ETV Bharat / state

ଅଧାବାଟରେ ଖରାପ ହେଲା ଆମ୍ବୁଲାନ୍ସ, ଘଣ୍ଟାଏ ଅପେକ୍ଷା କଲେ ଗର୍ଭବତୀ

author img

By ETV Bharat Odisha Team

Published : Nov 22, 2023, 1:27 PM IST

Ambulance stop in road
ଅଧାବାଟରେ ଖରାପ ହେଲା ଆମ୍ବୁଲାନ୍ସ

ଗର୍ଭବତୀଙ୍କୁ ନେଇ ଯାଉଥିବା ସମୟରେ ଅଧାବାଟରେ ଆମ୍ବୁଲାନ୍ସ ଖରାପ ହେବାରୁ ମହିଳାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଛି । ଅଧିକ ପଢ଼ନ୍ତୁ

ଅଧାବାଟରେ ଖରାପ ହେଲା ଆମ୍ବୁଲାନ୍ସ

ରାଇରଙ୍ଗପୁର: ଗୁରୁତର ଅବସ୍ଥାରେ ଗର୍ଭବତୀଙ୍କୁ ନେଇ ଯାଉଥିବା ସମୟରେ ଅଧାବାଟରେ ଖରାପ ହେଲା ଆମ୍ବୁଲାନ୍ସ । ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ମେଡିକାଲ ଯାଉଥିବା ବେଳେ ଅଧରାସ୍ତାରେ ଆମ୍ବୁଲାନ୍ସଟି ଖରାପ ହୋଇଥିଲା । ଫଳରେ ଅନ୍ୟ ଏକ ଆମ୍ବୁଲାନ୍ସକୁ ଅପେକ୍ଷା କରି ଦୀର୍ଘ ଏକ ଘଣ୍ଟା ଧରି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଭିତରେ ଅପେକ୍ଷା କରିବାକୁ ପଡିଥିଲା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ ।

ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀ ମହିଳାଙ୍କୁ କରଞ୍ଜିଆ ଅଣା ଯାଉଥିବା ବେଳେ ଅଧା ବାଟରେ ଖରାପ ହୋଇ ରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ । ତେବେ ଏକ ଘଣ୍ଟା ବିଳମ୍ବରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଶରତ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସି ଗୁରୁତର ମହିଳାଙ୍କୁ କରଞ୍ଜିଆ ଅଣା ଯାଇଥିବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୋଡିବିଲ ଗ୍ରାମର ପାଲମା ବାଙ୍କିରାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଶାକର୍ମୀ ଜଣକ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଚାଲିଥିଲା । ହେଲେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତର ଗର୍ଭବତୀ ଜଣକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଗୁରୁତର ମହିଳାଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସଟି ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ୧ କିମି ଦୂର ରୁଗୁଡିବେଡା ନିକଟରେ ଖରାପ ହୋଇ ଅଟକି ରହିଥିଲା । ଗୁରୁତର ଅସୁସ୍ଥ ଥିବା ଗର୍ଭବତୀ ମହିଳା ଜଣକ ପ୍ରାୟ ଏକ ଘଣ୍ଟା ଧରି ଆମ୍ବୁଲାନ୍ସ ଭିତରେ ଅପେକ୍ଷା କରି ରହିଥିଲେ । ପରେ ୨୭ କିମି ଦୂର କପ୍ତିପଦା ଉପଖଣ୍ଡର ଶରତ ପ୍ରାଥମିକ ଚିକିତ୍ସାଳୟ ଅଧିନରେ ଥିବା ଗୋଟିଏ ୧୦୮ ଆମ୍ବୁଲାନ୍ସ ୧ ଘଣ୍ଟା ପରେ ପହଞ୍ଚି ଗର୍ଭବତୀଙ୍କୁ ନେଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚାଇଥିଲା ।

ଏହା ବି ପଢନ୍ତୁ...ବାଟରେ ଖରାପ ହେଲା ଆମ୍ବୁଲାନ୍ସ, ରାଜପଥରେ ଚାଲିଗଲା ରୋଗୀଙ୍କ ଜୀବନ

ସୌଭାଗ୍ୟବଶତଃ ଗୁରୁତର ଥିବା ଗର୍ଭବତୀଙ୍କ କୌଣସି କ୍ଷତି ହୋଇନାହିଁ । ଯଦି ଗର୍ଭବତୀଙ୍କ କିଛି କ୍ଷତି ହୋଇଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା । ଏହି ଘଟଣା ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସେପଟେ ୧୦୮ ଆମ୍ବୁଲାନ୍ସ ଗୁଡିକର ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି କରାଯାଉ ନ ଥିବା ଯୋଗୁ ବାରମ୍ବାର ଏଭଳି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.