ETV Bharat / bharat

ନୀତିଶ NDAରେ ସାମିଲ ନେଇ କୌଣସି ସଙ୍କେତ ଦିଶୁ ନାହିଁ: ଅଖିଳେଶ

author img

By ETV Bharat Odisha Team

Published : Jan 26, 2024, 8:24 PM IST

Akhilesh Yadav
Akhilesh Yadav

Akhilesh Yadav on Bihar Politics: ନୀତିଶ ଏନଡିଏ ମେଣ୍ଟରେ ସାମିଲ ହେବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଲେ ସପା ମୁଖ୍ୟ ଅଖିଳେଶ ଯାଦବ । କହିଲେ ଏପରି କୌଣସି ସଙ୍କେତ ଦିଶୁ ନାହିଁ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଷ୍ଟ୍ରୀୟ ଜନତା ଦଳ (RJD) ସହ ମେଣ୍ଟ ଭାଙ୍ଗି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ନୀତିଶ ଏନଡିଏ ମେଣ୍ଟ ସହିତ ସାମିଲ ହେବା ନେଇ ସେପରି କୌଣସି ସଙ୍କେତ ଦିଶୁ ନାହିଁ ବୋଲି ଶୁକ୍ରବାର କହିଛନ୍ତି ଅଖିଳେଶ । ଏହା ସତ୍ତ୍ବେ ନୀତିଶ ବିରୋଧୀ ମେଣ୍ଟ 'ଇଣ୍ଡିଆ'ରେ ରହି ଏହାକୁ ଅଧିକ ସଶକ୍ତ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଖିଳେଶ ଯାଦବ କହିଛନ୍ତି, "ଏଯାବତ ସେପରି କୌଣସି ସଙ୍କେତ ଦେଖିବାକୁ ମିଳିନାହିଁ । ହେଲେ ଆମେ ଆଶା କରିବୁ ନୀତିଶ କୁମାର ଏନଡିଏ ମେଣ୍ଟକୁ ଯିବେ ନାହିଁ, ବରଂ ଇଣ୍ଡିଆ ମେଣ୍ଟରେ ରହି ଏହାକୁ ଅଧିକ ସଶକ୍ତ କରିବେ ।" ଇଣ୍ଡିଆ ମେଣ୍ଟରେ ନୀତିଶଙ୍କ ମୁଖ୍ୟ ଭୂମିକା ରହିଛି । ଏହି ମେଣ୍ଟ ଗଠନ ଲାଗି ନୀତିଶ ବିଜେପି ବିରୋଧୀ ଦଳକୁ ଏକତ୍ରିତ କରିଥିଲେ । ମାତ୍ର ସେ ରାଜ୍ୟରେ ଆରଜେଡି ସହିତ ମେଣ୍ଟ ଭଙ୍ଗ କରିବା ନେଇ ଚର୍ଚ୍ଚା ହେଉଛି । ଏପରିକି ୨୮ ବିଜେପି-ବିରୋଧୀ ଦଳକୁ ନେଇ ଗଠିତ 'ଇଣ୍ଡିଆ' ମେଣ୍ଟରୁ ଓହରି ପୁଣି ଥରେ ଏନଡିଏ ମେଣ୍ଟରେ ସାମିଲ ହେବେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- JDU-RJD ମେଣ୍ଟ ସରକାର ପତନ ଚର୍ଚ୍ଚା ! ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ତେଜସ୍ବୀ

ଯଦି ନୀତିଶ ଆରଜେଡି ସହିତ ମେଣ୍ଟ ଭାଙ୍ଗୁଛନ୍ତି, ତେବେ ଚତୁର୍ଥ ଥର ଲାଗି ମେଣ୍ଟ ସରକାରରୁ ଓହରିବେ ନୀତିଶ । ତେବେ ୨୪୩ ବିଧାନସଭା ଆସନ ବିଶିଷ୍ଟ ବିହାରରେ ଆରଜେଡି ପାଖରେ ୭୯ ଜଣ ବିଧାୟକ ଥିବା ବେଳେ ବିଜେପି ନିକଟରେ ୭୮, ଜେଡିୟୁ ନିକଟରେ ୫, କଂଗ୍ରେସର ୧୯, ସିପିଆଇ(ଏମ-ଏଲ)ର ୧୨, ସିପିଆଇ(ଏମ)ର ୨ ଜଣ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ୪ଜଣ, AIMIMର ଜଣେ ଏବଂ ଜଣେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ବିହାର ମେଣ୍ଟ ସରକାରର ପତନ ଚର୍ଚ୍ଚା ମଧ୍ୟରେ ଗୁରୁବାର ଆରଜେଡି ଓ ଜେଡିୟୁ ପୃଥକ ଭାବେ ବୈଠକ କରିଛନ୍ତି । ସେପଟି ରାଜ୍ୟ ବିଜେପି ସଭାପତି ସମ୍ରାଟ ଚୌଧୁରୀ ଦିଲ୍ଲୀ ଗସ୍ତ କରି ଦଳର ଶୀର୍ଷ ନେତୃତ୍ବଙ୍କୁ ଭେଟିଛନ୍ତି ।

ଏହା ବି ପଢନ୍ତୁ- ରାଜଭବନ କାର୍ଯ୍ୟକ୍ରମରେ ସାମିଲ ହେଲେନି ତେଜସ୍ବୀ, ନୀତିଶ କହିଲେ ତାଙ୍କୁ ପଚାର

ଅନ୍ୟପଟେ ବିଜେପି ସାଂସଦ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ବୟାନ ନୀତିଶଙ୍କ ଏନଡିଏ ମେଣ୍ଟ ସହ ସାମିଲ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ବିଜେପି ଦ୍ବାର କାହା ପାଇଁ ସ୍ଥାୟୀ ଭାବେ ବନ୍ଦ ହୋଇନଥାଏ ବୋଲି କହି ପରୋକ୍ଷରେ ନୀତିଶଙ୍କୁ ମେଣ୍ଟରେ ସାମିଲ ନେଇ ଦଳର ସମ୍ମତି ଥିବା ପରୋକ୍ଷରେ ପ୍ରକାଶ କରିଛନ୍ତି ସୁଶୀଲ । ହେଲେ ଦଳର ଶୀର୍ଷ ନେତୃତ୍ବ ଏ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସୁଶୀଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.