ଓସିଏ ସ୍ପିନ ଦିଗ ମଜବୁତ କରିବେ ଭେଙ୍କଟପତି ରାଜୁ, ଆରମ୍ଭ ହେଲା ପ୍ରଶିକ୍ଷଣ

By

Published : Jun 5, 2023, 9:24 PM IST

thumbnail

କଟକ: ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ରାଜ୍ୟର ୪୬ ଜଣ ପ୍ରତିଭାବାନ୍ ସ୍ପିନ୍‌ ବୋଲରଙ୍କ ବିକାଶ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ସ୍ପିନର ପ୍ରଶିକ୍ଷଣ ଶିବିର । ପୂର୍ବତନ ଅନ୍ତର୍ଜାତୀୟ ସ୍ପିନର ଭେଙ୍କଟପତି ରାଜୁ ଏହି ଶିବିରରେ ଉପସ୍ଥିତ ରହି ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେବେ । ଓସିଏ ପକ୍ଷରୁ ରାଜୁଙ୍କୁ ୧୫ ଦିନ ପାଇଁ ଶିବିରରେ ଯୋଗ ଦେବାପାଇଁ ନିୟୋଜିତ କରାଯାଇଛି । ପୂର୍ବରୁ ଓସିଏ ରାଜ୍ୟରେ ୫ଟି ଚୟନ ଶିବିର ଆୟୋଜନ କରି ୪୧୭ ଜଣଙ୍କ ମଧ୍ୟରୁ ୪୬ ଜଣ ସ୍ପିନରଙ୍କୁ ଚୟନ କରିଛି । ଏଭଳି ଶିବିର ରାଜ୍ୟ କ୍ରିକେଟର ବିକାଶ ପାଇଁ ସହାୟକ ହେବ ବୋଲି ଓସିଏ ସିଇଓ ସୁବ୍ରତ ବେହେରା ଓ ନିଜେ ଭେଙ୍କଟପତି ରାଜୁ ଆଶା ରଖିଛନ୍ତି ।

ତେବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବାମହାତି ସ୍ପିନର ଭେଙ୍କଟପତି ରାଜୁ ଆଜି ବାରବାଟୀ ଷ୍ଟାଡିୟମ ଠାରେ ପହଞ୍ଚି ଖେଳାଳୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ସେ ଶନିବାର ଦିନ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଓସିଏ କର୍ମକର୍ତ୍ତା ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଆଜି ବାରବାଟୀ ଷ୍ଟାଡିୟମ ଠାରେ ରାଜୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶିକ୍ଷଣ ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ରିକେଟ ଆସୋସିଏସନର ସିଇଓ ସୁବ୍ରତ ବେହେରା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି, "ଓଡ଼ିଶାର ପାଞ୍ଚଟି ସ୍ଥାନରେ ଶିବିର ଆୟୋଜନ କରାଯାଇ ୪୬ ଜଣ ସ୍ପିନରଙ୍କୁ ମନୋନୀତ କରାଯାଇଛି । ଏମାନେ ଭେଙ୍କଟପତି ରାଜୁଙ୍କ ନେତୃତ୍ବରେ ୧୫ ଦିନ ତାଲିମ ଗ୍ରହଣ କରିବେ ।" ସେହିଭଳି ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ରାଜୁ କହିଛନ୍ତି, "ସ୍ପିନର ମାନଙ୍କର ଦକ୍ଷତା ଉପରେ ଗୁରୁତ୍ବ ଦିଆଯିବ । ଏହି କ୍ୟାମ୍ପ ମାଧ୍ୟମରେ ଓଡ଼ିଶାରୁ ଭଲ ସ୍ପିନର ବାହାରି ପାରିବେ । ଯାହା ଫଳରେ ଦଳକୁ ସଫଳତା ମିଳିବ ।" ବିଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ଟିମର ସ୍ପିନ ପ୍ରଦର୍ଶନ ଏତେ ଆଖି ଦୃଶିଆ ହୋଇନି । ତେଣୁ ଭେଙ୍କଟପତି ରାଜୁଙ୍କ ଓସିଏରେ ପଦାର୍ପଣ ଦଳକୁ ସ୍ପିନ ଦିଗରେ ଆହୁରି ଆଗକୁ ନେବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।"

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.