ETV Bharat / bharat

ଅଜିତ ଗୋଷ୍ଠୀ ହିଁ ପ୍ରକୃତ NCP: ମହାରାଷ୍ଟ୍ର ବାଚସ୍ପତି

author img

By ETV Bharat Odisha Team

Published : Feb 15, 2024, 7:47 PM IST

ଅଜିତ ଗୋଷ୍ଠୀ ହିଁ ପ୍ରକୃତ NCP: ମହାରାଷ୍ଟ୍ର ବାଚସ୍ପତି
ଅଜିତ ଗୋଷ୍ଠୀ ହିଁ ପ୍ରକୃତ NCP: ମହାରାଷ୍ଟ୍ର ବାଚସ୍ପତି

Verdict on NCP: ସମର୍ଥିତ ବିଧାୟକଙ୍କ ସଂଖ୍ୟା ଆଧାରରେ ଅଜିତ ଗୋଷ୍ଠୀକୁ ମୁଖ୍ୟ ଏନସିପି ଭାବେ ମାନ୍ୟତା ଦେଲେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର । ଅଧିକ ପଢନ୍ତୁ

ମୁମ୍ବାଇ: ଅଜିତ ପାଓ୍ବାରଙ୍କ ସମର୍ଥିତ ଗୋଷ୍ଠୀକୁ ପ୍ରକୃତ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି’ (ଏନସିପି) ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର । ଗୃହରେ ସମର୍ଥିତ ବିଧାୟକ ସଂଖ୍ୟା ଆଧାରରେ ଅଜିତ ଗୋଷ୍ଠୀକୁ ହିଁ ପ୍ରକୃତ ‘ଏନସିପି’ ଘୋଷଣା କରିବା ସହ ଶରଦ ପାଓ୍ବାରଙ୍କ ପକ୍ଷରୁ କରାଯାଇଥିବା ସଭ୍ୟପଦ ରଦ୍ଦ ଆବେଦନକୁ ମଧ୍ୟ ବାଚସ୍ପତି ନରଓ୍ବେକର ଖାରଜ କରିଛନ୍ତି ।

ଅବିଭାଜିତ ‘ଏନସିପି’ର ମୋଟ 53 ବିଧାୟକଙ୍କ ମଧ୍ୟରେ ଅଜିତଙ୍କ ସପକ୍ଷରେ ଏବେ 41ବିଧାୟକଙ୍କ ସମର୍ଥନ ରହିଛି । ଅବଶିଷ୍ଟ ଶରଦଙ୍କ ଗୋଷ୍ଠୀରେ ରହିଛନ୍ତି । ମାମଲା କୋର୍ଟରେ ପହଞ୍ଚିବା ପରେ ଉଭୟ ଗୋଷ୍ଠୀ ସେମାନଙ୍କ ସମର୍ଥିତ ବିଧାୟକଙ୍କ ସହ ମୁଖ୍ୟ ଦଳ ଭାବେ ଦାବି କରିଥିଲେ । ଶରଦଙ୍କ ଗୋଷ୍ଠୀ ଅଜିତ ପାଓ୍ବାର ଗୋଷ୍ଠୀର ବିଧାୟକଙ୍କ ସଭ୍ୟପଦ ଦଳ ବଦଳ ନିରୋଧ ଆଇନ ଅନୁସାରେ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିଥିଲେ । ଏହାକୁ ଆଜି ବାଚସ୍ପତି ଖାରଜ କରିଛନ୍ତି । ସଂଖ୍ୟା ଦୃଷ୍ଟିରୁ ଅଜିତ ଗୋଷ୍ଠୀକୁ ହିଁ ମୁଖ୍ୟ ଏନସିପି ଭାବେ ବିଚାର କରାଯାଉଥିବା ବାଚସ୍ପତି ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଏନସିପିର ମୁଖ୍ୟ ବା ଅଧ୍ୟକ୍ଷ ପଦ ନେଇ ବାଚସ୍ପତି କୌଣସି ରାୟ ଶୁଣାଇ ନାହାନ୍ତି ।

ପୂର୍ବରୁ ସମାନ ମାମଲାରେ ଏହିପରି ରାୟ ଦେଇଥିଲେ ବାଚସ୍ପତି ନରଓ୍ବେକର । ଶିବସେନା ବିବାଦ ମଧ୍ୟରେ ଏହି ମାମଲାର ରାୟ ସର୍ବୋଚ୍ଚ କୋର୍ଟ ବାଚସ୍ପତିଙ୍କ ଉପରେ ନ୍ୟସ୍ତ କରିଥିଲେ । ନିକଟରେ ବାଚସ୍ପତି ଏକନାଥ ସିନ୍ଦେ ଗୋଷ୍ଠୀକୁ ମୁଖ୍ୟ ଶିବସେନା ଭାବେ ମାନ୍ୟତା ଦେଇଥିଲେ । ବିଧାୟକଙ୍କ ସଂଖ୍ୟା ଓ ଶିବସେନାର ଦଳୀୟ ସମ୍ବିଧାନ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍ପତି କହିଥିଲେ । ଏହାକୁ ଉଦ୍ଧବ ଠାକରେ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି । ଯାହା ଶୁଣାଣି ପ୍ରକ୍ରିୟା ମଧ୍ୟରେ ରହିଛି । ଏବେ ନିର୍ବାଚନ ପୂର୍ବରୁ ଏନସିପି ମାମଲାରେ ମଧ୍ୟ ସାମାନ ଆଭିମୁଖ୍ୟ ଓ ତର୍କ ସହ ବାଚସ୍ପତି ରାହୁଲ ନରଓ୍ବେକର ପୂର୍ବ ପରି ରାୟ ଶୁଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଟିଏମସିରୁ ଇସ୍ତଫା ଦେଲେ ସାଂସଦ ମିମି ଚକ୍ରବର୍ତ୍ତୀ

ଏଠାରେ ସୂଚନାଯୋଗ୍ୟ ଯେ, ‘ମହାବିକାଶ ଅଗାଡି’ ମେଣ୍ଟରେ ସହଯୋଗୀ ଦଳ ରହିଥିଲା ‘ଏନସିପି’ । ଗତବର୍ଷ ଶେଷ ଭାଗରେ ପାର୍ଟି ସୁପ୍ରିମୋ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ନିଜର ପ୍ରାୟ 40 ବିଧାୟକଙ୍କ ସହ ବିଜେପି-ଶିବସେନା ( ସିନ୍ଦେ ଗୋଷ୍ଠୀ ) ନେତୃତ୍ବାଧୀନ ମେଣ୍ଟ ସରକାରରେ ସାମିଲ ହେବା ସହ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଅଜିତଙ୍କ କ୍ୟାମ୍ପର 8 ବିଧାୟକଙ୍କୁ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଏହି ଦଳବଦଳକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଚ୍ୟାଲେଞ୍ଜ କରିଥିଲେ ଶରଦ ପାଓ୍ବାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.