ସ୍ତ୍ରୀ ଜନ୍ମଦେଲା ମୃତ ଶିଶୁପୁତ୍ର, ମୃତଦେହକୁ ଅଳିଆ ଗଦାକୁ ଫିଙ୍ଗି ଚାଲିଗଲା ସ୍ବାମୀ

By ETV Bharat Odisha Team

Published : Dec 11, 2023, 6:55 AM IST

thumbnail

ଜଗତସିଂହପୁର: ସ୍ତ୍ରୀ ଜନ୍ମଦେଲା ମୃତ ଛୁଆ । ଅଳିଆ ଗଦାରେ ଫିଙ୍ଗି ଦେଇ ଚାଲିଗଲା ସ୍ବାମୀ । ଜଗତସିଂହପୁର ସହରର ମହାଦେବ କ୍ଲବ ନିକଟରେ ଏକ ନବ ଜାତକର ଗଳିତ ମୃତଦେହକୁ ଉଦ୍ଧାର କରିଛି ଜଗତସିଂହପୁର ପୋଲିସ । ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ମୟୁରଭଞ୍ଜ ଜିଲ୍ଲାର କିଛି ଶ୍ରମିକ ଇଟାଭାଟିରେ ରହି କାର୍ଯ୍ୟ କରୁଥିଲେ । ଗତ ଗୁରୁବାର ଦିନ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ହେବାପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କୁଜଙ୍ଗ ମେଡ଼ିକାଲ ପକ୍ଷରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ  ମହିଳା ଜଣଙ୍କ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବାପରେ ସେଠାରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁପୁତ୍ର ଜନ୍ମ ହେବାପରେ ସମ୍ପୃକ୍ତ ମହିଳାଙ୍କର ସ୍ୱାସ୍ଥ୍ୟ ଅଧିକ  ଗୁରୁତର ହୋଇଥିଲା । ପରେ ଜଗତସିଂହପୁର ମେଡ଼ିକାଲ କତ୍ତୃପକ୍ଷ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ହେଲେ ମହିଳାଙ୍କ ସ୍ୱାମୀ ମୃତ ଶିଶୁପୁତ୍ରକୁ ନେବାକୁ ଜିଦ ଧରିଥିଲେ । ନବ ଜାତକ ଶିଶୁଟିର ମୃତ୍ୟୁ ହୋଇଯାଇଛି ତାହାର ମୃତଦେହ ନନେବାକୁ କହିଥିଲେ ମେଡିକାଲ କର୍ତ୍ତୃପକ୍ଷ । କିନ୍ତୁ ମହିଳାଙ୍କ ସ୍ୱାମୀ ମୃତଦେହକୁ ନେବାକୁ ଜିଦ ଧରିବାରୁ ମେଡ଼ିକାଲ କର୍ତ୍ତୃପକ୍ଷ ନବ ଜାତକର ମୃତଦେହକୁ ତାଙ୍କୁ ହସ୍ତାନ୍ତର କରିଥିଲେ । ଅପର ପକ୍ଷରେ ଗୁରୁତର ପ୍ରସୂତି ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଥିଲା । ସେହି ଆମ୍ବୁଲାନ୍ସରେ ମହିଳାଙ୍କ ସ୍ୱାମୀ ମୃତଦେହକୁ ଧରି କଟକ ଯାଇଥିଲେ ଏବଂ ଯିବା ବାଟରେ ଶିଶୁର ମୃତଦେହକୁ ଫୋଫାଡ଼ି ଦେଇ ଚାଲିଯାଇଥିବା ପୋଲିସ ତଦନ୍ତରୁ ଜାଣିପାରିଛି । ଦୁଇଦିନ ପରେ ଆଜି ସହରର ଦେବୀଘର ନିକଟରେ ମୃତଦେହକୁ କୁକୁର ଖାଉଥିବା ଦେଖି ସ୍ଥାନୀୟ ଲୋକେ ଜଗତସିଂହପୁର ଥାନାକୁ ଖବର ଦେଇଥିଲେ । ଜଗତସିଂହପୁର ଥାନା ଅଧିକାରୀ ଗୋକୁଳାନନ୍ଦ ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହି ଘଟଣା ଜଣା ପଡିବା ପରେ ପୋଲିସ ଅଧିକ ତଦନ୍ତ ପାଇଁ ମୃତ ଶିଶୁର ବାପା ମାଆଙ୍କୁ ପଚରା ଉଚାର କରିବା ପାଇଁ କଟକ ଯାଇଥିବା ଜଣା ପଡ଼ିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.