ସୋର ବିଜେପି ପାଇଁ କଣ୍ଟା ହେବେ ରାକେଶ ! - Rakesh Targets Parshuram Dhada

By ETV Bharat Odisha Team

Published : May 22, 2024, 10:32 PM IST

thumbnail
ସୋର ବିଜେପି ପାଇଁ କଣ୍ଟା ହେବେ ରାକେଶ ! (ETV Bharat Odisha)

Rakesh Mallik Targets Parshuram Dhada: ବାଲେଶ୍ବର: ରାଜ୍ୟରେ ଉଷ୍ମ ନିର୍ବାଚନୀ ମାହୋଲ ମଧ୍ୟରେ ଚର୍ଚ୍ଚାରେ ସୋର ବିଧାନସଭା ଆସନ । ଏଠାରେ ବିଜେପିର ବିଳମ୍ବିତ ନିଷ୍ପତ୍ତି ପାଇଁ ଦଳର ଦୁଇ ଜଣ ନେତାଙ୍କ ମଧ୍ୟରେ ଏତେ ଅସନ୍ତୋଷ ବୃଦ୍ଧି ହେଲା ଯେ, ଜଣେ ବିଜେପି ଛାଡି ବିଜେଡିରେ ମିଶିଗଲେ, ଆଉ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ନିଜକୁ ସାମିଲ କଲେ ।

ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା ଭିତରେ ରାଜେନ୍ଦ୍ର ଦାସଙ୍କ ନାମ ସୋର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ସେତେବେଳେ ସୋରର ବିଜେପି ନେତା ତଥା ୨୦୧୯ରେ ନିର୍ବାଚନ ଲଢ଼ିଥିବା ଏବଂ ବିଜେପିର ମଙ୍ଗ ସୋରରେ ସମ୍ଭାଳିଥିବା ରାକେଶ ମଲ୍ଲିକ ରାଜେନ୍ଦ୍ରଙ୍କ ପ୍ରାର୍ଥୀତ୍ବକୁ ନେଇ ବିରୋଧ କରିବା ସହ ପ୍ରାର୍ଥୀ ବଦଳାଇବା ପାଇଁ ଜୋରଦାର ଦାବି କରିଥିଲେ । ମାତ୍ର ଶେଷଦିନ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ମଧ୍ୟ କୌଣସି ପରିବର୍ତ୍ତନ ନହେବାରୁ ରାକେଶ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ । ଶେଷ ମୁହୂର୍ତ୍ତରେ ନାଟକୀୟ ଢଙ୍ଗରେ ରାଜେନ୍ଦ୍ର ଦାସଙ୍କ ଟିକଟ କାଟି ବିଜେଡି ଛାଡ଼ି ଆସିଥିବା ପର୍ଶୁରାମ ଧଡ଼ାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏକାକୀ ନିଜ ସଂଗଠନ ଏବଂ କର୍ମକାର୍ତ୍ତାଙ୍କୁ ନେଇ ନିର୍ବାଚନ ଲଢ଼ିବା ପାଇଁ ରାକେଶ ଏକ ପ୍ରକାର ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଏବେ ସେ ସିଧାସଳଖ ଭାବେ ବିଜେପି ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ାଙ୍କୁ ଟାର୍ଗେଟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗୋଳିଆ ହେଲା ସୋରର ପଦ୍ମ ପୋଖରୀ, ରାଜୁଙ୍କ ବଦଳରେ ପର୍ଶୁରାମଙ୍କୁ ଟିକଟ - SORO ASSEMBLY CONSTITUENCY

ରାକେଶ କହିଛନ୍ତି, "ପର୍ଶୁରାମ ଜଣେ କ୍ଷମତା ଲୋଭୀ ମଣିଷ । ସେ କେବେ ସାଧାରଣ ଲୋକଙ୍କୁ ଉଚିତ ସମ୍ମାନ ଦିଅନ୍ତି ନାହିଁ । ବିଜେଡି ତାଙ୍କୁ ଟିକଟ ନଦେବା ପରେ ସେ ବିଜେପିରେ ନିଃସର୍ତ୍ତ ଭାବେ ମିଶିଥିଲେ । ମାତ୍ର ଦଳର ନିଷ୍ପତ୍ତି ଅନୁସାରେ ସେ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ । ସୌଜନ୍ୟତା ଦୃଷ୍ଟିରୁ ଗୋଟିଏ ଜାଗାରେ ଉଭୟ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ସେ ମୋ ସହ କଥା ପଦେ ମଧ୍ୟ ହେଲେ ନାହିଁ । ଦୁଇଥର ବିଜେଡିରୁ ବିଧାୟକ ହେବାପରେ ଏବେ ପୁଣି କ୍ଷମତା ଲୋଭରେ ସେ ବିଜେପିରେ ସାମିଲ ହୋଇଛନ୍ତି । ମାତ୍ର ଏଥର ତାଙ୍କର ସ୍ବପ୍ନ ପୂରଣ ହେବାର କୌଣସି ସୁଯୋଗ ସୃଷ୍ଟି ହେବନାହିଁ ।" ବିଜେପି ଅବଶ୍ୟ ରାକେଶଙ୍କୁ ଦଳରୁ ବହିଷ୍କାର କରିଛି, ହେଲେ ରାକେଶ ନିଜ ପ୍ରଚାରରେ ବିଜେପି ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଅପିଲ କରୁଥିବା କହିଛନ୍ତି । ତେବେ ରାକେଶ ପର୍ଶୁରାମଙ୍କ ପାଇଁ କଣ୍ଟା ହେବେ କି ନାହିଁ, ତାହା ସମୟ କହିବ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.