ETV Bharat / state

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

author img

By

Published : Feb 21, 2023, 10:49 AM IST

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ବିଜେପିର ବିକ୍ଷୋଭ
ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ବିଜେପିର ବିକ୍ଷୋଭ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ସୁବର୍ଣ୍ଣପୁରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କଲା ଦଳ । ଅଧିକ ପଢନ୍ତୁ,

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ବିଜେପିର ବିକ୍ଷୋଭ

ସୁବର୍ଣ୍ଣପୁର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ସୁବର୍ଣ୍ଣପୁରରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ସୋମବାର ଶତାଧିକ କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟକର୍ତ୍ତାମାନେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରାଜ୍ୟରେ ବିଜେଡି ସରକାର ଆରମ୍ଭରୁ ହିଁ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି । ହେଲେ ଏଠାରେ ଯଦି ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ସଦସ୍ୟ ସୁରକ୍ଷିତ ନୁହଁନ୍ତି ତେବେ ସାଧାରଣ ଲୋକ କେତେ ସୁରକ୍ଷିତ ବୋଲି ବିଜେପି ନେତାମାନେ ପ୍ରଶ୍ନ କରିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ ।

ସେପଟେ ଦିନକୁ ଦିନ ଅସାମାଜିକ କାର୍ଯ୍ୟ ବୃଦ୍ଧି ହେଉଥିବା ବେଳେ ଚୋରି, ଡକାୟତି, ରାହାଜାନି, ହତ୍ୟା, ଲୁଟ୍ ତଥା ମହିଳାମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଏପରିକି ସାଧାରଣ ଲୋକଙ୍କ ଉପରେ ପୋଲିସର ଜୁଲୁମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇଛି । ସେହିପରି ନବ ଦାସ ହତ୍ୟା ମାମଲା କ୍ରାଇମବ୍ରାଞ୍ଚ ହାତକୁ ନେଇଥିବା ବେଳେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଏହା ସିବିଆଇକୁ ପ୍ରଦାନ କରାଯାଉ ବୋଲି ବିଜେପି ଦାବି କରିଛି ।

ପୋଲିସ ଯଦି ସରକାରୀ ଦଳର ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହିଁ ତେବେ ଜନସାଧାରଣ କିଭଳି ଶାନ୍ତିରେ ଜୀବନଯାପନ କରିବେ ତାହା ବିଜେପି ପ୍ରଶ୍ନ କରିଛି । ତେବେ ଜିଲ୍ଲା ବିଜେପି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଦାବି ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ଦାବି ପୂରଣ ନ ହେଲେ ଆଗକୁ ପୁଣି ଆନ୍ଦୋଳନ କରିବ ବୋଲି ବିଜେପି ଚେତାବନୀ ଦେଇଛି ।

ସୂଚନାଥାଉ କି, ନବ ଦାସଙ୍କ ହତ୍ୟାକାଣ୍ଡ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ବିଜେପି ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି । ଶନିବାର ଭୁବନେଶ୍ବର ଶିଶୁଭବନ ଛକରେ ଆନ୍ଦୋଳନ କରିଥିଲା ଦଳ । ଗୃହ ବିଭାଗ ଦାୟିତ୍ବରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କରୁପାରୁନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେପି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.