ଅମଲା ସଂଘର ଶାନ୍ତିପୂର୍ଣ୍ଣ ଧାରଣା, ସରକାରୀ ଠପ ଯୋଗୁଁ ହନ୍ତସନ୍ତ ଜନସାଧାରଣ

By

Published : Jun 5, 2023, 7:15 PM IST

thumbnail

କେନ୍ଦ୍ରାପଡ଼ା: ଏକଦଫା ଦାବି ନେଇ ମିଳିତ ଅମଲା ମହାମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା ପଞ୍ଚମ ଦିନରେ ପହଞ୍ଚିଲା । ଗୋଟିଏ ପଟେ ଅମଲାମାନେ ଦାବି ପୂରଣ ନେଇ ଜିଦରେ ଅଡ଼ି ବସିଛନ୍ତି । ଅନ୍ୟପଟେ ବିଭିନ୍ନ ଅଫିସରୁ ସେବା ନପାଇ ସାଧାରଣ ଲୋକେ ବହୁବିଧ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ରାଜ୍ୟ ସରକାରଙ୍କ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ, ଟାଳଟୁଳ ଓ କାଳ କ୍ଷେପଣ ନୀତି ପ୍ରତିବାଦରେ ଗତ ୧ ତାରିଖରୁ ଜିଲ୍ଲାସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି । 

ଗତ ଏପ୍ରିଲ ୯ ତାରିଖରୁ କାର୍ଯ୍ୟରେ ଥାଇ ରାଜ୍ୟ ସରକାରଙ୍କ ନିକଟରେ ଓଡ଼ିଶା ଅମଲା ସଂଘ, ଓଡ଼ିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ ଓ ଉପ ନିବନ୍ଧକ ଅମଲା ସଂଘ ଭଳି ଚାରୋଟି ଅମଲା ସଂଘକୁ ନେଇ ଗଠିତ ଓଡ଼ିଶା ଅମଲା ମହାସଂଘ ସେମାନଙ୍କ ଗ୍ରେଡ ପେ ୧୯୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି କରିବା, ଲେବୁଲ ୪ରୁ ସେମାନଙ୍କୁ ଲେବୁଲ ୯କୁ ଆଣିବା ପାଇଁ ଦାବି ଉପସ୍ଥାପନ କରି ଆସୁଥିଲେ । ପୁନଃରାୟ ମେ ମାସ ୨ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । 

ତେବେ ମେ ମାସ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ କଳା ବ୍ୟାଚ ପରିଧାନ କରି ଅମଲା ମାନେ ସରକାରଙ୍କ ଏହି କାଳ କ୍ଷେପଣ ନୀତିକୁ ବିରୋଧ କରି ଜୁନ ୧ ତାରିଖରୁ ସାମୂହିକ ଛୁଟିରେ ଯିବା ପାଇଁ ଚେତାବନୀ ଦେଇଥିଲେ ସୁଦ୍ଧା ସରକାର ସେଭଳି କୌଣସି ଠୋସ ପଦକ୍ଷେପ ନନେଇ ଅମଲାଙ୍କୁ ସାମୂହିକ ଛୁଟିରେ ଯିବା ପାଇଁ ପରୋକ୍ଷରେ ପ୍ରବର୍ତ୍ତାଇଥିଲେ। ଫଳରେ ୧ ତାରିଖରୁ ଏହି ଅମଲା ସଂଘ ସାମୂହିକ ଛୁଟିରେ ଯିବା ସହ କେନ୍ଦ୍ରାପଡ଼ା ଜିଲ୍ଲାର ୭୦୦ରୁ ଊର୍ଦ୍ଧ୍ବ ଅମଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଅନ୍ୟପଟେ ଏହି ଧାରଣା ଯୋଗୁଁ ବିଭିନ୍ନ କାର୍ଯ୍ୟାଳୟରେ କାମ ଠପ ହୋଇଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାର ଯଥାଶୀଘ୍ର ଅମଲାଙ୍କ ଦାବିକୁ ଗ୍ରହଣ କରି ସରକାରୀ କାର୍ଯ୍ୟାଳୟରେ ଅଚଳାବସ୍ଥା ଦୂର କରିବା ପାଇଁ ସାଧାରଣ ଲୋକେ ନିବେଦନ କରିଛନ୍ତି ।
 

ଇଟିଭି ଭାରତ, କେନ୍ଦ୍ରାପଡ଼ା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.