ETV Bharat / state

ଆଳୁ ଖୋଳୁଖୋଳୁ ମହାଦେବ, ଗଞ୍ଜେଇ ଧରିବା ପାଇଁ ଚଢ଼ାଉ କରିବା ବେଳେ ଜବତ ହେଲା ବାଘ ଛାଲ

author img

By

Published : Mar 31, 2023, 10:10 PM IST

ରାୟଗଡ଼ା ଜିଲ୍ଲାରେ ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ । ନାରାୟଣପୁର ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ସହ ବାଘ ଛାଲ ଜବତ କରିଛି ପୋଲିସ ।

police seized cannabis and leopard skin
ନାରାୟଣପୁର ଜଙ୍ଗଲରୁ ଜବତ

ନାରାୟଣପୁର ଜଙ୍ଗଲରୁ ଜବତ

ରାୟଗଡ଼ା: ଗଞ୍ଜେଇ ଧରିବାକୁ ଚଢ଼ାଉ କରିଥିଲା ପୋଲିସ, ହେଲେ ଜବତ ହେଲା ବାଘଛାଲ । ରାୟଗଡ଼ା ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଗଞ୍ଜେଇ ଧରପଗଡ କରିବାକୁ ଯାଇଥିବାବେଳେ ଗୋଟିଏ ବାଘ ଛାଲ ଜବତ ହୋଇଛି । ପଦ୍ମପୁର ଥାନା ଅନ୍ତର୍ଗତ ନାରାୟଣପୁର ଜଙ୍ଗଲରୁ କଲରାପତରିଆ ବାଘ ଛାଲ ସମେତ ୧୩୬ କିଲୋ ଗଞ୍ଜେଇ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି । ଏହି ଘଟଣାରେ ତିନି ଜଣ ଗିରଫ ହୋଇଥିବା ରାୟଗଡ଼ା ଏସପି ସୂଚନା ଦେଇଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ନାରାୟଣପୁର ଜଙ୍ଗଲରେ ଗଞ୍ଜେଇ କାରବାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ସୂଚନା ମିଳିବା ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୬୪ କିଲୋ ଗଞ୍ଜେଇ ଜବତ କରିଥିଲା ପୋଲିସ । ଉକ୍ତ ସ୍ଥାନରେ ଅଧିକ ଅନୁସନ୍ଧାନ କରିବାରୁ ଆଉ ୭୨ କିଲୋ ଗଞ୍ଜେଇ ମିଳିଥିଲା । କେବଳ ସେତିକି ନୁହେଁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗଞ୍ଜେଇ ସହ ସେହି ସ୍ଥାନରୁ ଏକ କଲରାପତରିଆ ବାଘ ଛାଲ ଠାବ କରାଯାଇଥିଲା । ତେବେ ଜବତ ବାଘ ଛାଲ ଲମ୍ବା ପ୍ରାୟ ୪ ଫୁଟ ହେବ । ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା ଏହି ସୂଚନା ଦେଇଛନ୍ତି ।

ଏନେଇ ବିବେକାନନ୍ଦ ଶର୍ମା କହିଛନ୍ତି,"ତିନି ଜଣ ଗିରଫ ବ୍ୟକ୍ତି ହେଲେ ବହୁପଦର ଗ୍ରାମର ନାଗେଶ୍ଵର ମାଝୀ, ସଉଲା ମାଝୀ ଓ ନଉସେନ ମଲ୍ଲିକ । ଗିରଫ ତିନି ଜଣଙ୍କୁ ଗୁଣପୁର ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବା ଫଳରେ ସେମାନଙ୍କୁ ଗୁଣପୁର ଉପକାରାଗାରର ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି । ବନ ବିଭାଗ ସହିତ ମିଳିତ ଭାବରେ ଏହାର ଅଧିକ ତଦନ୍ତ କରାଯିବ । ତେବେ ଖାନ୍ ନାମକ ଜଣେ ବ୍ୟକ୍ତି ଏହି ବାଘ ଛାଲ ଯୋଗାଇଥିବା ଜଣାପଡ଼ିଛି । ଅଭିଯୁକ୍ତମାନଙ୍କ ସୂଚନା ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଯୋଜନା କରିଛି ।" ଏଠାରେ ସୂଚନା ଯୋଗ୍ୟ କି, ନିକଟ ଅତୀତରେ ମଧ୍ୟ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ନାରାୟଣପୁର ଜଙ୍ଗଲରୁ ଦୁଇଟି ହାତୀଦାନ୍ତ ପୋଲିସ ଜବତ କରିଥିଲା । ଆଜି କଲରାପତରିଆ ବାଘ ଛାଲ ଠାବ ହେବାପରେ ଜିଲ୍ଲାରେ ବନ୍ୟଜନ୍ତୁ ଶିକାରୀ ସକ୍ରିୟ ଥିବା କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.