଲେ କୃଷକ, ଆଜି କେନ୍ଦ୍ର ସହ ପୁଣି ଆଲୋଚନା

author img

By ETV Bharat Odisha Team

Published : Feb 15, 2024, 9:13 AM IST

ଦିଲ୍ଲୀ ଚଲୋ ଆନ୍ଦୋଳନ
ଦିଲ୍ଲୀ ଚଲୋ ଆନ୍ଦୋଳନ

Farmers Strike: 'ଦିଲ୍ଲୀ ଚଲୋ' ଅଭିଯାନର ଆଜି ତୃତୀୟ ଦିନ । ହଜାର ହଜାର ସଂଖ୍ୟାରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ଆଜି ରେଳରୋକ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ତୃତୀୟ ଦିନରେ ପହଞ୍ଚିଛି ବିଶାଳ ଚାଷୀ ଆନ୍ଦୋଳନ । 'ଦିଲ୍ଲୀ ଚଲୋ' ଅଭିଯାନରେ ବାହାରି ରାଜରାସ୍ତାରେ ଗର୍ଜୁଛନ୍ତି ଚାଷୀ । ତୃତୀୟ ଦିନରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି । ପଞ୍ଜାବ ହରିୟାଣା ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗରେ ଜାରି ରହିଛି 'ଦିଲ୍ଲୀ ଚଲୋ' ଅଭିଯାନ । ଅନ୍ୟପକ୍ଷରେ ଆଜି ଚାଷୀ ନେତାମାନେ କେନ୍ଦ୍ର ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଚାଷୀ ଆନ୍ଦୋଳନ ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ସଂଖ୍ୟାରେ ଚାଷୀଙ୍କ ସମାବେଶ ହୋଇଥିବାରୁ ରାସ୍ତା ଜାମ କାରଣରୁ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ । ତେବେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀମାନେ ଆଜି ରେଳରୋକ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଦିଲ୍ଲୀରୁ ବହୁ ସଂଖ୍ୟାରେ ଟ୍ରେନ୍ ପଞ୍ଜାବ ଓ ଜମ୍ମୁ-କାଶ୍ମୀରକୁ ଯାତ୍ରା କରିଥାଏ । ତେଣୁ ଆନ୍ଦୋଳନର ତୃତୀୟ ଦିନରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ଲକ୍ଷ ଲକ୍ଷ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେବା ନେଇ ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଯାତ୍ରୀଙ୍କୁ ସତର୍କ କରାଇଛନ୍ତି ରେଳବାଇ ଅଧିକାରୀ ।

ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ, ଆନ୍ଦୋଳନର ତୃତୀୟ ଦିନରେ ରେଳରୋକ କରୁଛନ୍ତି କୃଷକ ସଂଗଠନ । ହେଲେ ସେମାନେ କେଉଁ କେଉଁ ସ୍ଥାନରେ ରେଳ ରୋକ କରିବେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ଆନ୍ଦୋଳନ କରାଯିବାକୁ ଥିବା ସ୍ଥାନ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିଥାନ୍ତା ତେବେ ହୁଏତ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥାନ୍ତା । ହେଲେ ସେପରି ହୋଇପାରୁ ନଥିବାରୁ ଯାତ୍ରୀମାନେ ଅସୁବିଧାରେ ପଡିପାରନ୍ତି ।

ଏହା ମଧ୍ୟ ପଢନ୍ତୁ...ଚାଷୀ ଆନ୍ଦୋଳନକୁ ଦକ୍ଷିଣରେ ସମର୍ଥନ, ତାମିଲନାଡୁରେ ରାସ୍ତାରେ ବସିଲେ ଚାଷୀ

ଏହା ମଧ୍ୟ ପଢନ୍ତୁ...କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଗ୍ରାମ୍ୟ କୃଷି କର୍ମଚାରୀ


ଏହାସହ ରେଳ ବିଭାଗ ଅଧିକାରୀଙ୍କ କହିବା କଥା, ଆନ୍ଦୋଳନ ଉପରେ ନଜର ରହିଛି । ଆରପିଏଫ ମଧ୍ୟ ସ୍ଥିତି ଉପରେ ନଜର ରଖିବା ସହ ସତର୍କ ରହିଛି । ଯଦି କୌଣସି ଯାତ୍ରୀଙ୍କୁ ଦିଲ୍ଲୀରୁ ପଞ୍ଜାବ କିମ୍ବା ଜମ୍ମୁ-କାଶ୍ମୀର ଯାତ୍ରା କରିବାର ଅଛି ତେବେ ସେମାନେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଚେତାଇ ଦେଇଛନ୍ତି ରେଳବାଇ ଅଧିକାରୀ । ସେପଟେ ଚାଷୀ ଆନ୍ଦୋଳନର ପ୍ରଭାବ ପରୀକ୍ଷାର୍ଥୀଙ୍କ ଉପରେ ପଡିବାର ଆଶଙ୍କା ରହିଛି । ଆଜି ସିବିଏସଇ ବୋର୍ଡର ଦଶମ ଏବଂ ଦ୍ବାଦଶ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଯଥା ସମୟରେ ପରୀକ୍ଷା ହଲରେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.