ETV Bharat / bharat

ସ୍ବଦେଶ ଫେରିଲେ ଶ୍ରୀଲଙ୍କା ନୌସେନା ଦ୍ବାରା ଗିରଫ 19 ଭାରତୀୟ ମତ୍ସ୍ୟଜୀବୀ - Indian fishermen return home

author img

By ETV Bharat Odisha Team

Published : Apr 3, 2024, 10:34 PM IST

ସ୍ବଦେଶ ଫେରିଲେ ଶ୍ରୀଲଙ୍କା ନୌସେନା ଦ୍ବାରା ଗିରଫ 19 ଭାରତୀୟ ମତ୍ସ୍ୟଜୀବୀ
ସ୍ବଦେଶ ଫେରିଲେ ଶ୍ରୀଲଙ୍କା ନୌସେନା ଦ୍ବାରା ଗିରଫ 19 ଭାରତୀୟ ମତ୍ସ୍ୟଜୀବୀ

19 Indian fishermen detained by Sri Lanka Navy return home: ଶ୍ରୀଲଙ୍କା ଜେଲରୁ ମୁକ୍ତ ହୋଇ ସ୍ବଦେଶ ଫେରିଲେ 19 ଭାରତୀୟ ମତ୍ସ୍ୟଜୀବୀ । ମାଛ ଧରିବା ବେଳେ ଗିରଫ କରିଥିଲା ଶ୍ରୀଲଙ୍କା ନୌସେନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଶ୍ରୀଲଙ୍କା ନୌସେନା ଦ୍ବାରା ଗିରଫ ହୋଇ ସ୍ଥାନୀୟ ଜେଲରେ ଥିବା 19 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ମୁକ୍ତ କରାଯାଇଛି । ସେମାନେ ଆଜି ସେମାନଙ୍କ ଗୃହରାଜ୍ୟ ତାମିଲନାଡୁ ଫେରିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପରେ ଏହି ପ୍ରତ୍ୟର୍ପଣ ଶେଷ ହୋଇଛି । ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କାର ଜେଲରେ ବନ୍ଦୀ ଥିଲେ । ସେମାନେ ଆଜି କଲୋମ୍ବରୁ ଚେନ୍ନାଇ ଅଭିମୁଖେ ବାହାରିଥିଲେ । ଆଜି ବିଳମ୍ବିତ ସଂଧ୍ୟାରେ ସେମାନେ ଚେନ୍ନାଇରେ ପହଞ୍ଚିଛନ୍ତି । ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା ଓ ଅନ୍ୟ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କୁ ସେମାନଙ୍କ ଘରକୁ ପଠାଇବାକୁ ସ୍ଥାନୀୟ ପ୍ରଶାସନ କାମ ଜାରି ରଖିଛି ।

ଗତମାସ ଶେଷ ଭାଗରେ ଶ୍ରୀଲଙ୍କା ନୌସେନା ଦ୍ବାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଥିଲା ଯେ, 2024 ମସିହାରେ ଜଳସୀମା ଅତିକ୍ରମ କରି ମାଛ ଧରିବା ଅଭିଯୋଗରେ 23ଟି ଭାରତୀୟ ଟ୍ରଲର ଜବତ କରିବା ସହ ମୋଟ 178 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଆଜି 19ଜଣ ମତ୍ସ୍ଯଜୀବୀ ବିଦେଶୀ ଜେଲରୁ ମୁକ୍ତ ହୋଇଛନ୍ତି । ଏବେ ଶ୍ରୀଲଙ୍କା ନିୟନ୍ତ୍ରଣରେ ଥିବା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମୁହାଁମୁହିଁ ହେବା ସମୟରେ ଏହି ଘଟଣାକ୍ରମ ସାମ୍ନାକୁ ଆସିଛି ।

ତେବେ ଭାରତର ତାମିଲନାଡୁ ଓ ଶ୍ରୀଲଙ୍କା ମଧ୍ୟରେ ବେଶ କମ ସାମୁଦ୍ରିକ ଦୂରତା ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ଜଳସୀମା ମଧ୍ୟ ନିର୍ଦ୍ଧାରିତ ହୋଇଛି । ହେଲେ ଭାରତୀୟ ମତ୍ସ୍ୟଜୀବୀ ତଥା ବିଶେଷ ଭାବେ ତାମିଲ ମତ୍ସ୍ୟଜୀବୀମାନେ ରାମେଶ୍ବରମ ଓ ଏହାର ନିକଟବର୍ତ୍ତୀ ଏରିଆରେ ମାଛ ଧରିବା ବେଳେ ଶ୍ରୀଲଙ୍କା ନୌସେନା ସେମାନଙ୍କୁ ହଇରାଣ କରିବା ସହ ଗିରଫ କରିନେଉଥିବାର ଅନେକ ଘଟଣା ସମ୍ନାକୁ ଆସିଛି । ଏହାକୁ ନେଇ ସ୍ଥାନୀୟ ମତ୍ସ୍ୟଜୀବୀମାନେ ସରକାରଙ୍କ ନିକଟରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗିରଫ ମତ୍ସ୍ୟଜୀବୀଙ୍କୁ ମୁକ୍ତି କରିବା ପାଇଁ ତାମିଲନାଡୁ ସରକାର କେନ୍ଦ୍ର ସରକାରକୁ ଅନୁରୋଧ କରିଛି ।

ଏହା ମଧ୍ୟ ପଢନ୍ତୁ :- ‘ଜେଲର ତାଲା ଭାଙ୍ଗିବ’: 6ମାସ ପରେ ମୁକୁଳିଲେ ସଞ୍ଜୟ ସିଂ - Sanjay Singh Out Of Tihar jail

ଏବେ ଦୁଇ ଦେଶର ଜଳସୀମା ନିକଟବର୍ତ୍ତୀ ଭାରତ ମହାସାଗରେ ଥିବା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି । ଏହି କ୍ଷୁଦ୍ର ଦ୍ବୀପ ପୂର୍ବରୁ ଭାରତର ଏକ ଅବିଚ୍ଛେଦ ଅଙ୍ଗ ଥିଲା ବେଳେ 1974 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିବା ବିଜେପି ଅଭିଯୋଗ କରିଛି । ଯାହା ଏବେ ମତ୍ସ୍ୟଜୀବୀଙ୍କ ପାଇଁ ସମସ୍ୟା ସୃଷ୍ଚି କରିଛି ବୋଲି ବିଜେପି ଅଭିଯୋଗ କରି କଂଗ୍ରେସର ନୀତିକୁ ଟାର୍ଗେଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.