ETV Bharat / state

ଲକ୍ଷ୍ମୀ ମାଝୀ ଓ ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ; ଅଭିଯୁକ୍ତଙ୍କ ଗିରଫ ଦାବିରେ ‌ଆଦିବାସୀ ମହାସଙ୍ଘର ଜିଲ୍ଲା ବନ୍ଦ

author img

By ETV Bharat Odisha Team

Published : Jan 5, 2024, 4:48 PM IST

ଆଦିବାସୀ ମହାସଙ୍ଘର ରାୟଗଡ଼ା ଜିଲ୍ଲା ବନ୍ଦ
ଆଦିବାସୀ ମହାସଙ୍ଘର ରାୟଗଡ଼ା ଜିଲ୍ଲା ବନ୍ଦ

Rayagada Bandh: ରାୟଗଡ଼ା ଜିଲ୍ଲା ବନ୍ଦ କଲା ଆଦିବାସୀ ମହାସଙ୍ଘ । ବହୁଚର୍ଚ୍ଚିତ ଲକ୍ଷ୍ମୀ ମାଝୀ ଓ ଆଦିବାସୀ ନେତା ଭାଗୀରଥ ମାଣ୍ଡାଙ୍ଗି ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବି । ଅଧିକ ପଢ଼ନ୍ତୁ...

ଆଦିବାସୀ ମହାସଙ୍ଘର ରାୟଗଡ଼ା ଜିଲ୍ଲା ବନ୍ଦ

ରାୟଗଡ଼ା: ଆଦିବାସୀ ମହାସଙ୍ଘର ଗର୍ଜନ । ବହୁଚର୍ଚ୍ଚିତ ଚନ୍ଦ୍ରପୁର ମାଆ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ଓ ଆଦିବାସୀ ନେତା ଭାଗୀରଥ ମାଣ୍ଡାଙ୍ଗି ହତ୍ୟା ଘଟଣା ତଦନ୍ତରେ ପୋଲିସ ଓ କ୍ରାଇମବ୍ରାଞ୍ଚର ଶିଥିଳତାକୁ ବିରୋଧ । ବିଶେଷ କରି ଆଦିବାସୀଙ୍କ ଉପରେ ହେଉଥ‌ିବା ଅତ୍ୟାଚାର ପ୍ରତିବାଦରେ ଆଦିବାସୀ ମହାସଙ୍ଘ ପକ୍ଷରୁ ଆଜି ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଜି ଜିଲ୍ଲା ବନ୍ଦ ପାଳନ ପାଇଁ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ମହାସଙ୍ଘ ତରଫରୁ ଘୋଷଣା କରାଯାଇଥିଲା । ଜିଲ୍ଲା ଆଦିବାସୀ ମହାସଙ୍ଘ ସଭାପତି ଆପଲସ୍ବାମୀ କାଡ୍ରାକା, ଆବାହକ ବସନ୍ତ କୁମାର ଉଲାକା, ସାଧାରଣ ସମ୍ପାଦକ ଜଗନ୍ନାଥ ମାଣ୍ଡାଙ୍ଗି, ସହସମ୍ପାଦିକା ମଞ୍ଜୁଳା ମିଣିଆକା ଏହି ବନ୍ଦର ନେତୃତ୍ବ ନେଇଛନ୍ତି ।

ରାୟଗଡ଼ା ଜିଲ୍ଲାର ଆଦିବାସୀ ନତା ଭାଗୀରଥ ମାଣ୍ଡାଙ୍ଗିଙ୍କୁ ୨୦୧୦ ଡିସେମ୍ବର ୧୫ରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ହେଲେ ୧୩ ବର୍ଷ ପରେ ମଧ୍ୟ ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ଓ କ୍ରାଇମବ୍ରାଞ୍ଚ ବିଫଳ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ପାଇଁ ମହାସଙ୍ଘ ପକ୍ଷରୁ ପୋଲିସ ଓ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଭଳିକି ଗତ ଦିନରେ ପୋଲିସ ଡିଜି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟ ପାଣିର ଗାର ପାଲଟିଛି । ଭାଗୀରଥଙ୍କ ପରିବାର ୧୩ ବର୍ଷ ହେବ ନ୍ୟାୟ ଆଶାରେ ରହିଛନ୍ତି । ଏନେଇ ଗତ ଜାନୁଆରୀ ୩ ତାରିଖ ସୁଦ୍ଧା ଯଦି ସରକାର କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ୫ ତାରିଖରେ ବନ୍ଦ ପାଳନ କରାଯିବ ବୋଲି ମହାସଙ୍ଘ ପକ୍ଷରୁ କୁହାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ ଜାରି

ସେପଟେ ଗତମାସ (ଡିସେମ୍ବର 24)ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଡାକ୍ତରଖାନା ପରିସରରେ ଥିବା ମାଆ ଘର ନିକଟରୁ ଏହାର ପରିଚାଳିକା ଲକ୍ଷ୍ମୀ ମାଝୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଲକ୍ଷ୍ମୀ ମାଝୀଙ୍କ ଘର କାଶୀପୁର ଅଞ୍ଚଳର ହୋଇଥିବା ବେଳେ ସେ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମାଆ ଗୃହର ପରିଚାଳିକା ଭାବେ କାମ କରୁଥିଲେ । ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପରିତ୍ୟକ୍ତ କୋଠରୀରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏନେଇ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଓ ଚନ୍ଦ୍ରପୁର ପୋଲିସକୁ ସୂଚନା ଦିଆଯାଇଥିଲା । ପାରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଅନୁମେୟ ହେଉଛି । ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ତେବେ ଉଭୟ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ରାୟଗଡ଼ା ଜିଲ୍ଲା ବନ୍ଦ କରିଛି ଆଦିବାସୀ ମହାସଙ୍ଘ । ବନ୍ଦର ପ୍ରଭାବ ବିଶେଷକରି ରାୟଗଡ଼ା ଜିଲ୍ଲା ସଦର ମହକୁମା ସହିତ କାଶୀପୁର, ଟିକିରି, ଜେକେପୁରରେ ପରିଲିକ୍ଷିତ ହୋଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.