Matric Result:ରାଜ୍ୟରେ ପଞ୍ଚମ ସ୍ଥାନ ଅଧିକାର କଲା ବରଗଡ଼ ଜିଲ୍ଲା

By

Published : May 18, 2023, 10:51 PM IST

thumbnail

ବରଗଡ: ଆଜି ପ୍ରକାଶ ପାଇଛି  ମାଟ୍ରିକ ପରୀକ୍ଷା ଫଳ । ସର୍ବାଧିକ ଛାତ୍ରଛାତ୍ରୀଙ୍କ ପାସ ହାର ତାଲିକାରେ ସାରା ରାଜ୍ୟରେ ବରଗଡ଼ ଜିଲ୍ଲାରେ ପଞ୍ଚମ ସ୍ଥାନରେ ରହିଛି l ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାସ ହାର 97. 22 ପ୍ରତିଶତ ରହିଛି । ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ସମୁଦାୟ 105 ଜଣ ପରୀକ୍ଷାର୍ଥୀ A1 ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି 97.22 ପ୍ରତିଶତ ରେଗୁଲାର ପରୀକ୍ଷାର୍ଥୀ ସଫଳତା ହାସଲ କରିଥିବା ବେଳେ 50 ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ 82 ପ୍ରତିଶତ ସଫଳତା ପାଇଛନ୍ତି l  

ଚଳିତ ଶିକ୍ଷାବର୍ଷ ବରଗଡ଼ ଜିଲ୍ଲାର 318 ଗୋଟି ସ୍କୁଲରୁ ସମୁଦାୟ 17573 ଜଣ ଛାତ୍ରଛାତ୍ରୀ ମାଟ୍ରିକ ଶ୍ରେଣୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ 268 ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ ଏବଂ 3 ଜଣ ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଟିସ (MP)ରେ ଧରା ପଡ଼ିଥିଲେ l ତେବେ ଆଜି ମାଟ୍ରିକ  ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସମୁଦାୟ ବରଗଡ଼ ଜିଲ୍ଲାର ସମୁଦାୟ 17084 ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି l ସେମାନଙ୍କ ମଧ୍ୟରୁ A1 ଗ୍ରେଡ 105 ଜଣ ଛାତ୍ରଛାତ୍ରୀ ପାଇଥିବା ବେଳେ  A2 ଗ୍ରେଡ 801 ଜଣ, B 1 ଗ୍ରେଡ 2699 ଜଣ, B2 ଗ୍ରେଡ 4413 ଜଣ, C ଗ୍ରେଡ 4275 ଜଣ, D ଗ୍ରେଡ  3073 ଜଣ, E ଗ୍ରେଡ୍‌ 1718 ଜଣ ଏବଂ F ଗ୍ରେଡ୍‌  218 ଜଣ ଛାତ୍ରଛାତ୍ରୀ ପାଇଛନ୍ତି l  

ତେବେ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ମୋଟ 8104 ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଉତ୍ତୀର୍ଣ୍ଣ ଛାତ୍ରୀଙ୍କ ସଂଖ୍ୟା 8980 ରହିଛି l ଚଳିତ ବର୍ଷ ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଦଶମ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଛନ୍ତି  l ଅନ୍ୟପଟେ ବରଗଡ଼ ଜିଲ୍ଲାରେ ଗତ 7 ବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳ ପ୍ରତିବର୍ଷ ଧୀରେଧୀରେ ଭଲ ରହୁଥିବା ଜଣାପଡ଼ିଛି  l ବରଗଡ଼ ଜିଲ୍ଲା ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳାଫଳରେ ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗର ଶିକ୍ଷା ପ୍ରଣାଳୀକୁ ବେଶ ପ୍ରଶଂସା କରାଯାଇଛି । ତେବେ ଏହି ସଫଳତାର ଶ୍ରେୟ ଜିଲ୍ଲାରେ ଉନ୍ନତ ଶିକ୍ଷା ପ୍ରଣାଳୀ, ଛାତ୍ରଛତ୍ରୀଙ୍କ ଆଗ୍ରହ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚେଷ୍ଟା ଏବଂ ଅଭିଭାକଙ୍କ ସଚେତନତା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.