ETV Bharat / bharat

JK New DGP: ଜମ୍ମୁ କାଶ୍ମୀରର ଡିଜିପି ଭାବେ ଦାୟିତ୍ବ ନେଲେ ଓଡିଆ IPS ରଶ୍ମୀ ରଞ୍ଜନ ସ୍ବାଇଁ

author img

By ETV Bharat Odisha Team

Published : Nov 1, 2023, 4:13 PM IST

ଜମ୍ମୁ କାଶ୍ମୀର ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରଣ କଲେ ଓଡିଆ IPS ରଶ୍ମୀ ରଞ୍ଜନ ସ୍ବାଇଁ । ପୂର୍ବରୁ ମଧ୍ୟ କାଶ୍ମୀରରେ କାମ କରିବାର ରହିଛି ଦୀର୍ଘ ବର୍ଷର ଅଭିଜ୍ଞତା । ଅଧିକ ପଢନ୍ତୁ

JK new DGP : ଦାୟିତ୍ବ ଗ୍ରହଣ କଲେ ଓଡିଆ IPS ରଶ୍ମୀ ରଞ୍ଜନ ସ୍ବାଇଁ
JK new DGP : ଦାୟିତ୍ବ ଗ୍ରହଣ କଲେ ଓଡିଆ IPS ରଶ୍ମୀ ରଞ୍ଜନ ସ୍ବାଇଁ

ଶ୍ରୀନଗର: ଦେଶର ଅଖଣ୍ଡତା ପ୍ରତି ସର୍ବାଧିକ ଆହ୍ବାନପୂର୍ଣ୍ଣ ସ୍ଥାନ ଜମ୍ମୁ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡିଆ ଆଇପିଏସ ଅଧିକାରୀ ରଶ୍ମି ରଞ୍ଜନ ସ୍ବାଇଁ । ସେ ଆଜି ଶ୍ରୀନଗର ସ୍ଥିତ ପୋଲିସ ମୁଖ୍ୟାଳୟରେ ବିଦାୟୀ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏଥିପାଇଁ ପୋଲିସ ମୁଖ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମୁଖ୍ୟାଳୟରେ ପହଞ୍ଚିବା ପରେ ନୂତନ ଡିଜିପି ରଶ୍ମି ରଞ୍ଜନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହା ପରେ ଦାୟିତ୍ବ ହସ୍ତାନ୍ତରଣ ପ୍ରକ୍ରିୟା ସହ ପ୍ରଥମ ସମୀକ୍ଷା ବୈଠକ ମଧ୍ୟ ଶେଷ ହୋଇଛି ।

1991 ବ୍ୟାଚର ଭାରତୀୟ ପୋଲିସ ସେବା (IPS) ଅଧିକାରୀ ହେଉଛନ୍ତି ରଶ୍ମି ରଞ୍ଜନ । ସେ କେନ୍ଦ୍ର ଶାସିତ ଅଞ୍ଚଳ ଓ ଉତ୍ତପୂର୍ବ ରାଜ୍ୟ ପାଇଁ ସ୍ବତନ୍ତ୍ର ଭାବେ ଥିବା AGMUT କ୍ୟାଡରର ଅଧିକାରୀ । ତାଙ୍କ ପୋଲିସ ସେବାର ଅନେକ ବର୍ଷ ସେ କାଶ୍ମୀରରେ କାଟିଛନ୍ତି । ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରେ ସେ କାଶ୍ମୀର ପୋଲିସରେ ଏକାଧିକ ପଦବୀରେ ସଫଳତାର ସହ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । SDPO ଭାବେ ଚାକିରି ଆରମ୍ଭ କରିଥିବା ରଶ୍ମୀରଞ୍ଜନ ପରେ କାର୍ଗିଲ, ପୁଞ୍ଚ, ରାମବାନ ପରି ଆତଙ୍କବାଦ ତଥା ଆହ୍ବାନପୂର୍ଣ୍ଣ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ ସେ ଏସଏସପି ପାହ୍ୟା ସହ ଭିଜିଲାନ୍ସ ଡିଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । 2006ରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଅନେକ ଗୁରୁଦାୟିତ୍ବ ସମ୍ଭାଳିଥିଲେ ।

ଏହା ମଧ୍ୟ ପଢନ୍ତୁ :- After Apple warnings: ଏଥିକ୍ସ କମିଟିରେ ହାଜର ପୂର୍ବରୁ ବାଚସ୍ପତିଙ୍କୁ ମୋଇତ୍ରାଙ୍କ ଚିଠି, ‘ସରକାରଙ୍କଠୁ ସୁରକ୍ଷା ଦିଅ’

2020ରେ ସେ ପୁଣି କାଶ୍ମୀର ପୋଲିସ ବିଭାଗକୁ ଫେରିବା ସହ ଅପରାଧିକ ଅନୁସନ୍ଧାନ ସଂସ୍ଥା (CID)ର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏବେ ତାଙ୍କୁ ଜମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅବସ୍ଥାପିତ କରାଯାଇଛି । ଆତଙ୍କବାଦ ଓ ଘାଟିରେ ସୁରକ୍ଷା ଏବେ ତାଙ୍କ ପାଇଁ ପ୍ରାଥମିକତା ହେବାକୁ ଯାଉଛି । ଔପଚାରିକ ଭାବେ ଆଜି ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ଅନ୍ୟ ଅଧିକାରୀମାନେ ସ୍ବାଗତ କରିଥିଲେ । ଏହା ପରେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ନେଇ ଏକ ସମୀକ୍ଷା ବୈଠକ ମଧ୍ୟ ଆୟୋଜିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.