ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଶହ ଶହ ଆଦିବାସୀ
ରାଉରକେଲା: ଓଡ଼ିଶା ଜମି ରେଗୁଲେସନକୁ ସଂଶୋଧନ କରି ଅନୁସୂଚୀତ ଜନଜାତି (ଆଦିବାସୀ)ଙ୍କ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରି କରିପାରିବା ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଥିଲେ ମଧ୍ୟ ଏହା ଅନୁସୂଚିତ ଜନଜାତିର ଲୋକଙ୍କୁ ସନ୍ତୁଷ୍ଟ କରି ପାରିନାହିଁ । ରାଜ୍ୟ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଆଦିବାସୀ । ରାଉରକେଲାରେ ରାଜ୍ୟ ପେସା ଗ୍ରାମସଭା କୋଅର୍ଡିନେସନ କମିଟିର ଡକରାରେ ଶହ ଶହ ଆଦିବାସୀ ଏକ ବିଶାଳ ରାଲି ସହ ଫିଟନେସ ପାର୍କ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଣଧାରଣାରେ ବାହାରି କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ଦେଇଛନ୍ତି ।
ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ଗତ ୧୪ ତାରିଖରେ ବସିଥିବା ରାଜ୍ୟ କ୍ୟାବିନେଟ୍ ମୋହର ମାରିଥିଲା । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳ ମାନେ ସମାଲୋଚନା କରିଥିଲେ । ଏହା ଆଦିବାସୀଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା । ଆଦିବାସୀ ସଂଗଠନ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା । ତେବେ ନିଷ୍ପତ୍ତିର କିଛି ଘଣ୍ଟା ପରେ କ୍ୟାବିନେଟ୍ରେ ଏହି ଜମି ମାମଲାର ନିଷ୍ପତ୍ତିକୁ ସ୍ଥଗିତ ରଖାଗଲା ବୋଲି ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଆଦିବାସୀଙ୍କ ଜମିକୁ ଅଣ-ଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖାଯିବା ନେଇ ମନ୍ତ୍ରୀଙ୍କ ସୂଚନା ପରେ ପ୍ରଶ୍ନ ଉଠାଇଛନ୍ତି ଆଦିବାସୀ । ସେମାନଙ୍କ କହିବା ଅନୁସାରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖିବା ବଦଳରେ ଏହାକୁ ସମ୍ପୂର୍ଣ୍ଣ ଖାରଜ କରାଯାଉ ।
ଏହା ମଧ୍ୟ ପଢ଼ନ୍ତୁ.....ଆଦିବାସୀଙ୍କ ଉପରେ ଅତ୍ୟାଚାର ବିରୋଧରେ ପେସା ଗ୍ରାମସଭା ସମନ୍ବୟ କମିଟିର ପ୍ରତିବାଦ
ଇଟିଭି ଭାରତ, ସୁନ୍ଦରଗଡ଼