Train Tragedy: ଆଜି ଦଶାହ, ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ସାମୂହିକ ମୁଣ୍ଡନ

By

Published : Jun 11, 2023, 2:14 PM IST

Updated : Jun 11, 2023, 2:21 PM IST

thumbnail

ବାଲେଶ୍ବର: ନାଁ ସେମାନେ ରକ୍ତର ନା ସେମାନଙ୍କ ସହ କିଛି ସମ୍ପର୍କ ଅଛି । ଅଜଣା ଅଚିହ୍ନାଙ୍କ ପାଇଁ ଚାଲିଛି ଦଶାହ ପାଳନ । ନିଜର ଲୋକଙ୍କୁ ହରାଇଲା ପରି ବାଲେଶ୍ବର ଟ୍ରେନ ଦୁର୍ଘଟଣାର ମୃତକଙ୍କ ପାଇଁ ଦଶାହ ପାଳିଛନ୍ତି ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଥିବା ପ୍ରତିଟି ବ୍ୟକ୍ତି । ମୁଣ୍ଡନ ହେବା ସହ ଶୁଦ୍ଧି ହୋଇଛନ୍ତି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କରିଥିବା ଲୋକ । ତିନିଦିନ ଧରି ସମୂହ ଶୋକସଭା ଏବଂ ପ୍ରାର୍ଥନା ସଭା ଚାଲିବ । ଭୟଙ୍କର ଦୁର୍ଘଟଣାରେ ଦେବଦୂତ ସାଜିଥିବା 100ରୁ ଉର୍ଦ୍ଧ୍ଵ ସ୍ବେଚ୍ଛାସେବୀ ଓ ସ୍ଥାନୀୟ ଲୋକ ମୁଣ୍ଡନ ହୋଇଛନ୍ତି ।

ସେହିପରି ରୀତିନୀତି ଅନୁସାରେ ଲଣ୍ଡା ହୋଇଥିବା ଲୋକମାନଙ୍କ ପାଇଁ ସ୍କୁଲରେ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ସୋମବାର ଦିନ ଏକାଦଶାହ କ୍ରିୟାକର୍ମ ଅନୁଷ୍ଠିତ ହେବ । ଏଥିପାଇଁ 101 ଜଣ ବ୍ରାହ୍ମଣଙ୍କ ଦ୍ଵାରା ବିଶ୍ୱଶାନ୍ତି ମହାଯଜ୍ଞ କରାଯିବ । ଏହାସହ ଏକ କ୍ୱିଣ୍ଟାଲ ଘିଅରେ ଯଜ୍ଞ ଆହୁତି ଦିଆଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି 1001 ଦ୍ବୀପ ଜାଳି ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବାର ବ୍ୟବସ୍ଥା କରାଯାଇଛି । ଲଣ୍ଡା ହୋଇଥିବା ବ୍ୟକ୍ତିମାନେ ସେ କରାଳ ରାତିର କଥା କହି ମର୍ମାହତ ହୋଇଥିବା ବେଳେ ମାନବିକତା ପାଇଁ ଆଜି ସେମାନେ ଲଣ୍ଡା ହେଉଥିବା କଥା କହିଛନ୍ତି । 

ଗତ 2ରେ ବାହନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଏହି ଛାତିଥରା ରେଳ ଦୁର୍ଘଟଣାରେ 288 ଜଣ ପ୍ରାଣ ହରାଇଥିଲେ ଏବଂ 1000ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଏବେବି ଅନେକ ମୃତକଙ୍କ ପରିଚୟ ମିଳିପାରିନି । ଏହାରି ମଧ୍ୟରେ ଏହି ଦୁଃଖଦ ଘଟଣାକୁ 10 ଦିନ ବିତିଛି । ବାହାନଗା ବାସୀ ମୃତକଙ୍କ ପାଇଁ ସାମୁହିକ ଭାବେ ଲଣ୍ଡା ହୋଇ ଆତ୍ମାର ଶାନ୍ତି ପାଇଁ କାମନା କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର 

Last Updated : Jun 11, 2023, 2:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.