ETV Bharat / bharat

ରାଜ୍ୟସଭା ପ୍ରାର୍ଥୀ ହେବେ କଂଗ୍ରେସ ଛାଡି ଶିବସେନରେ ସାମିଲ ହୋଇଥିବା ମିଲିନ୍ଦ ଦେଉରା

author img

By ETV Bharat Odisha Team

Published : Feb 14, 2024, 9:17 PM IST

ରାଜ୍ୟସଭା ପ୍ରାର୍ଥୀ ହେଲେ କଂଗ୍ରେସ ଛାଡି ଶିବସେନରେ ସାମିଲ ହୋଇଥିବା ମିଲିନ୍ଦ ଦେଉରା
ରାଜ୍ୟସଭା ପ୍ରାର୍ଥୀ ହେଲେ କଂଗ୍ରେସ ଛାଡି ଶିବସେନରେ ସାମିଲ ହୋଇଥିବା ମିଲିନ୍ଦ ଦେଉରା

Eknath Shinde-led Shiv Sena to field Milind Deora as candidate for RS poll: ରାଜ୍ୟସଭା ପ୍ରାର୍ଥୀ ହେବାକୁ ଯାଉଛନ୍ତି କଂଗ୍ରେସ ଛାଡି ଶିବସେନରେ ସାମିଲ ହୋଇଥିବା ମିଲିନ୍ଦ ଦେଉରା । ଅଧିକ ପଢନ୍ତୁ

ମୁମ୍ବାଇ: ଗତମାସରେ କଂଗ୍ରେସ ସହ ଦୀର୍ଘବର୍ଷର ସମ୍ପର୍କ ଛିନ୍ନ କରି ଶିବସେନାରେ ସାମିଲ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଉରା ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ସେ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ଶିବସେନା ସୂତ୍ରରୁ ସୂଚନା ମିଳିଛି ।

କଂଗ୍ରେସ ସହ ଦେଉରା ପରିବାରର ଦୀର୍ଘ ଦଶନ୍ଧିର ସମ୍ପର୍କ ଥିଲା । ହେଲେ ଜାନୁଆରୀ 14 ତାରିଖରେ ସେ ଦଳରେ ଗୁରୁତ୍ବ ମିଳୁନଥିବା ଅଭିଯୋଗରେ ଇସ୍ତଫା ଦେଇଥିଲେ । ତା’ ପରଦିନ ସେ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଥିଲେ । ମିଲିନ୍ଦ 2004 ଓ 2009 ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ମନମୋହନ ସିଂ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହେବା ସହ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ ।

ହେଲେ 2 ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଥିବା ମିଳିନ୍ଦ 2014 ଓ 2019 ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ସହ ପରାଜିତ ହୋଇଥିଲେ । ତେବେ ସେ ଶିବସେନାରେ ସାମିଲ ହେବା ପରେ ଚଳିତ ଲୋକସଭା ନିର୍ବାଚନ ଲଢିବା ନେଇ ଆଶା କରାଯାଉଥିଲା । ମାତ୍ର ଶିବସେନା ପକ୍ଷରୁ ତାଙ୍କୁ ରାଜ୍ୟସଭା ପଠାଯିବାକୁ ନିଷ୍ପତ୍ତି ହୋଇସାରିଥିବା ସୂଚନା ମିଳିଛି । ତେବେ ଏନେଇ ଶିବସେନା ବିଧିବଦ୍ଧ ଭାବେ କୌଣସି ସୂଚନା ପ୍ରଦାନ କରିନଥିବା ବେଳେ ମିଲିନ୍ଦ ଆସନ୍ତାକାଲି ଏକନାଥ ସନ୍ଦେଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିବା ନେଇ ପାର୍ଟି ସୂତ୍ରରୁ ସୂଚନା ମିଳିଛି ।

କଂଗ୍ରେସର ବରିଷ୍ଠ ନେତା ତଥା ଗାନ୍ଧୀ ପରିବାର ବେଶ ଅନୁଗତ କୁହାଯାଉଥିବା ମୁରଲୀ ଦେଓରାଙ୍କ ପୁଅ ହେଉଛନ୍ତି ମିଲିନ୍ଦ ଦେଓରା । 2004 ଓ 2009 ସାଧାରଣ ନିର୍ବାଚନରେ ମିଲିନ୍ଦ କଂଗ୍ରେସ ଟିକେଟରୁ ମୁମ୍ବାଇ-ଦକ୍ଷିଣ ସଂସଦୀୟ ଆସନରୁ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । 2012 ରୁ 2014 ପର୍ଯ୍ୟନ୍ତ ସେ କଂଗ୍ରେସର ନେତୃତ୍ବାଧୀନ ମନମୋହନ ସିଂ ସରକାରରେ ଯୋଗାଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ରରେ ମନ୍ତ୍ରୀ ବ୍ୟତୀତ ସେ ସାଙ୍ଗଠିକ ଦାୟିତ୍ବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ । 2014 ଓ 2019 ସାଧାରଣ ନିର୍ବାଚନରେ ସେ ଶିବସେନା ନେତା ଅରବିନ୍ଦ ସାୱନ୍ତଙ୍କଠାରୁ ପରାସ୍ତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ହାତ ଛାଡିଲେ, ଧନୁତୀର ଧରିଲେ ମିଲିନ୍ଦ ଦେଓରା

ଅନ୍ୟ ଏକ ଘଟଣାକ୍ରମରେ ଗତକାଲି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ ଦଳ ଆଜି ରାଜ୍ୟସଭା ପାଇଁ ଟିକେଟ ଦେଇଛି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ସହ ଅଶୋକ 12 ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଗତକାଲି ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ପଦ୍ମ ଧରିବାର ମାତ୍ର 24 ଘଣ୍ଟା ମଧ୍ଯରେ ତାଙ୍କୁ ଦଳ ରାଜ୍ୟସଭା ପଠାଇବା ପାଇଁ ନିଷ୍ପତ୍ତି ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.