ବୁଢୀ ଠାକୁରାଣୀ ଯାତ୍ରାରେ ସାମୁହିକ ବେଶ, ଗାନ୍ଧୀନଗରର ୧୦୮ ହନୁମାନ ବେଶ ସାଜିଲା ମୁଖ୍ୟ ଆକର୍ଷଣ

By

Published : Apr 25, 2023, 10:10 PM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାର ଅନ୍ୟତମ ଆକର୍ଷଣ ରହିଥାଏ ସାମୁହିକ ବେଶ ପରମ୍ପରା । ମା'ଙ୍କର ଯାତ୍ରାର ଶେଷ ପର୍ଯ୍ୟାୟରେ ବିଭିନ୍ନ ସାହିରେ ସାମୁହିକ ବେଶ ବାହାରି ସହର ପରିକ୍ରମା କରିବାର ଦୃଶ୍ୟ ରହିଥାଏ ଏକ ନିଆରା । ଠାକୁରାଣୀ ଯାତ୍ରା ସମୟରେ ସହରର ଗାନ୍ଧୀନଗର ଅଞ୍ଚଳର ୧୦୮ ହନୁମାନ ବେଶ ରହିଥାଏ ଅନ୍ୟତମ ଆକର୍ଷଣ । ୧୦୮ ହନୁମାନ ବେଶରେ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ବିଭନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ସାମିଲ ହେବା ପରେ ସେମାନେ ବିଭିନ୍ନ ସାହିକୁ ପରିକ୍ରମା କରିଥାନ୍ତି । ଚଳିତ ବର୍ଷ ଗାନ୍ଧୀନଗରର ୧୦୮ ହନୁମାନ ବେଶ ସାଜିଛି ମୁଖ୍ୟ ଆକର୍ଷଣ ।  

ଏପରିକି ସାମୁହିକ ହନୁମାନଙ୍କ ସହିତ ଏହି ବେଶରେ ରାମ, ଲକ୍ଷ୍ମଣ, ସୀତା, ରାବଣଠାରୁ ଆରମ୍ଭ କରି ରାମାୟଣ ଚରିତ୍ରରେ ରହିଥିବା ଅନେକ ବେଶଧାରୀଙ୍କ ସାମୁହିକ ଭାବରେ ସହର ପରିକ୍ରମା କରିବାର ଦୃଶ୍ୟକୁ ସମସ୍ତେ ମନ ଭରି ଉପଭୋଗ କରିବା ପାଇଁ ଅପେକ୍ଷା କରି ରହିଥାନ୍ତି । ଏପରିକି ହନୁମାନ ବେଶଧାରୀ ଶିଶୁ ଓ ବାଳକମାନେ ରାସ୍ତାର ପାର୍ଶ୍ବରେ ବନ୍ଧାଯାଇଥିବା ବିଭିନ୍ନ ଖାଦ୍ୟ ପଦାର୍ଥକୁ ପରସ୍ପର ମଧ୍ୟରେ ଡେଇଁ ଡେଇଁ ସଂଗ୍ରହ କରିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏଥିସହ ସାମୁହିକ ପରିକ୍ରମା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଗତ ୨୦୦୫ ମସିହାରୁ ବ୍ରହ୍ମପୁର ସହରର ଗାନ୍ଧୀନଗର ଅଞ୍ଚଳରେ ଏପରି ୧୦୮ ହନୁମାନ ବେଶକୁ ସ୍ଥାନୀୟ ହନୁମାନ କମିଟିର ଉଦ୍ୟମ କ୍ରମେ ପ୍ରତ୍ୟେକ ଥର ଯାତ୍ରାର ଶେଷ ପର୍ଯ୍ୟାୟରେ ଏଭଳି ସାମୁହିକ ବେଶ ପ୍ରସ୍ତୁତ କରାଯାଏ ।  

ଏହା ବି ପଢନ୍ତୁ- ବ୍ରହ୍ମପୁରର ଠାକୁରାଣୀ ଯାତ୍ରା: ଗୁରୁନାନକଙ୍କ ବେଶରେ ଗାଁ ପିରକ୍ରମା କରନ୍ତି ଯୁବପିଢି

ଗତ ବର୍ଷ ମା'ଙ୍କ ଯାତ୍ରା ସମୟରେ କୋଭିଡ କଟକଣା ଯୋଗୁଁ ଅଞ୍ଚଳର ମାନସିକଧାରୀମାନେ ବେଶରେ ସାମିଲ ହୋଇପାରିନଥିବା ବେଳେ ଚଳିତବର୍ଷ ଯାତ୍ରାରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏପରି ସାମୁହିକ ବେଶ ବାହାରିବା ସମୟରେ ଅତିଥି ଭାବରେ ବ୍ରହ୍ମପୁରର ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣ ବିବେକ ଏମ୍ ଉପସ୍ଥିତ ରହିଥିବା ବେଳେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏଥିରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଗାନ୍ଧୀନଗର ଅଞ୍ଚଳର ୧୦୮ ହନୁମାନ ସାମୁହିକ ବେଶରେ ସାମିଲ ହୋଇଥିବା ମାନସିକଧାରୀ, ସ୍ଥାନୀୟ ବାସିନ୍ଦା ଏବଂ ସହରର ବୁଦ୍ଧିଜୀବୀ, ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.