ଚାଷୀଠୁ ହାତଖର୍ଚ୍ଚ ମାଗୁଛନ୍ତି ପୋଲିସ ବାବୁ, ଭିଡିଓ ଭାଇରାଲ

By ETV Bharat Odisha Team

Published : Oct 10, 2023, 9:35 AM IST

thumbnail

କେନ୍ଦ୍ରାପଡା: ଚାଷୀ ଦେବେ ଖରାତରାରେ ବୁଲୁଥିବା ପୋଲିସଙ୍କୁ ହାତଖର୍ଚ୍ଚ ! କଥାଟା କାନକୁ ଶୁଣିବାକୁ ଅସୁନ୍ଦର ଲାଗୁଥିଲେ ହେଁ ଏଭଳି ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ନୋଟିସ ଦେବାକୁ ଆସିଥିବାରୁ ହାତଖର୍ଚ୍ଚ ମାଗୁଛନ୍ତି ପୋଲିସ ବାବୁ । ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର । ହାତଖର୍ଚ୍ଚ ମାଗିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସ ୨୨ ତାରିଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ଆନ୍ଦୋଳନ କରିଥିବା ଚାଷୀମାନଙ୍କୁ ଗିରଫ କରାଯାଇ ପରେ ଛାଡି ଦିଆଯାଇଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ଚାଷୀମାନଙ୍କୁ ଖୋଜିଖୋଜି କ୍ୟାପିଟାଲ ପୋଲିସ ପକ୍ଷରୁ ୧୦୭ ଧାରାର ସମନ ଏବେ ଜାରି କରାଯାଉଛି । ଆନ୍ଦୋଳନରେ ସାମିଲ ହୋଇଥିବା ବିଭିନ୍ନ ଜିଲ୍ଲାର ଚାଷୀମାନଙ୍କୁ ସମନ ଜାରି କରାଯାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ଆନ୍ଦୋଳନରେ ଭାଗ ନେଇଥିବା ୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଏହି ନୋଟିସ ଦିଆଯାଇଥିବା କହିଛନ୍ତି ସଙ୍ଗଠନର ଜିଲ୍ଲା ଆବାହକ ।

ଏହାମଧ୍ୟ ପଢନ୍ତୁ..ଭିଜିଲାନ୍ସ ଜାଲରେ ଏମଆଇ; ରାସନ କାର୍ଡ କରାଇବାକୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ତେବେ ଏହି ନୋଟିସ ଜାରି କରିବାକୁ ଆସି ଜଣେ ପୋଲିସ ବାବୁ ଟଙ୍କା ମାଗି ପରେ ଫେରାଇବା ଓ ହରଡ଼ଘଣାରେ ପଡିବା ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ସୁନାକର ଦାସ ନାମକ ଜଣେ ଚାଷୀଙ୍କୁ ୧୦୭ ନୋଟିସ ଦେଇ ଉକ୍ତ ଥାନାର ଜନୈକ କନେଷ୍ଟବଳ ଓ ଗୃହରକ୍ଷୀ ୧ ଶହ ଟଙ୍କା ନେଇଥିଲେ । ପରେ ଚାଷୀମାନେ ଏକଥା ଜାଣି ଏକଜୁଟ ହୋଇ କନେଷ୍ଟବଳ ଜଣଙ୍କୁ ପଚାରିବାରୁ ସେ ଉକ୍ତ ଟଙ୍କା ଫେରାଇବା ସହ "କିଏ କେତେ ଖାଇ ଯାଉଛନ୍ତି, ଆମେ ଟଙ୍କା ଶହେଟା ନେଲେ ତମର କଣ ସରିଯିବ " ବୋଲି କହିବାର ଭିଡିଓ ଏବେ ଭାଇରାଲ ହେଉଛି ।

ଏହାକୁ ଦେଖି ସ୍ଥାନୀୟ ଚାଷୀ ଏକଜୁଟ ହୋଇ କନେଷ୍ଟବଳଙ୍କ ଗାଡିଟିର ଚାବିକୁ ଛଡାଇ ନେଇଥିଲେ । ଏନେଇ ଦୀର୍ଘ ସମୟ ଧରି କନେଷ୍ଟବଳ ଓ ଚାଷୀମାନଙ୍କ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଉକ୍ତ କନେଷ୍ଟବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭବିଷ୍ୟତରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.