ETV Bharat / state

'କଂଗ୍ରେସ ଧର୍ମ ନାଁରେ ରାଜନୀତି କରେନାହିଁ, ପରିକ୍ରମା ପ୍ରକଳ୍ପରେ ଅଣଓଡ଼ିଆ ଠିକାଦାର ପୋସା ହେଉଛନ୍ତି'

author img

By ETV Bharat Odisha Team

Published : Dec 23, 2023, 8:15 PM IST

Puri Heritage Corridor: ପୁରୀ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଆରମ୍ଭ ହେଲାଣି ରାଜନୀତି । କଂଗ୍ରେସ କହିଲା ଅଣଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ ହେଉଛି ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ । ଜବାବ ରଖିଲା ବିଜେଡି । ଅଧିକ ପଢ଼ନ୍ତୁ

ପରିକ୍ରମା ପ୍ରକଳ୍ପ ରାଜନୀତି
ପରିକ୍ରମା ପ୍ରକଳ୍ପ ରାଜନୀତି

ପରିକ୍ରମା ପ୍ରକଳ୍ପ ରାଜନୀତି

ଭୁବନେଶ୍ବର/ପୁରୀ: ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଶୁଭ ଉନ୍ମୋଚନ ଆସନ୍ତା ୧୭ (ଡିସେମ୍ବର)ରେ ହେବାକୁ ଯାଉଛି । ଏହା ପୂର୍ବରୁ ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାରୁ ଉଭୟ ବିଜେପି ଓ ବିଜେଡି ଧର୍ମକୁ ନେଇ ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି । ବିଜେପି ରାମ ମନ୍ଦିର ଓ ବିଜେଡି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୋଟ ପାଇଁ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେପଟେ ଓଡ଼ିଆ ଠିକାଦାରଙ୍କୁ ଅଣଦେଖା କରି ଅଣଓଡ଼ିଆ ଠିକାଦାରଙ୍କୁ ପୋଷିବାକୁ ରାଜ୍ୟ ସରକାର ଏଭଳି ଉନ୍ନତିକରଣ କାର୍ଯ୍ୟ କରୁଥିବା ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି । ଜବାବ ରଖିଛି ବିଜେଡି ।

'ଅଣଓଡ଼ିଆ ଠିକାଦାରଙ୍କୁ ପୋଷିଛନ୍ତି ସରକାର': କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ପୁରୀ ପରିକ୍ରମା ପ୍ରକଳ୍ପ ହେଉ, ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ହେଉ ବା କଟକର କଟକ ଚଣ୍ଡି ମନ୍ଦିର, ରାଜ୍ୟ ବାହାରର ଠିକାଦାରଙ୍କୁ ପୋଷିବା ପାଇଁ ଏହି ମନ୍ଦିରର ଉନ୍ନତିକରଣ କାମ ସବୁ କରାଯାଉଛି । ଠାକୁରଙ୍କ ପ୍ରତି ଭକ୍ତି ନାହିଁ । ଯଦି ଭକ୍ତି ଥାଆନ୍ତା ଏପରି କରାଯାଆନ୍ତା ନାହିଁ । ଓଡିଆ ଠିକାଦାର ମାନଙ୍କୁ ଛୋଟ ମୋଟ କାମ କରିବାକୁ ଦିଆଯାଉଛି । ସବ୍‌ଠିକାଦାର ଭାବେ ସେମାନେ କାମ କରୁଛନ୍ତି ।" ପ୍ରକୃତ ଟଙ୍କା ହଡପ କରୁଛନ୍ତି ରାଜ୍ୟ ବାହାରରର ଠିକାଦାର ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

