ETV Bharat / state

Utkal Divas ୨୦୨୩: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି ଆଜି ବି ଉଜ୍ଜୀବିତ

author img

By

Published : Apr 1, 2023, 7:22 AM IST

ଆଜି ହେଉଛି ୮୭ ତମ ଉତ୍କଳ ଦିବସ । 1936 ମସିହା ଆଜିର ଦିନରେ ନୂଆ ପରିଚୟ ପାଇଥିଲା ଓଡିଶା । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ଭାବେ ପାଳନ କରାଯାଇଥାଏ । ଅଧିକ ପଢନ୍ତୁ

Utkal Divas ୨୦୨୩
Utkal Divas ୨୦୨୩

ହାଇଦ୍ରାବାଦ: ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଏବଂ ଗୌରବର ଦିନ । ଆଜି ଉଜ୍ଜୀବିତ ହେଉଛି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ମୃତି । କାହିଁକି ନା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶାକୁ ଆଜିର ଦିନରେ ମାନ୍ୟତା ମିଳିଥିଲା । ସୀମାହୀନ, ଭାଷାହୀନ ଭାବେ ରହିବା ପରେ ଏହି ଦିନ ଏକତ୍ରିକ ହୋଇଥିଲା । ନବ ଗଠିତ ରାଜ୍ୟ ଭାବେ ଓଡିଶା ମାନଚିତ୍ରରେ ଶୋଭାମଣ୍ଡନ କରିଥିଲା ଉତ୍କଳ । ଆଜିର ଦିନରେ ଓଡିଶାକୁ ସ୍ବତନ୍ତ୍ର ମାନ୍ୟତା ମିଳିଥିବାରୁ ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ ।

ଆଜିର ଦିନ ହେଉଛି ଓଡିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଓଡିଆ ଜାତିର ଅସ୍ମିତାର ସୁରକ୍ଷା ନେଇ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଯାହାକୁ ନେଇ ପ୍ରତି ଓଡିଆ ମଧ୍ୟ ଗର୍ବ କରନ୍ତି । ଉତ୍କଳ କଳା, ସଂସ୍କୃତି ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ । ଆମର ମନ୍ଦିରରେ କାଳ, ଭାସ୍କର୍ଯ୍ୟ ବିଶ୍ବକୁ ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିବା ବେଳେ ଆମର ତ୍ୟାଗ, ବଳିଦାନ ଇତିହାସ ବିଦିତ । ସେ ନଅଙ୍ଗ ଦୁର୍ଭିକ୍ଷ କଥା କୁହନ୍ତୁ କି ମହାବାତ୍ୟା ସବୁର ମୁକାବିଲା କରି ପ୍ରଶଂସା ସାଉଁଟିଛି ଓଡିଶା ।

ପୂର୍ବରୁ ଉତ୍କଳ ଖଣ୍ଡବିଖଣ୍ଡିତ ହୋଇରହିଥିଲା । ସମ୍ବଲପୁର ମଧ୍ୟପ୍ରଦେଶ ସହ ମିଶିଥିବା ବେଳେ ବାଲେଶ୍ବରରେ ବଙ୍ଗଳାର ପ୍ରଭାବ ଏବଂ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ରହିଥିଲା । ତେବେ ସ୍ବତନ୍ତ୍ର ଓଡିଆ ପ୍ରଦେଶ ଗଠନ କରିବା ନିମନ୍ତେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ରାଧାନାଥ ରାୟ, ଫକୀର ମୋହନ ସେନାପତି ଏବଂ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।

ଏହି ବୀରପୁତ୍ରମାନଙ୍କ ଉଦ୍ୟମରେ ପ୍ରଥମେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠନ ହେଇଥିଲା । ତାଙ୍କ ତ୍ୟାଗ, ବଳିଦାନ ଏବଂ ପ୍ରଚେଷ୍ଟାରେ ପ୍ରଥମେ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଗଞ୍ଜାମକୁ ନେଇ ଓଡିଶା ରାଜ୍ୟ ଗଠନ ହେଲା । ୧୯୫୦ ମସିହା ଜାନୁଆରୀ ମାସରେ ଓଡିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇ ମୋଟ ୧୩ଟି ଜିଲ୍ଲା ହେଲା । ଏହାପରେ ୧୯୯୨ ମସିହାରେ ଓଡିଶାର ୧୩ଟି ଜିଲ୍ଲାକୁ ପୁର୍ନବିଭାଜନ କରି ୩୦ଟି ଜିଲ୍ଲାରେ ବିଭକ୍ତ କରାଗଲା । ପ୍ରତିବର୍ଷ ଉତ୍କଳ ଦିବସ ପାଳନ ଅବସରରେ ସ୍ବତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ ।

ଏକ ମହାନ ଉଦ୍ଦେଶ୍ୟ ନେଇ ମହାପୁରୁଷମାନେ ଖଣ୍ଡବିଖଣ୍ଡିତ ଓଡିଶାକୁ ଏକାଠି କରିଥିଲେ । ଓଡିଶାଙ୍କୁ ଏକତ୍ର କରିବା ପାଇଁ ତାଙ୍କର ବଳିଦାନ, ତ୍ୟାଗକୁ କେବେ ଭୁଲି ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.