ETV Bharat / state

ନୂଆଖାଇ ପାଇଁ ଅଭାବ ସରିଆଁ ଧାନ

author img

By

Published : Aug 28, 2021, 12:56 PM IST

ନୂଆଁଖାଇ ପାଇଁ ଅଭାବ ସରିଆଁ ଧାନ, ବ୍ୟବହାର ହେବ ପୁରୁଣା ଅରୁଆ ଚାଉଳ
ନୂଆଁଖାଇ ପାଇଁ ଅଭାବ ସରିଆଁ ଧାନ, ବ୍ୟବହାର ହେବ ପୁରୁଣା ଅରୁଆ ଚାଉଳ

ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥର ଅନିୟମିତ ଓ ସ୍ବଳ୍ପ ବୃଷ୍ଟି ପାଇଁ ଧାନ କିଆରି ଗୁଡିକରେ ସରିଆଁ ଧାନ ଦେଖିବାକୁ ମିଳୁନାହିଁ । ଫଳରେ ବାଧ୍ୟ ହୋଇ ପୁରୁଣା ଅରୁଆ ଚାଉଳ ବ୍ୟବହାର କରିବେ ଲୋକେ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଆଗକୁ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ସମର୍ପଣ କରିବା ପରେ ଗ୍ରହଣ କରିବ ନବାନ୍ନ । ନୂଆ ଭାବେ ଅମଳ କରାଯାଇଥିବା ଧାନରୁ ପ୍ରସ୍ତୁତ ହେବ ଅରୁଆ ଚାଉଳ, ଚୁଡା, ଖିରି ବ୍ୟଞ୍ଜନ ଆଦି ଅନେକ କିଛି । ଆଉ ଏସବୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହୁଏ ସରିଆଁ ଧାନ । କିନ୍ତୁ ଏଥର ଅନିୟମିତ ଓ ସ୍ବଳ୍ପ ବୃଷ୍ଟି ପାଇଁ ଧାନ କିଆରି ଗୁଡିକରେ ସରିଆଁ ଧାନ ଦେଖିବାକୁ ମିଳୁନାହିଁ ।

ନୂଆଁଖାଇ ପାଇଁ ଅଭାବ ସରିଆଁ ଧାନ, ବ୍ୟବହାର ହେବ ପୁରୁଣା ଅରୁଆ ଚାଉଳ

ବିଶେଷକରି ସୁବର୍ଣ୍ଣପୁର ଜିଲ୍ଲାର ଅଣ ଜଳସେଚିତ ଉଲୁଣ୍ଡା, ବୀରମହାରାଜପୁର, ସଦର ସୋନପୁର ଓ ତରଭା ଆଦି ବ୍ଲକର ଚାଷ ଜମି ଗୁଡିକରେ ସରିଆଁ ଧାନ ସଂଗ୍ରହ ହୋଇ ଜିଲ୍ଲାର ଆବଶ୍ୟକତା ପୂରଣ କରିବା ସାଙ୍ଗକୁ ଜଳସେଚିତ ବରଗଡ ଓ ସମ୍ବଲପୁର ଅଞ୍ଚଳକୁ ଏହି ଧାନ ରପ୍ତାନି କରାଯାଇଥାଏ । ହେଲେ ଏଥର ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏହି ଅଣଜଳସେଚିତ ଅଞ୍ଚଳରେ ସରିଆଁ ଧାନ ଉଗି ନାହିଁ । ଫଳରେ ଲୋକେ ବାଧ୍ୟ ହୋଇ ବିଧି ରକ୍ଷା ପାଇଁ କେଣ୍ଡାଏ ଦୁଇ କେଣ୍ଡା ସରିଆଁ ଧାନ ବ୍ୟବହାର କରି ବାକି ପୁରୁଣା ଅରୁଆ ଚାଉଳ ବ୍ୟବହାର କରିବେ ।

ତେବେ ଏହି ପରମ୍ପରାକୁ ବଞ୍ଚାଇ ରଖିବାକୁ ସରିଆଁ ଧାନର ଫାଉଣ୍ତେସନ, ବିହନ ତିଆରି କରି ବିଭିନ୍ନ ଯାଗାରେ ଏହାର ଚାଷ କଲେ ଲୋକେ ଠିକ ନୂଆଖାଇ ପୂର୍ବରୁ ଏହି ଧାନ ସଂଗ୍ରହ କରି ଅନ୍ନ ପ୍ରସ୍ତୁତ କରି ପାରିବେ ବୋଲି କୁହାଯାଇଛି । ତେବେ ଜିଲ୍ଲା କୃଷି ବିଭାଗ ସରିଆଁ ଧାନ ଉପରେ ଆବଶ୍ୟକ ଗବେଷଣା କରି କିଛି ଚାଷୀଙ୍କୁ ଏହି ଧାନ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଚଳିତ ବର୍ଷ ଧାନ କ୍ଷେତଗୁଡିକରେ ସରିଆଁ ଧାନ ଉଗି ନ ଥିବାରୁ ନୂଆଖାଇ ବେଳକୁ ସରିଆଁ ଧାନ ବେଶ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.