ETV Bharat / state

Sikkim Flood: ସିକ୍କିମ ବନ୍ୟାରେ ନିଖୋଜ ଯୁବ ଇଞ୍ଜିନିୟର

author img

By ETV Bharat Odisha Team

Published : Oct 11, 2023, 8:27 AM IST

ସିକ୍କିମ୍ ବନ୍ୟାରେ ଏବେ ବି ନିଖୋଜ ଓଡ଼ିଆ ଇଞ୍ଜିନିୟର । ସପ୍ତାହେ ହେଲା କିଶୋର ମହାଜନଙ୍କ ପତ୍ତା ମିଳୁନି । ଏନେଇ ଚିନ୍ତାରେ ପରିବାର । ଅଧିକ ପଢନ୍ତୁ

Sikkim Flood
Sikkim Flood

ମାଲକାନଗିରି : ସିକ୍କିମ ବନ୍ୟାରେ ଏବେବି ନିଖୋଜ ଓଡିଆ ଯୁବ ଇଞ୍ଜିନିୟର । ତେବେ ନିଖୋଜ ଯୁବ ଇଞ୍ଜିନିୟର ହେଉଛନ୍ତି ମାଲକାନଗିରି କାଲିମେଳା ଅଞ୍ଚଳର ଏମଭି-୬୨ ଗାଁର କିଶୋର ମହାଜନ । ଗତ ୩ ତାରିଖ ଅପରାହ୍ନରୁ ତାଙ୍କର କୌଣସି ଖବର ମିଳୁ ନଥିବାରୁ ଚିନ୍ତାରେ ପରିବାର ।

ସୂଚନା ମୁତାବକ, କିଶୋର ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ଗ୍ରୀନ ଲାଇନ ସୋଲାର ଏନର୍ଜିରେ ପ୍ରୋଜେକ୍ଟ ଇଞ୍ଜିନିୟର ଭାବେ ଚାକିରି କରୁଥିଲେ । ଏନେଇ ଗତ ଏକ ମାସ ହେବ ସୋଲାର ବିଦ୍ୟୁତ କାର୍ଯ୍ୟ ପାଇଁ କମ୍ପାନୀ ତରଫରୁ ସିକିମ ଯାଇଥିଲେ । ଏହାପରେ ସେ ସିକ୍କିମର ଲୋଚନା ଘାଟିରେ ଥିବା ଆଇଟିବିପି କ୍ୟାମ୍ପ୍‌ରେ ରହିଥିବା ନେଇ ପରିବାରକୁ ଜଣାଇଥିଲେ କିଶୋର । ହେଲେ ଏହାର ଗୋଟିଏ ଦିନ ପରେ ସେଠାରେ ବନ୍ୟାସ୍ଥିତି ଘଟିଥିବା ଜାଣିବା ପରେ ପରିବାର ଲୋକ କିଶୋରଙ୍କୁ ଫୋନ କରିଥିଲେ । କିନ୍ତୁ ଫୋନ ତାଙ୍କର ବନ୍ଦ ଥିବାରୁ ଆଜି ପର୍ଯ୍ୟନ୍ତ ତାଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସେପଟେ କମ୍ପାନୀଙ୍କୁ ଏନେଇ ପରିବାର ଲୋକେ ଯୋଗାଯୋଗ କରିଥିବା ବେଳେ ସେ ସଠିକ ସୂଚନା ଦେଉ ନଥିବାରୁ ଚିନ୍ତାରେ ଅଛନ୍ତି ପରିବାର ଲୋକେ । ଏନେଇ ମାଲକାନଗିରି ଏସ୍‌ପିଙ୍କୁ ସାକ୍ଷାତ କରି ପୁଅର ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Sikkim Flood: ନିଖୋଜଙ୍କ ମଧ୍ୟରେ ଢେଙ୍କାନାଳର 3 ଜଣ, ବୁଲିବାକୁ ଯାଇଥିଲେ ଗ୍ୟାଙ୍ଗଟକ୍‌

ପ୍ରକାଶ ଥାଉକି, ସେହିପରି ଏହି ପ୍ରଳୟଙ୍କାରୀ ବନ୍ୟାରେ ଢେଙ୍କାନାଳ ସିମିନଈ ପଞ୍ଚାୟତର ତିନି ଜଣ ନିଖୋଜ ଥିବା ଜଣା ପଡିଛି । ତେବେ ଚଳିତ ମାସ ପହିଲାରେ 7 ଜଣ ଇଞ୍ଜିନିୟରିଂ ଛାତ୍ରମାନେ ଓଡ଼ିଶାରୁ ଗ୍ୟାଙ୍ଗଟକ୍‌ ବୁଲିବାକୁ ଯାଇଥିଲେ । ଏହାପରେ ସେମାନେ ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ 3 ଜଣ ଛାତ୍ରଙ୍କ ସହିତ ଯୋଗାଯୋଗ ହୋଇପାରୁ ନଥିବାରୁ ପରିବାର ଚିନ୍ତାରେ ରହିଛନ୍ତି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବା ଲାଗି ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଛି । ନିଖୋଜଙ୍କ ମଧ୍ୟରେ ସିମିନଈ ଗ୍ରାମର ଚନ୍ଦ୍ରଶେଖର ସିଂ, ଅଙ୍କରାନ୍ତି ପୁର ନୂଆଗାଁ ସାହିର ନିର୍ମଳ ନାଥ ଓ ଅଙ୍କରାନ୍ତି ପୁରର ପ୍ରମୋଦିନୀ ଜେନା ନାମକ ଜଣେ ଯୁବତୀ ସାମିଲ ଅଛନ୍ତି । ନିଖୋଜମାନଙ୍କ ବୟସ ୨୪ରୁ ୨୫ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.