ETV Bharat / state

ପାଖେଇ ଆସୁଛି ନୂଆଖାଇ, ନବାର୍ଣ୍ଣ ତିଥିରେ ମାଆ ସୁରେଶ୍ୱରୀଙ୍କୁ ଲାଗି ହୁଏ ନିରାମିଷ ନୈବେଦ୍ୟ

author img

By ETV Bharat Odisha Team

Published : Sep 3, 2023, 3:54 PM IST

maa sureswari temple
maa sureswari temple

ନୂଆଖାଇରେ ମାଆ ସୁରେଶ୍ବରୀଙ୍କୁ ନିକଟରେ ନବାର୍ଣ୍ଣ ତିଥିରେ ଲାଗିହୁଏ ନିରାମିଷ ନୈବେଦ୍ୟ । ଅଧିକ ପଢନ୍ତୁ

ପାଖେଇ ଆସୁଛି ନୂଆଖାଇ

ସୋନପୁର: ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏହି ପର୍ବରେ ଚାଷୀ ବର୍ଷର ଉତ୍ପାଦିତ ପହିଲି ଶସ୍ୟକୁ ନିଜ ଇଷ୍ଟ ଦେବା ଦେବୀଙ୍କ ପାଖରେ ସମର୍ପଣ କରି ନବାର୍ଣ୍ଣ ଗ୍ରହଣ କରିବ। ସୋନପୁର ଗଡ଼ଜାତରେ ନୂଆଖାଇରେ ଏହି ପରମ୍ପରାର ବେଶ ଗୁରୁତ୍ବ ରହିଛି । ଇଷ୍ଟ ଦେବୀ ମାଆ ସୁରେଶ୍ବରୀଙ୍କୁ ନିକଟରେ ନବାର୍ଣ୍ଣ ଲାଗି ହୋଇଥାଏ । ବର୍ଷକର 364 ଦିନ ଏଠାରେ ଆମିଷ ନୈବେଦ୍ୟ ଅର୍ପଣ କରାଯାଉଥିବା ବେଳେ ନାବାର୍ଣ୍ଣ ତିଥିରେ ନିରାମିଷ ନୈବେଦ୍ୟ ମାଆଙ୍କୁ ଅର୍ପଣ କରାଯାଇଥାଏ ।

ଏହି ଗୋଟିଏ ଦିନ ଦେବୀଙ୍କ ପାଇଁ ନିରାମିଷ ଅନ୍ନ ବ୍ୟଞ୍ଜନ ସାଙ୍ଗକୁ ପିଠା, ପଣା ଆଦି ତିଆରି କରି ସମର୍ପଣ କରାଯାଇଥାଏ । ପରୁହାଁ ଦେବୀଙ୍କ ପାଖରେ ପାହୁରରେ ଆସିଥିବା ଦ୍ରବ୍ୟାଦିରେ ପଞ୍ଚାମୃତ ଓ ନବାର୍ଣ୍ଣ ପ୍ରସ୍ତୁତ କରି ସମର୍ପଣ କରିବା ପରେ ଅନ୍ୟାନ୍ୟ ନୈବେଦ୍ୟ ଅର୍ପଣ କରାଯାଏ । ତାପରେ ସୋନପୁର ଗଡଜାତ ଓ ବୌଦ୍ଧଗଡର ପଞ୍ଚରା ଅଞ୍ଚଳବାସୀ ଆନନ୍ଦ ଉଲ୍ଲାସର ସହିତ ନବାର୍ଣ୍ଣ ପାଳନ କରି ଜୁହାର ଭେଟ , ନୂଆଖାଇ ଖେଲ ଓ ନୂଆଖାଇ ଭେଟଘାଟ ଆଦି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥାନ୍ତି । ତେବେ ସୋନପୁର ଗଡଜାତରେ ଅଷ୍ଟଚଣ୍ଡୀଙ୍କ ପୀଠ ଭିନ୍ନ ଭିନ୍ନ ପର୍ବରେ ପ୍ରମୁଖ ଭୂମୀକା ଗ୍ରହଣ କରୁଥିବା ବେଳେ ନବାର୍ଣ୍ଣ ପରି ଏକ ପ୍ରମୁଖ ତିହାରରେ ଦେବୀ ମାଆ ସୁରେଶ୍ବରୀ ସର୍ବାଗ୍ରେ ପୂଜିତା ହୋଇ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନୂଆଖାଇ ପାଇଁ ସ୍ୱତନ୍ତ୍ର ଧାନ ବିହନ, ନବାନ୍ନ ଅନୁମୋଦିତ

