ସରକାରୀ ଯୋଜନା ବାଟ ମାରଣା ଅଭିଯୋଗ, ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ସରକାରୀ ଯୋଜନା ବାଟ ମାରଣା ଅଭିଯୋଗ, ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି
ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ଅଧିକ ପଢ଼ନ୍ତୁ
ସୁବର୍ଣ୍ଣପୁର: ସରକାରୀ ଯୋଜନା ବାଟ ମାରଣା ଅଭିଯୋଗ । ଏନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ଘେରାଓ କରିଛି ବିଜେପି । ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।
ତେବେ ଗତ ଦୁଇ ଦଶନ୍ଧିରୁ ଅଧିକ ହେଲା ରାଜ୍ୟରେ ବିଜେଡି ସରକାର ଶାସନ ଚାଲି ଆସିଛି । ରାଜ୍ୟ ସରକାର ପ୍ରାୟ 50 ପ୍ରତିଶତ ସରକାରୀ ଅନୁଦାନ ବାଟମାରଣା କରୁଛନ୍ତି । ସେହିପରି ପ୍ରତିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ରାଜ୍ୟ ଶାସକ ଦଳ ଓ ରାଜ୍ୟ ଶାସନର ଅସୁଲି କେନ୍ଦ୍ରରେ ପରିଣତ ହୋଇଥିବା ବିଜେପି ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ଜନହିତକର ଓ ଗରିବୀ ମୂଳତ୍ପାଟନ ଯୋଜନାର ସରକାରୀ ଅନୁଦାନ ବାଟ ମାରଣା ହେଉଛି । ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଜନହିତକର ଯୋଜନାରେ ରାଜ୍ୟ ସରକାର ପୋଷ୍ଟରିଂ କରି ରାଜ୍ୟ ସରକାରଙ୍କ ଯୋଜନାରେ ପରିବର୍ତ୍ତିତ କରିବା ପରି ଏକ ଘୃଣ୍ୟ କାର୍ଯ୍ୟ କରିଥିବା କହିଛନ୍ତି ।
ସେ ଆହୁରି ମଧ୍ୟ କହିଥଛନ୍ତି ଯେ, ଜିଲ୍ଲା ସଦର ମହକୁମା ବ୍ଳକ ଅଞ୍ଚଳରେ ପ୍ରାୟ 50 ବର୍ଷ ଧରି ଥିବା ଜଳସେଚନ ସମସ୍ୟାକୁ ବି ସମାଧାନ କରାଯାଇ ପାରିନାହିଁ । ରାଜ୍ୟ ସରକାର ଲଗାତର ଦୁଇ ଦଶନ୍ଧିରୁ ଅଧିକ ହେଲା ଶାସନ କ୍ଷମତାରେ ଥିଲେ ମଧ୍ୟ ଅଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ପାରି ନାହାନ୍ତି । ଏଥିସହ ଚାଷୀଙ୍କ ଚାଷଜମିକୁ ଜଳସେଚନ ଯୋଗାଇ ଦେଇ ପାରି ନାହାନ୍ତି । ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ମାଧ୍ୟମରେ ଚାଷୀ ମାରଣ ନୀତି ଅବଲମ୍ବନ କରିଛନ୍ତି । ଧାନ ସଂଗ୍ରହ ସମୟରେ ଚାଷୀଙ୍କ ଉତ୍ପାଦିତ ଧାନରେ କୁଇଣ୍ଟାଲ ପିଛା ତିନି କେଜିରୁ ପାଞ୍ଚ କେଜି ପର୍ଯ୍ୟନ୍ତ କଟନି ଛଟନି କରୁଛନ୍ତି । ତେଣୁ ଚାଷୀ ଶୋଷଣର ଶିକାର ହେଉଛି । ହେଲେ ରାଜ୍ୟ ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେଉ ନାହାନ୍ତି । ତେଣୁ ବାଧ୍ୟ ହୋଇ ସରକାରଙ୍କୁ ସଠିକ ରାସ୍ତା ଦେଖାଇବା ସହିତ ଚାଷୀ ଓ ଶ୍ରମିକଙ୍କ ଦାବି ପୂରଣ କରି ଜନହିତକର ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏହି ଆନ୍ଦୋଳନ କରାଯାଇଥିବା ଜିଲ୍ଲା ବିଜେପି ସଭାପତି କହିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର
