ସୋରରେ ବିଜେପିର ପାଖ ମାଡି ପାରିବନି କଂଗ୍ରେସ ଓ ବିଜେଡି: ପର୍ଶୁରାମ ଧଡା - INTERVIEW WITH PARSHURAM DHADA

By ETV Bharat Odisha Team

Published : May 27, 2024, 6:21 PM IST

thumbnail
ସୋରରେ ବିଜେପିର ପାଖ ମାଡି ପାରିବନି କଂଗ୍ରେସ ଓ ବିଜେଡି: ପର୍ଶୁରାମ ଧଡା (ETV Bharat Odisha)

Lok Sabha Election 2024: ବାଲେଶ୍ୱର: ଶେଷ ପର୍ଯ୍ୟାୟରେ ବାଲେଶ୍ବର ଜିଲ୍ଲାରେ ହେବ ମତଦାନ । ଏହାକୁ ନେଇ ଜିଲ୍ଲାର ସୋର ନିର୍ବାଚନ ମଣ୍ଡଳୀରେ ରାଜନୀତି ଉଷ୍ଣତା ବେଶ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ପର୍ଶୁରାମ ଧଡା ଓ ବିଜେପି ଛାଡିଥିବା ରାକେଶ ମଲ୍ଲିକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟେପଟେ ରାକେଶ ମଲ୍ଲିକ ବିଜେପି ସଂଗଠନ ସଜାଡିଥିବା କଥା କହୁଥିବା ବେଳେ ଦଳ ତାଙ୍କ ପ୍ରତି ଅନ୍ୟାୟ କରିଥିବା ଅଭିଯୋଗ କରି ସେ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି । ଏହାରି ଭିତରେ ବିଜେପି ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରିଛି । ଶେଷ ମୁହୂର୍ତ୍ତରେ ବିଜେପି ପର୍ଶୁରାମଙ୍କୁ ଦଳୀୟ ଟିକଟ ପ୍ରଦାନ କରିଥିବା ବେଳେ ପର୍ଶୁରାମ ନିଜର ନିର୍ବାଚନୀ ପ୍ରଚାରକୁ ଗତିଶୀଳ କରାଇଛନ୍ତି । 

ରାକେଶ ମଲ୍ଲିକ, ପର୍ଶୁରାମ ଧଡାଙ୍କୁ କ୍ଷମତା ଲୋଭି ଏବଂ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ଦେଖାନ୍ତି ନାହିଁ ବୋଲି କହିଥିବା ବେଳେ ପର୍ଶୁରାମ ଧଡ଼ା ସେସବୁକୁ ଖଣ୍ଡନ କରିଛନ୍ତି । ଏନେଇ ପର୍ଶୁରାମ ଧଡା କହିଛନ୍ତି, "ରାକେଶଙ୍କୁ ମୁଁ ନିଜେ ଏବଂ ରାଜ୍ୟସ୍ତରୀୟ ନେତାମାନେ ବିଜେପିରେ ରହି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ଦଳର ସ୍ୱାର୍ଥ ଛାଡି ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇ ନିର୍ବାଚନ ଲଢ଼ୁଛନ୍ତି । ମୋ ପାଖରେ ବର୍ତ୍ତମାନ ନିଜର ସଂଗଠନ ସହ ବିଜେପି ଦଳ ରହିଛି । ଯେଉଁଥିପାଇଁ ସୋରବାସୀ ମୋତେ ଜିତାଇବେ । ସୋର ଦେଇ ବୋହିଥିବା କାଂଶବାଂଶ ନଈ ଜଳ କେମିତି ଚାଷୀମାନେ ପାଇ ପାରିବେ ଏହା ମୋର ପ୍ରଥମ ଅଗ୍ରାଧିକାର । ମୋର କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି । ବିଜେଡି କିମ୍ବା କଂଗ୍ରେସ ବିଜେପିର ପାଖ ମାଡ଼ିପାରିବେ ନାହିଁ । ସୋରରେ ବିଜେପିର ବିଜୟ ହେବ ।" 

ଏହା ମଧ୍ୟ ପଢ଼ନ୍ତୁ...ସୋର ବିଜେପି ପାଇଁ କଣ୍ଟା ହେବେ ରାକେଶ ! - Rakesh Targets Parshuram Dhada

ଅନ୍ୟପଟେ ରାକେଶ ପର୍ଶୁରାମଙ୍କୁ ଟାର୍ଗେଟ କରିଥିବା ବେଳେ ପର୍ଶୁରାମ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ଉଭୟ ଉଭୟଙ୍କୁ ଟାର୍ଗେଟ କରି ନିର୍ବାଚନ ବୈତରଣୀ ପାର ହେବାନେଇ ଆଶା ବାନ୍ଧିଥିବା ଦେଖିବାକୁ ମିଳିଛି । ପରପକ୍ଷେ ପର୍ଶୁରାମ ଧଡ଼ା ବିଜେପି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ସୁବ୍ରତ ଧଡ଼ା ଏବଂ ବିଜେଡିରେ ମାଧବ ଧଡ଼ା ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି । ତେବେ ବିଜେଡିର ଆଶାୟୀ ପ୍ରାର୍ଥୀ ଶିବାନୀ ଶଙ୍କର ରାୟ ସ୍ୱାଧୀନ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ ରାକେଶ ମଧ୍ୟ ପର୍ଶୁଙ୍କ ପାଇଁ କଣ୍ଟା ହେବାର ସମ୍ଭାବନା ରହିଥିବା କଥା ଆଲୋଚନା ହେଉଛି । ଏହାରି ଭିତରେ ଦୁଇ ଦଳର ପ୍ରାର୍ଥୀଙ୍କ କଳିରେ ତୃତୀୟ ଦଳ ଅର୍ଥାତ କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଧଡ଼ା ବାଜି ମାରିବା ଲକ୍ଷ୍ୟରେ ରହିଛନ୍ତି । ତେବେ ନିର୍ବାଚନକୁ ନେଇ ଇଟିଭି ଭାରତ ସହ ଅଧିକ ଆଲୋଚନା କରିଛନ୍ତି ପର୍ଶୁରାମ ଧଡା । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.