ETV Bharat / bharat

ନାସ୍ତିକ ବ୍ୟକ୍ତିଙ୍କ ଉପରେ ଲାଗୁ ହୁଏ କି 'ଶରିଆ ଆଇନ' ? କଣ କହିଲେ ସୁପ୍ରିମକୋର୍ଟ - Supreme court on Sharia Law

author img

By ETV Bharat Odisha Team

Published : Apr 29, 2024, 8:19 PM IST

SUPREME COURT
SUPREME COURT

SHARIA LAW: ନାସ୍ତିକ ବ୍ୟକ୍ତିଙ୍କ ଉପରେ ଲାଗୁ ହୁଏ କି 'ଶରିଆ ଆଇନ' ? ଅଜବ ସ୍ଥିତିରେ ଆବେଦନକାରୀ । ମାମଲାକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହିତ ଏହାକୁ 'ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ' ବୋଲି କହିଛନ୍ତି । ଜାଣନ୍ତୁ କଣ ପୁରା ଘଟଣା

ନୂଆଦିଲ୍ଲୀ: ମୁସଲିମ ପରିବାରରେ ଜନ୍ମ ହେବା ପରେ ନାସ୍ତିକ ବ୍ୟକ୍ତି (କୌଣସି ଧର୍ମ ଉପରେ ବିଶ୍ବାସ ରଖୁନଥିବା ବ୍ୟକ୍ତି) ଉପରେ ଲାଗୁ ହେବ କି ଶରିଆ ଆଇନ ବା ଇସଲାମିକ ଆଇନ ? ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଜଣେ ଯୁବତୀଙ୍କ ଦ୍ବାରା ଆବେଦନ ହୋଇଥିବା ମାମଲା ଉପରେ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି । କେରଳ ଅଧିବାସୀ ସାଫିଆ ପିଏମ ନାମକ ଯୁବତୀଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାର ଆଜି (ସୋମବାର) ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ।

ଯୁବତୀଙ୍କ କହିବା କଥା, ଶରିଆ ଆଇନ ଯୋଗୁଁ ପିତାଙ୍କ ଇଚ୍ଛା ଥିବା ସତ୍ତ୍ବେ ତାଙ୍କୁ ସମ୍ପତ୍ତିର ଏକ ତୃତୀୟାଂଶ ଦେଇପାରିବେ ନାହିଁ । ଭବିଷ୍ୟତରେ ପିତାଙ୍କ ଭାଇମାନେ ଏହି ସମ୍ପତ୍ତି ଉପରେ କବଜା କରିନେବାର ଆଶଙ୍କା ରହିଛି । ଆଜି ଏହି ମାମଲାର ଶୁଣାଣି ପ୍ରକ୍ରିୟା ସୁପ୍ରିମକୋର୍ଟରେ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ଚଳିତ ବର୍ଷ ଜୁଲାଇ ମାସରେ ହେବ ବୋଲି ଜଣାପଡ଼ିଛି ।

'ଅଜବ ସ୍ଥିତିରେ ଆବେଦନକାରୀ': ଆବେନଦନକାରୀ ସାଫିଆ ଏକ ଅଜବ ସ୍ଥିତିରେ ପହଞ୍ଚିଥିବା ନେଇ ଆଜି କୋର୍ଟଙ୍କୁ ତାଙ୍କ ଓକିଲ ଅବଗତ କରାଇଛନ୍ତି । ସାଫିଆଙ୍କ କହିବାନୁସାରେ ସେ ଓ ତାଙ୍କ ପିତା ନାସ୍ତିକ । ମାତ୍ର ତାଙ୍କ ଜନ୍ମ ମୁସଲିମ ପରିବାରରେ ହୋଇଥିବାରୁ ତାଙ୍କ ଉପରେ ଶରିଆ କାନୁନ ଲାଗୁ ହୋଇଛି । ଆବେଦନକାରୀଙ୍କ ଭାଇ ଡାଉନ ସିଣ୍ଡ୍ରୋମ ରୋଗରେ ପୀଡ଼ିତ ଥିବାରୁ ସେ ଅସହାୟ । ଭାଇର ଦେଖାଶୁଣା କରନ୍ତି ସାଫିଆ ।