'କଂଗ୍ରେସ ଧର୍ମ ନାଁରେ ରାଜନୀତି କରେନାହିଁ': ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "୨୪ ବର୍ଷ ପରେ କାହିଁକି ପରିକ୍ରମା ପ୍ରକଳ୍ପ କଥା ମନେପଡିଲା ? ନିର୍ବାଚନକୁ ଦୃଷ୍ଟିରେ ରଖି ଏହା କରାଯାଉଛି । ଧର୍ମ ନାଁରେ ରାଜନୀତି କରାଯାଉଛି । କଂଗ୍ରେସ କିନ୍ତୁ ଧର୍ମ ନାଁରେ ରାଜନୀତି କରେନାହିଁ । ଭୋଟ ପାଇଁ ଧର୍ମକୁ ମାଧ୍ୟମ କରି ରାଜନୀତି କରେନାହିଁ । କଂଗ୍ରେସର ଲଢେଇ ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ । କିପରି ରତ୍ନ ଭଣ୍ଡାର ଖୋଲାଯିବ ଏବଂ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯିବ । ରତ୍ନ ଭଣ୍ଡାରର ସତ କଣ ଲୋକେ ତାହା ଜାଣିପାରିବେ । ଚାରି ଦୁଆର ଖୋଲିଲେ ଭକ୍ତମାନେ ସୁରୁଖୁରୁରେ ଦର୍ଶନ କରିପାରିବେ । ଏହା କିନ୍ତୁ ହେଉନାହିଁ । କାହିଁକି ରାଜ୍ୟ ସରକାର ଏହା କାର୍ଯ୍ୟକାରୀ କରୁନାହାନ୍ତି ତାହା ବୁଝାପଡୁନାହିଁ । କଂଗ୍ରେସର ଶୃଙ୍ଖଳିତ ଦର୍ଶନ ଦାବି ପରେ ରାଜ୍ୟ ସରକାର ଏସି ଟନେଲର ବ୍ୟବସ୍ଥା କରିଛନ୍ତି । ଆଗରୁ କରିନଥିଲେ । ଏବେ ମଧ୍ୟ ଧର୍ମକୁ ନେଇ ରାଜନୀତି ନକରନ୍ତୁ । ଲୋକଙ୍କ ସ୍ବାର୍ଥ ପାଇଁ କଂଗ୍ରେସର ଲଢେଇ ଜାରି ରହିଛି ଏବଂ ରହିବ ମଧ୍ୟ ।" ୨୦୨୪ ନିର୍ବାଚନରେ ଲୋକେ ସତ କଣ ଜାଣିଥିବାରୁ ଏହାର ଜବାବ ଦେବେ ବୋଲି ଶରତ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ ପଲିଟିକ୍ସ: ଶ୍ରେୟ ପାଇଁ ବିଜେଡିର ସୋଲିଆଲ ମିଡିଆ କ୍ୟାମ୍ପେନ, ବିରୋଧୀଙ୍କ ବୟାନ ବୁମେରାଂ ହେବ

'କଂଗ୍ରେସ ଅଭିଯୋଗ ପ୍ରଭାବହୀନ': ସେପଟେ କଂଗ୍ରେସକୁ କଡ଼ା ଜବାବ ଦେଇଛି ବିଜେଡି । ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "କଂଗ୍ରେସ ଭୋକ ବିକଳରେ ତଟିଆ କାମୁଡୁଛି । ବିଜୟ ପଟ୍ଟନାୟକ ସବୁବେଳେ ବିଭ୍ରାନ୍ତିକର ମନ୍ତବ୍ୟ ଦିଅନ୍ତି । ଓଡ଼ିଶାବାସୀ ସ୍ଥିର କରିଛନ୍ତି ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବେ ।" ତେଣୁ କଂଗ୍ରେସ ଅଭିଯୋଗର କୌଣସି ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଶଙ୍କରାଚାର୍ଯ୍ୟଙ୍କୁ ନିୟୁତା ଦେବାକୁ ପରିଚାଳନା କମିଟିର ଉଜ୍ଜୈନ ଗସ୍ତ

ପାଖେଇ ଆସିଲାଣି ୨୦୨୪ ସାଧାରଣ ନିର୍ବାଚନ । ବିଜେଡି ପରିକ୍ରମା ପ୍ରକଳ୍ପକୁ ନେଇ ଭୋଟ ମାଗିବା ପାଇଁ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ କରିସାରିଛି । ଏପରି ସ୍ଥିତିରେ କଂଗ୍ରେସର ଧର୍ମ ପାଇଁ ନୁହେଁ ଲୋକଙ୍କ ସ୍ବାର୍ଥ ପାଇଁ ଲଢେଇ କେତେଦୂର ଫଳପ୍ରଦ ହେଉଛି ତା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.