ETV Bharat / sukhibhava

କମିନି କୋରୋନା କୋପ: ପ୍ରତି 4 ମିନିଟ୍‌ରେ ଯାଉଛି ଜଣଙ୍କ ଜୀବନ

author img

By

Published : May 25, 2023, 12:04 PM IST

Covid Still Kills One Person Every Four Minutes
Covid Still Kills One Person Every Four Minutes

ଏବେ ବି ପ୍ରତି 4 ମିନିଟରେ ଯାଉଛି ଜଣକର ଜୀବନ ନେଉଛି କୋଭିଡ ମହାମାରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହାମାରୀ ତାଲିକାରୁ ନାଁ ହଟିଛି କିନ୍ତୁ କମିନି କୋରୋନା କୋପ । ଏବେବି ପ୍ରତି 4 ମିନିଟରେ କୋଭିଡ ନେଉଛି ଜଣଙ୍କ ଜୀବନ । କୋଭିଡକୁ ନେଇ ଚକିତ କଲାଭଳି ରିପୋର୍ଟ ପ୍ରକାଶ କରିଛି ବ୍ଲୁମବର୍ଗ । ରିପୋର୍ଟ ଅନୁସାରେ ପ୍ରତି 4 ମିନିଟରେ ଜଣେ କୋରୋନାରେ ଆଖି ବୁଜୁଛନ୍ତି ।

ସୂଚନା ଥାଉକି, ଗତ ମେ’ 5 ତାରିଖରେ କୋରୋନାକୁ ନେଇ ବଡ ଘୋଷଣା କରିଥିଲା ହୁ । କୋଭିଡ-୧୯କୁ ବିଶ୍ବ ମହାମାରୀ ତାଲିକାରୁ ହଟାଯାଇଥିବା ନେଇ ଘୋଷଣା କରାଯାଇଥିଲା । କିନ୍ତୁ ତଥାପି ବିଶ୍ବରୁ ଯାଇନି କୋରୋନା ମହାମାରୀ । ପ୍ରତି ଚାରି ମିନିଟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, କମ ଟିକାକରଣ ହୋଇଥିବା ଦେଶରେ କୋରାନାର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଗତ ବର୍ଷ ହୃଦଘାତ ଏବଂ କର୍କଟ ପରେ ଆମେରିକାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଥିଲା । କିନ୍ତୁ ଏହାକୁ କିପରି ବ୍ରେକ ଦିଆଯିବା ବା ମାତ ଦିଆଯାଇ ପାରିବ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଉଦାହରଣ ସ୍ୱରୂପ, ଆବଶ୍ୟକ ଟୀକାକରଣ ଏବଂ ମାସ୍କ ବ୍ୟବହାର ଉପରେ ଧ୍ୟାନ ଦିଆଯାଉନାହିଁ ।

ଭେଟେରାନ୍ସ ଆଫେୟାର୍ସ ସେଣ୍ଟରେ କ୍ଲିନିକାଲ୍ ଏପିଡେମୋଲୋଜି ସେଣ୍ଟରର ନିର୍ଦ୍ଦେଶକ ଜିଆଦ ଅଲ୍-ଅଲି କହିଛନ୍ତି," କୋଭିଡ୍ ଅନେକ ଲୋକଙ୍କୁ ପ୍ରଭାବିତ କରୁଛି । ଏହାର ମୁକାବିଲା କରିବାର ମଧ୍ୟ ଉପାୟ ରହିଛି । ସାରା ବିଶ୍ବ ଚାହେଁ ମହାମାରୀରୁ ମୁକ୍ତି କିନ୍ତୁ କିଛି ନକରି ଶୋଇ ରହିଲେ ଆମେ ଲକ୍ଷ୍ୟ ହାସଲ କରିପାରିବୁ ନାହିଁ ।"

ଏହା ମଧ୍ୟ ପଢନ୍ତୁ: ବିଶ୍ବବାସୀଙ୍କୁ WHOର ଚେତାବନୀ, ଆଗାମୀ ମହାମାରୀ ପାଇଁ ପ୍ରସ୍ତୁତ ରୁହ

କହିରଖୁଛୁ କି, କୋଭିଡ-୧୯କୁ ବିଶ୍ବ ମହାମାରୀ ତାଲିକାରୁ ହଟାଇବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଘୋଷଣା ପରେ ଅନେକ ଦେଶରେ ସରକାର କଟକଣାକୁ ହଟେଇ ଦେଇଛନ୍ତି । ମହାମାରୀ ପୂର୍ବ ପର୍ଯ୍ୟାୟରେ ଅଧିକ ଖର୍ଚ୍ଚ କରିବା ପରେ ଏବଂ ବିଶ୍ବନେତାମାନେ ସବୁ କିଛି ସ୍ବଭାବିକ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ବିଶ୍ବରେ ଅତି କମରେ 20 ନିୟୁତ ଲୋକଙ୍କର ମୃତ୍ୟୁର କାରଣ ସାଜିଥିବା ଭୂତାଣୁ ସଂକ୍ରମଣ ଜାରି ରହିଛି ।

କହିବାକୁ ଗଲେ କିଛି ସପ୍ତାହ ପୂର୍ବରୁ ଭାରତରେ କୋରୋନା ଭୂତାଣୁ ଦ୍ରୁତ ଗତିରେ ମାଡି ଚାଲିଥିଲା । ଏହି କାରଣରୁ, ଦେଶରେ ପୁଣି ଥରେ କୋଭିଡ ଡାକ୍ତରଖାନା ସକ୍ରିୟ ହେଲା । ଜାତୀୟ ସ୍ତରରେ ମକ୍ ଡ୍ରିଲ୍ ଆରମ୍ଭ ହୋଇଥିଲା । କିନ୍ତୁ କିଛି ଦିନ ପରେ ପୁଣି କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା । ବିଶେଷଜ୍ଞଙ୍କ ମତରେ କୋଭିଡକୁ ନେଇ ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ସବୁ ଦେଶର ସରକାର ଏଥିରୁ ସ୍ଥାୟୀ ମୁକ୍ତି ପାଇଁ ଚିନ୍ତା କରିବା ଆବଶ୍ୟକ । ଦେଶରେ ଟିକାକରଣ ଏବଂ ସଚେତନ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ପ୍ରକାଶଥାଉକି, ଗତକାଲି ବିଶ୍ବବାସୀଙ୍କୁ ହୁ ପକ୍ଷରୁ ଚେତାବନୀ ଦିଆଯାଇଥିଲା । କୋଭିଡ ଠାରୁ ଆହୁରି ଭୟଙ୍କର ମହାମାରୀ ଆସୁଛି, ଏବେ ଠାରୁ ସଜାଗ ହୋଇଯାଆନ୍ତୁ ବୋଲି ବିଶ୍ବବାସୀଙ୍କୁ ଚେତାବନୀ ଦେଇଥିଲେ ହୁ ମୁଖ୍ୟ । ଏହାକୁ ନେଇ ବିଶ୍ବବାସୀଙ୍କ ମନରେ ଛନକା ପସିଥିଲା ବେଳେ ଏହି କୋଭିଡ ରିପୋର୍ଟ ପ୍ରକାଶ ପାଇବା ପରେ ଭୟ ଦ୍ବିଗୁଣିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.