ଅବସରପ୍ରାପ୍ତ କର୍ମଚାରୀଙ୍କ ବଢୁଛି ଦୁଃଖ, ମିଳୁନି ପେନ୍‌ସନ୍‌

By

Published : Jun 1, 2023, 4:29 PM IST

thumbnail

ବାଲେଶ୍ବର: ଅବସରପ୍ରାପ୍ତ କର୍ମଚାରୀଙ୍କୁ EPF ଓ ଗ୍ରାଚ୍ୟୁଟି ଦାବିରେ ଧାରଣା। ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ୍‌-୧ରେ ଦୀର୍ଘବର୍ଷ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିବା କର୍ମଚାରୀମାନଙ୍କୁ ଓ ମୃତ କର୍ମଚାରୀମାନଙ୍କ ପତ୍ନୀଙ୍କୁ ପ୍ରାପ୍ୟ ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ EPF ସଂସ୍ଥାରୁ ପେନସନ୍ ଓ ଅବସରପରେ ଗ୍ରାଚ୍ୟୁଇଟି ଦାବିକରି ବହୁ ବୟସ୍କ କର୍ମଚାରୀ ଡିଭିଜନ୍ ଅଫିସ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।  

ଅଭିଯୋଗ ଅନୁସାରେ, ଇପିଏଫ୍ ସଂସ୍ଥା ସେମାନଙ୍କୁ ପେନସନ୍ ଦେଉନଥିବାବେଳେ ଡି.ଏଲ.ଆର, ୱାର୍କଚାର୍ଜ୍‌ ଓ ରେଗୁଲାର କାର୍ଯ୍ୟକାଳର ଗ୍ରାଚ୍ୟୁଇଟି ମଧ୍ୟ ପ୍ରଦାନ କରାଯାଉନାହିଁ । ଡିଭିଜନ୍‌ କର୍ତ୍ତୃପକ୍ଷଙ୍କୁ ବହୁ ଆବେଦନ ଓ ନିବେଦନ ପରେ ମଧ୍ୟ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ଆଇନଗତ ପ୍ରାପ୍ୟ ପ୍ରଦାନରେ ଚରମ ଅବହେଳା କରାଯାଉଥିବାରୁ ସେମାନେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ଏପରକି କେତେକ କର୍ମଚାରୀ ଆର୍ଥିକ ଅନଟନ ଓ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପତ୍ନୀମାନେ ସ୍ଵାମୀଙ୍କ ଫଟୋଚିତ୍ର ପାଖରେ ରଖି ଧାରଣାରେ ବସିଥିବାର ଦେଖାଯାଇଥିଲା ।  

ସେହିପରି ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ପ୍ରବଳ ଗ୍ରୀଷ୍ମ ସତ୍ତ୍ଵେ ସେମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରଖିବେ ବୋଲି ଧାରଣାରତ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ଏହି ବରିଷ୍ଠ କର୍ମଚାରୀମାନଙ୍କ ଆଇନଗତ ଦାବି ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ ଜଣାଇ ଗୌରାଙ୍ଗ ପାଣିଗ୍ରାହୀ, ପ୍ରେମରଞ୍ଜନ ପାତ୍ର, ଶିଶିର ହୁଈଙ୍କ ଭଳି ପ୍ରମୁଖ ନେତାମାନେ ସାମିଲ ହୋଇଥିଲେ ।

ସୂଚନା ଅନୁସାରେ, ଗତ ଦେଢ଼ ମାସ ତଳେ ଏହି ଦାବି ନେଇ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଥିଲା । ସେତେବେଳେ ଏହି ସମସ୍ୟାର ସମାଧାନ ଏକ ମାସ ଭିତରେ ସମାଧାନ କରାଯିବ ନେଇ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ମାତ୍ର ମାସେ ପୁରିବା ପରେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଛି । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.