ଓଡିଶା

odisha

Maratha reservation: ସର୍ବଦଳୀୟ ବୈଠକ ଶେଷ, ସର୍ବସମ୍ମତି ମିଳିଥିବା ସିନ୍ଦେଙ୍କ ଘୋଷଣା

By ETV Bharat Odisha Team

Published : Nov 1, 2023, 5:04 PM IST

ମରାଠା ସଂରକ୍ଷଣକୁ ରାଜ୍ୟର ସମସ୍ତ ରାଜନୈତିକ ଦଳର ସମର୍ଥନ । ଲ’ ଓ୍ବାର୍କଫ୍ରେମରେ ଆଗାମୀ ପ୍ରକ୍ରିୟା ହେବା ନେଇ ସର୍ବଦଳୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଘୋଷଣା । ଅଧିକ ପଢନ୍ତୁ

Maratha reservation: ସର୍ବଦଳୀୟ ବୈଠକରେ ସର୍ବସମ୍ମତି
Maratha reservation: ସର୍ବଦଳୀୟ ବୈଠକରେ ସର୍ବସମ୍ମତି

ମୁମ୍ବାଇ: ମରାଠା ସଂରକ୍ଷଣ ପ୍ରସଙ୍ଗରେ ମହାରାଷ୍ଟ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ଏହି ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ରାଜନୈତିକ ଦଳ ସଂରକ୍ଷଣ ପ୍ରଦାନ କରାଯିବା ସପକ୍ଷରେ ମତ ଦେଇଥିବା ନିଜେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଗତ କିଛି ଦିନ ଧରି ରାଜ୍ୟର ଏକାଧିକ ସ୍ଥାନରେ ହିଂସା ଦେଖାଯିବା ପରେ ଆଜି ସିନ୍ଦେ ସରକାର ଏହି ସର୍ବଦଳୀୟ ବୈଠକ ଡାକିଥିଲେ ।

ମାତ୍ର ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ଉଦ୍ଧବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେ କିମ୍ବା ତାଙ୍କ ଦଳର କେହି ପ୍ରତିନିଧିଙ୍କୁ ଦେଖିବାକୁ ମିଳିନଥିଲା । ଅନ୍ୟପଟେ ଏହି ପ୍ରସ୍ତାବ ସହ ରାଜ୍ୟର ହିଂସା ରୋକିବା ପାଇଁ ମଧ୍ୟ ବୈଠକରେ ପ୍ରାଥମିକତା ଦିଆଯାଇଛି । ସଂରକ୍ଷଣ ଆନ୍ଦୋଳନର ନେତୃତ୍ବ ନେଉଥିବା ମନୋଜ ଜାରାଙ୍ଗେଙ୍କୁ ଆମରଣ ଅନଶନ ଭଙ୍ଗ କରିବାକୁ ମଧ୍ୟ କୁହାଯାଇଛି ।

ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି,‘‘ମରାଠା ସମ୍ପ୍ରଦାୟ ସଂରକ୍ଷଣ ପାଇବା ଉଚିତ ବୋଲି ସମସ୍ତେ ସହମତ ହୋଇଛନ୍ତି । ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ସଂରକ୍ଷଣ ଲ’ ଓ୍ବାର୍କଫ୍ରେମ ମଧ୍ୟରେ ହେବା ଉଚିତ ଓ ଏହାକୁ ପ୍ରସ୍ତୁତ କରିବା ବେଳେ ଅନ୍ୟ ସମ୍ପ୍ରଦାୟ ପ୍ରତି ଅନ୍ୟାୟ ନହେବା ନେଇ ମଧ୍ୟ ଧ୍ୟାନ ଦେବାକୁ ହେବ । ତେବେ ଆଜି ବୈଠକରେ ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ସମର୍ଥନ ମିଳିଛି ।’’

ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଫଡନାଭସିଙ୍କ ସମେତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶରଦ ପାଓ୍ବର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହାନ, ବିଧାନସଭା ବିରୋଧୀ ଦଳ ନେତା ବିଜୟ ଓ୍ବାଦିତିଓ୍ବାର ଓ ବିଧାନ ପରିଷଦରେ ବିରୋଧୀ ଦଳ ନେତା ଆମ୍ବାଦାଶ ଡାନଭେ, ଏକାଧିକ ମନ୍ତ୍ରୀ ଓ ରାଜ୍ୟରେ ସକ୍ରିୟ ଥିବା ପ୍ରାୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ ।

ମାତ୍ର ଆଶ୍ଚର୍ଯ୍ୟର କଥା ଉଦ୍ଧବ ଠାକରେ କିମ୍ବା ତାଙ୍କ ଦଳର କୌଣସି ନେତା ଏହି ଗମ୍ଭୀର ପ୍ରସଙ୍ଗରେ ଆହୁତ ହୋଇଥିବା ବୈଠକରେ ସାମିଲ ହୋଇନଥିଲେ । ଉଦ୍ଭବ ଗୋଷ୍ଠୀ ନେତା ସଞ୍ଜୟ ରାଉତ କହିଛନ୍ତି, ଦଳର 16 ବିଧାୟକ ଓ 6 ସାଂସଦ ଥିବା ସତ୍ତ୍ବେ ସେମାନଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇନାହିଁ । ତେଣୁ କେହି ବୈଠକରେ ଦଳ ପକ୍ଷରୁ କେହି ସାମିଲ ହେଲେନାହିଁ । ସଞ୍ଜୟଙ୍କ ଏହି ଅଭିଯୋଗରେ ସରକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଏହା ମଧ୍ୟ ପଢନ୍ତୁ:- JK New DGP: ଜମ୍ମୁ କାଶ୍ମୀରର ଡିଜିପି ଭାବେ ଦାୟିତ୍ବ ନେଲେ ଓଡିଆ IPS ରଶ୍ମୀ ରଞ୍ଜନ ସ୍ବାଇଁ

ମରାଠା ଜାତିକୁ ଅନ୍ୟାନ୍ୟ ପଛୁଆ ଜାତି (OBC) ବର୍ଗରେ ଅନ୍ତର୍ଭୁକ୍ତ କରି ସାମାଜିକ ସରକ୍ଷଣ ଦେବାକୁ ଦାବି ହେଉଛି । ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ସାମାଜିକ କର୍ମୀ ମନୋଜ ଜାରାଙ୍ଗେ ଏବେ ଆମରଣ ଅନଶନରେ ବସିଛନ୍ତି । ରାଜ୍ୟ ସରକାର ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ଡାକି ଏହି ସମ୍ପର୍କରେ ବିଲ୍‌ ପାରିତ କରନ୍ତୁ ବୋଲି ସେ ଦାବି କରିଆସୁଛନ୍ତି । ତେବେ ଏହାକୁ ନେଇ କିଛି ଦିନ ହେବ ରାଜ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଗତ ଦୁଇ ଦିନ ତଳେ ଏକାଧିକ ଏନସିପି ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଉତ୍ୟେକ୍ତ ଆନ୍ଦୋଳନକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details