ସମ୍ପତ୍ତି ଭାଗବଣ୍ଟା ନେଇ କଣ କୁହେ ଶରିଆ କାନୁନ ?:- ଆବେଦନକାରୀ ସାଫିଆ ନିଜ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶରିଆ କାନୁନ ଅନୁସାରେ ଝିଅକୁ ପୁଅର ଅଧା ସମ୍ପତ୍ତି ମିଳିଥାଏ । ପିତା ତାଙ୍କୁ ଏକ ତୃତୀୟାଂଶ ସମ୍ପତ୍ତି ଦେବାକୁ ରାଜି ଅଛନ୍ତି । ଆଉ ବାକି 2 ଭାଗ ସେ ନିଜ ପୁଅକୁ ଦେବେ । ଯଦି ଭବିଷ୍ୟତରେ ପୁଅର ମୃତ୍ୟୁ ହେଉଛି, ତେବେ ଉକ୍ତ ସମ୍ପତ୍ତି ଉପରେ ପିତାର ଭାଇଙ୍କ ଅଧିକାର ରହିବ ।

ନାସ୍ତିକ ହେବା ପରେ ବି ମିଳୁନି ସମ୍ପତ୍ତି:- ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି, "ଭାରତୀୟ ସମ୍ବିଧାନ ଅନୁସାରେ ପ୍ରତିଟି ନାଗରିକକୁ ନିଜ ଧର୍ମ ପାଳନ କରିବାର ମୌଳିକ ଅଧିକାର ରହିଛି । ସମ୍ବିଧାନରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଯଦି କୌଣସି ବ୍ୟକ୍ତି ନିଜ ଧର୍ମ ପାଳନ କରିବାକୁ ନ ଚାହାନ୍ତି, ତେବେ ସେ ନାସ୍ତିକ ହୋଇପାରିବେ । ଏହାବାଦ ଜଣେ ନାସ୍ତିକ କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ମାନୁଥିବା ପରିବାରରେ ଜନ୍ମ ନେଇଥିବାରୁ ତାକୁ ଉକ୍ତ ଧର୍ମକୁ ମାନିବାକୁ ବାଧ୍ୟ କରାଯାଇପାରିବ ନାହିଁ । ଯଦି ଆବେନଦକାରୀ ଓ ତାଙ୍କ ପିତା ଲିଖିତ ଆକାରରେ କୁହନ୍ତି ଯେ ସେମାନେ ମୁସଲିମ ନୁହଁନ୍ତି, ଶରିଆ କାନୁନ ଅନୁସାରେ ଏହା ପରେ ମଧ୍ୟ ପିତାଙ୍କ ସମ୍ପତ୍ତି ଉପରେ ସମ୍ପର୍କୀୟଙ୍କ ଅଧିକାର ରହୁଛି ।"

'ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ' କହିଲେ ସୁପ୍ରିମକୋର୍ଟ:- ଆବେଦନକାରୀଙ୍କ ପରିସ୍ଥିତିକୁ କୋର୍ଟ ହୃଦୟଙ୍ଗମ କରିବା ସହ ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି । ଏହାପରେ ସୁପ୍ରିମକୋର୍ଟ ଏହି ମାମଲା ନେଇ କୌଣସି ଆଇନଜୀବୀଙ୍କୁ ନିଯୁକ୍ତ କରିବା ଲାଗି ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ୟା କଣ ? :- ଶରିଆ ଆକ୍ଟର ଧାରା 3 ଅନୁସାରେ ଜଣେ ମୁସଲିମ ବ୍ୟକ୍ତି ଶରିଆ ଆଇନ ମୁତାବକ ଉତ୍ତରାଧିକାରୀ ନିୟମକୁ ପାଳନ କରିବେ । କିନ୍ତୁ ଯଦି କିଏ ଶରିଆ ଆଇନକୁ ମାନେ ନାହିଁ, ସେ 'ଭାରତୀୟ ଉତ୍ତରାଧିକାରୀ ଆଇନ'ର ମଧ୍ୟ ଲାଭ ନେଇପାରନ୍ତି ନାହିଁ । କାରଣ ଉତ୍ତରାଧିକାର ଆଇନର ଧାରା 58 ଅନୁସାରେ କୁହାଯାଇଛି ଯେ ଏହି ନିୟମ ମୁସଲିମ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଲାଗୁ ହୋଇନାହିଁ ।

ଏହା ବି ପଢନ୍ତୁ- ଶରିଆ ଆଇନ: ମହିଳାଙ୍କ ପାଇଁ କଣ ରହିଛି ନିୟମାବଳୀ, ଉଲ୍ଲଙ୍ଘନ କଲେ ମିଳିବ କି ଦଣ୍ଡ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.