ହାଇଦ୍ରାବାଦ:ଏସିଆ କପ ସ୍କ୍ବାଡରେ ସ୍ଥାନ ପାଇଛନ୍ତି ରାହୁଲ । କିନ୍ତୁ ପ୍ରଥମ ମ୍ୟାଚ ଖେଳି ନଥିବା ବେଳେ ଆଜି ନେପାଳ ବିପକ୍ଷରେ ଥିବା ଦ୍ବିତୀୟ ମ୍ୟାଚ ମଧ୍ୟ ଖେଳିବେ ନାହିଁ ରାହୁଲ । ସମ୍ପୂର୍ଣ୍ଣ ଫିଟ ନଥିବାରୁ ରାହୁଲ ଏହି 2 ମ୍ୟାଚ ଖେଳିବେ ନାହିଁ ବୋଲି ପୂର୍ବରୁ ଚୟନକର୍ତ୍ତା କହିଥିଲେ । ତେବେ ସେ ଆଗକୁ ବାକି ମ୍ୟାଚ ଖେଳିବେ ନା ନାହିଁ ତାହା ଆଜି ସ୍ପଷ୍ଟ ହୋଇଯିବ । ଓ୍ବିକେଟ କିପର କେଏଲ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ନା ନାହାନ୍ତି ତାହା ଆଜି ପରୀକ୍ଷା ହେବ। ଜାତୀୟ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷା ଦେବେ ରାହୁଲ । ଯଦି ସେ ଫିଟ ଥିବେ ତେବେ ବାକି ମ୍ୟାଚ ଖେଳିବାକୁ ସୁଯୋଗ ମିଳିପାରେ ।
ଫିଟନେସ ପରୀକ୍ଷାରେ ଯଦି ପାସ କରନ୍ତି ତେବେ ଏସିଆ କପର ବାକି ମ୍ୟାଚରେ ଚୟନକର୍ତ୍ତା ତାଙ୍କୁ 5 ନମ୍ବରରେ ବ୍ୟାଟିଂ ପାଇଁ ପଠାଇବାକୁ ଚିନ୍ତା କରିଛି । ରାହୁଲ ମଧ୍ୟ ଏଥି ପାଇଁ ପ୍ରସ୍ତୁତ ଥିବା ଅନୁମାନ କରାଯାଉଛି । ଆହତ ହେବା ପର ଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି ରାହୁଲ । ଆଇପିଏଲ ସମୟରେ ବେଙ୍ଗାଲୁରୁ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ସେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ । ଏହାପରେ ଲଣ୍ଡନ ଯାଇ ଅସ୍ତ୍ରୋପଚାର କରିଥିଲେ । ଧିରେ ଧିରେ ସୁସ୍ଥ ହେଉଥିବା ରାହୁଲଙ୍କୁ ଏସିଆ କପ ସ୍କ୍ବାଡରେ ସ୍ଥାନ ମିଳିଛି । କେଏଲ୍ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ନଥିବା ସତ୍ତ୍ଵେ ଦଳରେ କାହିଁକି ସାମିଲ କରାଗଲା ବୋଲି ପ୍ରଶ୍ନ ଉଠିଥିଲା ।