ସ୍କୁଲରେ ପଶିଲା ଭାଲୁ, ବନ୍ଦ ରହିଲା ପାଠପଢା

By

Published : Jul 24, 2023, 8:17 PM IST

thumbnail

ନବରଙ୍ଗପୁର: ସ୍କୁଲ ପରିସରରେ ଦେଖିବାକୁ ମିଳିଛି ଭାଲୁ । ଯାହାଫଳରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଞ୍ଚଳବାସୀ ସମସ୍ତେ ଭୟଭୀତ ହୋଇପଡିଛନ୍ତି। ସୂଚନା ଅନୁସାରେ, ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ 4ଟି ଭାଲୁ ଦେଖିବାକୁ ମିଳିଛି । ମା' ଭାଲୁ ସହିତ 2ଟି ଛୁଆ ରହିଛନ୍ତି। ଏପରିକି ସ୍କୁଲର ଦୁଇ ଶୌଚାଳୟରେ ମଧ୍ୟ ଭାଲୁମାନଙ୍କୁ ଠାବ କରାଯାଇଛି। ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବାବେଳେ ବର୍ତ୍ତମାନ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହାସହ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀଙ୍କୁ ମିଶାଇ ୧୬ଜଣ ରହିଛନ୍ତି । ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । 

ସୋମବାର ସକାଳେ ରାତ୍ରି ଜଗୁଆଳି ୬ ଟି ଭାଲୁ ଦେଖିଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ଅପରପକ୍ଷେ, ସ୍କୁଲ ଛାତ୍ରଛାତ୍ରୀମାନେ ଭୟରେ ରହିଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲକୁ ଛୁଟି କରାଯାଇଥିଲା l ଘଟଣାସ୍ଥଳରେ ନବରଙ୍ଗପୁର ରେଞ୍ଜର ବନ କର୍ମଚାରୀ ଉପସ୍ଥିତ ରହି ଭାଲୁର ଗତିବିଧି ଉପରେ ନଜର ରଖିଥିଲେ l ତେବେ ଭାଲୁ ଦେଖାଯିବା ଜିଲ୍ଲାରେ ନିତି ଦିନିଆ ଘଟଣା ହୋଇଥିବାବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବାର ନଜର ଆସୁଛି l 

ଏହା ମଧ୍ୟ ପଢନ୍ତୁ...କୋଇଡା ବନାଞ୍ଚଳରେ ଆତଙ୍କ ଖେଳାଉଛି ହାତୀ, ସପ୍ତାହକରେ ଗଲାଣି ୨ ଜୀବନ

ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, "ଏହି ସ୍କୁଲ ପରିସରରେ ପ୍ରତିଦିନ ସନ୍ଧ୍ୟାରେ ଭାଲୁ ଆସନ୍ତି । ସକାଳ ହେଲେ ଜଙ୍ଗଲକୁ ଚାଲି ଯାଆନ୍ତି । କିନ୍ତୁ ଆଜି ଭାଲୁ ଆଉ ନଯାଇ ସ୍କୁଲ ପରିସରରେ ରହିଯାଇଛି । ତେଣୁ କୌଣସି ଅଘଟଣ ନ ହେଉ ସେଥିପାଇଁ ଆଗୁଆ ପିଲାଙ୍କୁ ଛୁଟି କରାଯାଇଛି l"
 

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.