ଗଡ଼ଜାତ ଶାସନ ଅମଳରୁ ନୂଆଖାଇ ପାଇଁ ପଣ୍ଡିତ ମହାସଭା ବଡ଼ ଜଗନ୍ନାଥଙ୍କ ମଣ୍ଡପରେ ବସି ଇଷ୍ଟ ଦେବୀ ମାଆ ସୁରେଶ୍ବରୀଙ୍କ ନାଁରେ ଲଗ୍ନ ନିର୍ଣ୍ଣୟ କରନ୍ତି । ଚୌହାନ ଶାସକମାନେ ଏହି ଦାୟିତ୍ବ ନିର୍ବାହ କରୁଥିବା ବେଳେ ଏବେ ସଦର ପୌର ପରିଷଦ କର୍ତ୍ତୃପକ୍ଷ ସୋନପୁର ଗଡ଼ଜାତ ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ଏହି ଲଗ୍ନ ନିର୍ଣ୍ଣୟ କରି ଆସୁଛନ୍ତି । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ତିଥିରେ ଲଗ୍ନ ନିର୍ଣ୍ଣୟ କରିବା ପରମ୍ପରା ଚାଲି ଆସିଛି । ତେବେ ଇଷ୍ଟ ଦେବୀ ମାଆ ସୁରେଶ୍ବରୀଙ୍କ ଆଦ୍ୟ ଅକ୍ଷର ସ'କୁ ନେଇ ଲଗ୍ନ ନିର୍ଣ୍ଣୟ କରାଯାଇଥାଏ ।

ସେହିପରି ଅମୃତ ବେଳାରେ ନବାର୍ଣ୍ଣ ସମର୍ପଣ ଲଗ୍ନ ସ୍ଥିର କରାଯାଉଥିବା ବେଳେ ଅଷ୍ଟ ଚଣ୍ଡୀଙ୍କ ପୀଠକୁ ପାହୁର ନେବା ପାଇଁ ପାହୁର ଯାତ୍ରାର ବି ଲଗ୍ନ ନିର୍ଦ୍ଧାରଣ କରାଯାଏ । ନବାର୍ଣ୍ଣ ତିଥିରେ ଦେବୀ ମାଆ ସମଲେଇଙ୍କ ପୀଠରୁ ଇଷ୍ଟ ଦେବୀ ମାଆ ସୁରେଶ୍ବରୀଙ୍କ ପୀଠକୁ ପାହୁର ପହଞ୍ଚିବା ପରେ ନିର୍ଦ୍ଧାରିତ ଲଗ୍ନରେ ଦେବୀ ମାଆ ସୁରେଶ୍ବରୀଙ୍କୁ ନବାର୍ଣ୍ଣ ସମର୍ପଣ କରାଯାଏ । ଇଷ୍ଟ ଦେବୀଙ୍କୁ ନବାର୍ଣ୍ଣ ମନ୍ତ୍ରରେ ପୂଜା ଆରାଧନା କରିବା ପରେ ନବାର୍ଣ୍ଣ ନୈବେଦ୍ୟ ସମର୍ପଣ ପୂର୍ବକ ନୂଆଁଖାଇ ପାଳନ କରାଯାଏ ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.