Weather Update: ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ, 9 ଜିଲ୍ଲାକୁ ୟେଲୋ ଆଲର୍ଟ

By ETV Bharat Odisha Team

Published : Sep 21, 2023, 7:39 PM IST

thumbnail

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ଝାଡଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଏହା ଆଗାମୀ 2 ଦିନ ପର୍ଯ୍ୟନ୍ତ ଝାଡଖଣ୍ଡ ଏବଂ ଦକ୍ଷିଣ ବିହାର ମଧ୍ୟ ଦେଇ ଗତି କରିବ । ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେବେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଆଦି 9 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଦିନକ ପରେ ଅର୍ଥାତ୍ ୨୩ ତାରିଖ ପର ଠାରୁ ବର୍ଷାର ପରିମାଣ କମିବ।

ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା ଜିଲ୍ଲାର ସିନାପାଲିଠାରେ ୧୨୪ ମିଲିମିଟର ବର୍ଷା ହୋଇଛି । ଏହାସହ ୨୦ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ୨୪ ଘଣ୍ଟାରେ ହାରାହାରି ୨୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୮.୮ ମିଲିମିଟର ତୁଳନାରେ ୨୦୩ ପ୍ରତିଶତ ଅଧିକ ରହିଛି । ତେବେ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୫. ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଏହା ସ୍ୱାଭାବିକ ବର୍ଷା ୧୮୫.୪ ମିଲିମିଟର ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି । 

ଏହା ବି ପଢନ୍ତୁ...୪ ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହିରିମୂଳ: ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ


ଅନ୍ୟପଟେ ଚଳିତ ବର୍ଷ ମୌସୁମୀ ଋତୁରେ ୧୦୬୮.୩ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିବାବେଳେ ଏହା ସ୍ଵାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ ନିଅଣ୍ଟିଆ ରହିଛି। ସେହିପରି କେନ୍ଦ୍ରାପଡ଼ା, ନବରଙ୍ଗପୁର,କଳାହାଣ୍ଡି ଆଦି ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି । ଏହାସହ ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଅନ୍ୟ ୨୫ ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଛି।
 

ଇଟିଭି ଭାରତ, ଭୁବନେଶ୍ବର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.