ETV Bharat / state

ମାଙ୍କ ଆଗମନରେ ଝଲସୁଛି ସୁବର୍ଣ୍ଣପୁର, ଅଷ୍ଟଚଣ୍ଡୀଙ୍କ ନିକଟରେ ମହାଷ୍ଟମୀ ପୂଜା

author img

By ETV Bharat Odisha Team

Published : Oct 22, 2023, 6:45 AM IST

ତନ୍ତ୍ର ପୀଠରେ ମହାଅଷ୍ଟମୀ ପୂଜା
ତନ୍ତ୍ର ପୀଠରେ ମହାଅଷ୍ଟମୀ ପୂଜା

ପାର୍ବଣ ପାଇଁ ଉତ୍ସବମୁଖର ସୋନପୁର ଗଡଜାତ ସହର । ମହାବଳୀ ପର୍ବରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ । ଅଧିକ ପଢନ୍ତୁ

ତନ୍ତ୍ର ପୀଠରେ ମହାଅଷ୍ଟମୀ ପୂଜା

ସୁବର୍ଣ୍ଣପୁର: ଆଶ୍ୱୀନ ମାସର ଶୁକ୍ଳ ପକ୍ଷରେ ସାରା ଦେଶରେ ଚାଲିଛି ଶକ୍ତି ଆରାଧନା । ଦେଶର ବିଭନ୍ନ ସଂସ୍କୃତି ଓ ପରମ୍ପରା ଆଧାରରେ ଦେବୀ ମା' ଦୁର୍ଗାଙ୍କ ପୂଜା ଆରାଧନା ଚାଲିଛି । ଏହି କ୍ରମରେ ତନ୍ତ୍ର ପୀଠ ଭାବେ ପରିଚିତ ସୋନପୁର ଗଡଜାତ ସହରରେ ଅଷ୍ଟଚଣ୍ଡୀଙ୍କ ନିକଟରେ ମଧ୍ୟ ନବ ରାତ୍ର ପୂଜା ଚାଲିଛି । ଆଜି ମା'ଙ୍କ ନିକଟରେ ମହାଅଷ୍ଟମୀ ପୂଜା କରାଯାଇଛି । ଏହା ସହ ମହାବଳୀ ପର୍ବ ଓ ଦେବୀ ମା' ଦୁର୍ଗାଙ୍କ ଉପାସନା କରାଯାଉଛି ।ଚୌହାନ ଶାସକଙ୍କ ଇଷ୍ଟ ଦେବୀ ମା' କନକ ଦୁର୍ଗାଙ୍କ ସମେତ ସହରର ବିଭିନ୍ନ ସ୍ଥାନରେ ନବରାତ୍ର ପୂଜା କରାଯାଉଛି । ସହରର ଥନାପତିପଡାରେ ନବରାତ୍ର ଦୁର୍ଗାପୂଜା ଚାଲିଥିବା ବେଳେ ବ୍ଳକ ଛକରେ ଆକର୍ଷଣୀୟ ପଞ୍ଚଦିନାତ୍ମକ ଦୁର୍ଗା ପୂଜା ଚାଲିଛି ।

ଗତକାଲି ପଞ୍ଚଦିନାତ୍ମକ ଦୁର୍ଗାପୂଜା ପାଇଁ ଆଶ୍ୱୀନ ଷଷ୍ଠୀ ତିଥିର ଅଧିବାସ ପର୍ବ, ଆଜି ପ୍ରାତଃରେ ଦେବୀଙ୍କ ଆବାହନ ସହ ସପ୍ତମୀ ପୂଜା ଓ ରାତ୍ରୀର ପ୍ରଥମ ପ୍ରହରରୁ ଅଷ୍ଟମୀ ତିଥିର ପୂଜା ଆରାଧନା ଚାଲିଛି । ଆଜି ଭଉଣୀ ମାନେ ବିଭିନ୍ନ ପୂଜା ମଣ୍ଡପରେ ଭାଇମାନଙ୍କ ମଙ୍ଗଳ ମନାସୀ ଦେବୀ ମା'ଙ୍କ ପାଖରେ ଦୂବ ପୂଜା କରିବାର ବିଧି ରହିଛି । ପୂଜା ମଣ୍ଡପ ଗୁଡ଼ିକରେ ମହାସପ୍ତମୀ ପୂଜା ଚାଲିଥିବା ବେଳେ ସଂଧ୍ୟାରୁ ଦେବୀଙ୍କ ଅଷ୍ଟମୀ ପୂଜା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଚାଲିଛି ମହାମାୟାଙ୍କ ମହାସପ୍ତମୀ ପୂଜା

ତେବେ ଆକର୍ଷଣୀୟ ତୋରଣ, ଆଲୋକ ସଜ୍ଜା ତଥା ଦେବୀ ମା'ଙ୍କ ମୃଣ୍ମୟୀ ପ୍ରତିମୃର୍ତ୍ତୀଙ୍କ ଦର୍ଶନ କରିବା ପାଇଁ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ପୂଜା କମିଟିଗୁଡ଼ିକ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୂଜା କମିଟି ଗୁଡ଼ିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ମଧ୍ୟାନ୍ନରେ ଅନ୍ନ ଭୋଗ ସହିତ ପ୍ରାତଃ ଓ ସନ୍ଧ୍ୟାରେ ବାଳଭୋଗ ଆଦିର ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁମାନେ ଦେବୀଙ୍କ ଦର୍ଶନ କରିବା ସହିତ ଅନ୍ନ ଯଜ୍ଞ ଓ ବାଳଭୋଗ ଯଜ୍ଞରେ ନିଜକୁ ସାମିଲ କରି ଦେବୀ କୃପା ଲାଭ କରିବାର ସୁଯୋଗ ନେଉଛନ୍ତି । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସହରର ପୂଜା ମଣ୍ଡପଗୁଡ଼ିକରେ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...Durga Puja 2023: ଚଳଚଞ୍ଚଳ ସମ୍ବଲପୁର, ମଣ୍ଡପରେ ମା'ଙ୍କ ସପ୍ତମୀ ପୂଜା

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.