ETV Bharat / state

କଳାବ୍ୟାଚ ପିନ୍ଧି ଧାରଣା ଦେଲେ ଆୟୁଷ ଡାକ୍ତର

author img

By ETV Bharat Odisha Team

Published : Aug 25, 2023, 10:15 PM IST

କଳାବ୍ୟାଚ ପିନ୍ଧି ଧାରଣାକୁ ଓହ୍ଲାଇଲେ ଆୟୁଷ ଡାକ୍ତର
କଳାବ୍ୟାଚ ପିନ୍ଧି ଧାରଣାକୁ ଓହ୍ଲାଇଲେ ଆୟୁଷ ଡାକ୍ତର

ରାଉରକେଲା ଉତ୍କଳମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ସମ୍ମୁଖରେ ଆୟୁଷ ଡାକ୍ତରଙ୍କ ଧାରଣା । କଳାବ୍ୟାଚ ପିନ୍ଧି ରାଜ୍ୟ ସରକାର ବିରୋଧରେ କଲେ ଆନ୍ଦୋଳନ । ଅଧିକ ପଢନ୍ତୁ

କଳାବ୍ୟାଚ ପିନ୍ଧି ଧାରଣାକୁ ଓହ୍ଲାଇଲେ ଆୟୁଷ ଡାକ୍ତର

ରାଉରକେଲା: ଉତ୍କଳମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ କଳାବ୍ୟାଚ ପିନ୍ଧି ଧାରଣାରେ ସମସ୍ତ ଡାକ୍ତର । ନିଜର ବିଭିନ୍ନ ଦାବିକୁ ନେଇ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣା ଦେଇଥିଲେ ସମସ୍ତ ଆୟୁଷ ଡାକ୍ତର । ତେବେ ଆନ୍ଦୋଳନକାରୀ ଡାକ୍ତର ଅଭିଯୋଗ କରିଛନ୍ତି ଯେ ସ୍ୱାସ୍ଥ୍ୟ ସେବା ଏକ ମୌଳିକ ଆବଶ୍ୟକତା । ପ୍ରତ୍ୟେକ ରାଜ୍ୟ ସରକାର ତାଙ୍କ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାର ସୁବିଧା କରିବା ଅତ୍ୟନ୍ତ ଆବଶ୍ୟକ । ଓଡ଼ିଶାରେ ସ୍ବାସ୍ଥ୍ୟକ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଉ ନଥିବା ଆୟୁଷ ଡାକ୍ତରମାନେ ଅଭିଯୋଗ ଆଣିଛନ୍ତି ।

ଆୟୁଷ ଡାକ୍ତର ତୃପ୍ତିସ୍ମିତା ଦାସ କହିଛନ୍ତି,"ପ୍ରାୟ ସାଢ଼େ ୪ କୋଟି ଓଡିଆଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ ଅଛନ୍ତି । ଅର୍ଥାତ ମୋଟ ୧୧୭୯ ସରକାରୀ ଆୟୁଷ ଡାକ୍ତର ଓଡ଼ିଶାରେ ସେବା ପ୍ରଦାନ କରୁଛନ୍ତି । ଜନସଂଖ୍ୟାକୁ ଦେଖିଲେ ଡାକ୍ତର ସଂଖ୍ୟା ସମୁଦ୍ରକୁ ଶଙ୍ଖେପରି । ଏତେ କମ୍ ସଂଖ୍ୟକ ଡାକ୍ତର ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଅସମ୍ଭବ ହୋଇପଡୁଛି । ତେଣୁ ବହୁବାର ନୂଆ ନିଯୁକ୍ତି ନେଇ ଦାବି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହାକୁ ନେଇ ସେମାନେ କଳା ବ୍ୟାଚ୍‌ ପିନ୍ଧି ଆନ୍ଦୋଳନ କରିଛନ୍ତି । ତେବେ ତୁରନ୍ତ ୫୦୦ ଲେଖାଏଁ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ । ଏତଦବ୍ୟତୀତ ପ୍ରତିବର୍ଷ ଅତି କମରେ ୧୦୦ ଆୟୁଷ ଡାକ୍ତର ଓ ଏନଏଏମ ଆବଶ୍ୟକତାକୁ ଆଖି ଆଗରେ ରଖି ନିଯୁକ୍ତି ଦିଆଯାଉ ।"

ଆୟୁଷ ଡାକ୍ତର କେଲଭ ପାତ୍ର କହିଛନ୍ତି, "କେବଳ ନାମକୁ ମାତ୍ର ସ୍ୱାସ୍ଥ୍ୟସେବା ପ୍ରତି ସରକାର ଦାୟିତ୍ୱବାନ ବୋଲି କୁହାଯାଉଛି । କିନ୍ତୁ ଦୁଃଖର କଥା ଯେ ଆମ ରାଜ୍ୟର ସରକାର ଆୟୁଷ ସେବାପ୍ରତି ବୈମାତୃକ ମନଭାବ ପୋଷଣ କରୁଛନ୍ତି । ଦୁଃଖର କଥା ଯେ ଦୀର୍ଘ ୨୧ ବର୍ଷ ଭିତରେ ଜଣେ ହେଲେ ବି ଆୟୁଷ ଚିକିତ୍ସା ପଦାଧିକାରୀ ଆମ ରାଜ୍ୟରେ ନିଯୁକ୍ତ ହୋଇ ନାହାନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ୮ ହଜାର ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୮ ଶହ ହସ୍ପିଟାଲ ଖୋଲାଯିବା କଥା । କିନ୍ତୁ ଏଥିପ୍ରତି ସରକାରଙ୍କର କୌଣସି ନଜର ନାହିଁ ।"

ଅଧିକ ପଢନ୍ତୁ: ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କଳାବ୍ୟାଚ ପିନ୍ଧିଲେ ହାଉସ ସର୍ଜନ

ତେବେ ଏହି ସମସ୍ତ ଦାବିଗୁଡିକୁ ନେଇ ଆଜି ଶାନ୍ତିପୂର୍ଣ୍ଣ ଭାବରେ କଳାବ୍ୟାଚ୍‌ ପିନ୍ଧି ଆୟୁଷ ଡାକ୍ତରମାନେ ଧାରଣାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ଯଦି ସରକାର ସମସ୍ତ ଦାବିଗୁଡିକ ପୂରଣ ନକରନ୍ତି ତେବେ ବିଶାଳ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଆୟୁଷ ଡାକ୍ତର ସଙ୍ଘ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.