ETV Bharat / state

ଲୋକଙ୍କ ସହ ପ୍ରତାରଣା କରୁଛନ୍ତି ସରକାର, ନିର୍ବାଚନ ପାଖେଇବାରୁ ପଟ୍ଟା ବଣ୍ଟା ନାଟକ: ବିଜେପି

author img

By ETV Bharat Odisha Team

Published : Aug 28, 2023, 10:43 PM IST

manmohan samal reaction over jaga mission
ଜାଗା ମିଶନକୁ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଜାଗା ମିଶନକୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ସଭାପତି ମନମୋହନ ସାମଲ । ଦସ୍ତାବିଜ ଦେଖାଇ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ । ଅଧିକ ପଢ଼ନ୍ତୁ

ଜାଗା ମିଶନକୁ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ବର: ଜାଗା ମିଶନକୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ସଭାପତି ମନମୋହନ ସାମଲ । ଦସ୍ତାବିଜ ଦେଖାଇ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ । କହିଲେ ନିର୍ବାଚନ ଆସିଲେ ସରକାରଙ୍କ ଜମି ପଟ୍ଟା ବଣ୍ଟନ କଥା ମନେପଡେ । ଗଳି କନ୍ଦିରେ ଖାଲି ସାଇନ ବୋର୍ଡ ଲଗାଯାଇଛି । କିନ୍ତୁ ଜାଗା ମିଳିବକି ନାହିଁ ତାହା ସନ୍ଦେହ । ନିର୍ବାଚନ ପାଖେଇ ଆସୁଥିବାରୁ ସରକାର ଏଭଳି ନାଟକ କରୁଥିବା କହିଛନ୍ତି ମନମୋହନ ସାମଲ ।


ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ପାଇଁ ଜାଗା ମିଶନ ଘୋଷଣା କରିବା ପରେ କଟାକ୍ଷ କରି ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, " 2008 ମସିହାରେ ସର୍ଭେ ହୋଇଥିଲା । 2012ରେ ବିଜେଡ଼ି ଘୋଷଣା କରିଥିଲା । 2012ରେ ଗେଜେଟ ନୋଟିଫିକେଶନ ହୋଇଥିଲା । 2017ରେ ପୁଣି ଏକ ଗେଜେଟ ନୋଟିଫିକେଶନ ହୋଇଥିଲା । ଏବେ 2023ରେ ଜାଗା ବଣ୍ଟନ ପ୍ରକ୍ରିୟା ନେଇ ବାହାଦୂରୀ ମାରୁଛନ୍ତି ସରକାର । 1989ରେ ସହରାଞ୍ଚଳର ଲୋକଙ୍କୁ 99 ବର୍ଷୀୟା ଲିଜ ଜମି ଦିଆ ହୋଇଥିଲା । 2006ରେ ମୁଁ ମନ୍ତ୍ରୀ ଥିବା ବେଳେ ସବୁ ଲିଜ ଜମିକୁ ଫ୍ରି ହୋଲ୍ଡ କରିଥିଲି । ଏବେ ସରକାର ଯେଉଁ ଜମି ଦେଉଛନ୍ତି ତାହା ଜମି ପଟ୍ଟା ନୁହେଁ । ଲୋକଙ୍କୁ ଏକ ଫର୍ମ ଦିଆଯାଉଛି । ଫର୍ମ ନମ୍ବର 2 ଏକ ଜମି ପଟ୍ଟା ନୁହେଁ । ସରକାର ଲୋକଙ୍କ ସହ ଖେଳୁଛନ୍ତି । ଲୋକଙ୍କ ସହ ପ୍ରତାରଣା କରୁଛନ୍ତି ସରକାର । 2018ରେ ରାଜ୍ୟ ସରକାର ଜାଗା ମିଶନର ପୋଷ୍ଟର ଉନ୍ମୋଚନ କଲେ । ବିମଳା ମହାରଣା ନାମ୍ନୀ ଜଣେ ମହିଳା ଭୁବନେଶ୍ଵର ନିଳାଦ୍ରୀ ବିହାର ଇଶାନେଶ୍ଵର ବସ୍ତିରେ ଜରି ପାଲ ଟାଣି ରହୁଛନ୍ତି । ଯାହାକୁ ଜାଗା ମିଶନ ଜରିଆରେ ଜମି ଦେଇଥିବା ନେଇ ରାଜ୍ୟ ସରକାର ବିମଳାଙ୍କ ପୋଷ୍ଟର ଛପାଇ ଦେଲେ । ହେଲେ ବିମଳାଙ୍କ ଅବସ୍ଥା ଏବେ କଣ ସମସ୍ତେ ଯାଇ ଦେଖି ଆସିବା ଦରକାର । ଏ ସରକାର ବସ୍ତି ବାସିନ୍ଦାଙ୍କ ଭୋଟ ପାଇଁ ଏଭଳି ଖେଳ ଖେଳୁଛନ୍ତି ।"



ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ରାଜଧର୍ମ ପାଳନ କରନ୍ତୁ: ଅପରାଜିତା ଷଡଙ୍ଗୀ


ମନମୋହନ ଆହୁରି ମଧ୍ୟ କହିଛନ୍ତି ଯେ, ସହରାଞ୍ଚଳରେ ବିଜେଡିକୁ ଭରଷା ବସ୍ତି ବାସିନ୍ଦାଙ୍କ ଭୋଟ । ଭୁବନେଶ୍ୱରରେ ଯଦି ବସ୍ତି ବାସିନ୍ଦାମାନେ ବିଜେଡିକୁ ଭୋଟ ଦେବେ ନାହିଁ । ତାହେଲେ ଭୁବନେଶ୍ୱରରେ ବିଜେଡି ୧୦ ପ୍ରତିଶତ ଭୋଟ ମଧ୍ୟ ପାଇବ ନାହିଁ । ତେଣୁ କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ଠିକ ନିର୍ବାଚନ ଆଗରୁ ଏହି ପଟ୍ଟା ବଣ୍ଟା ନାଟକ । ନିର୍ବାଚନ ଆସିଲେ କେବଳ ନବୀନ ବାବୁଙ୍କର ବସ୍ତି ବାସିନ୍ଦାଙ୍କ କଥା ମନେପଡେ । ୨୩ ବର୍ଷରେ ନବୀନ ବାବୁ ବସ୍ତିରେ ଗରିବ ଲୋକମାନେ କିଭଳି ରୁହନ୍ତି କେବେ ଥରେ ହେଲେ ବି ବୁଲିକି ଦେଖିଛନ୍ତି କି? ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ବାସଗୃହ ନିର୍ମାଣ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ଶୁଭ ଦେଇଛନ୍ତି । କିନ୍ତୁ ତାହା ସବୁ କେବଳ ଫଟୋ ଆଉ ଖବର କାଗଜରେ ସୀମିତ ହୋଇଛି ବୋଲି ମନମୋହନ ସାମଲ କହିଛନ୍ତି । ଅନ୍ୟପଟେ ଗତକାଲି ଜୟଦେବ ନିର୍ବାଚନ ମଣ୍ଡଳୀ ଅଠାନ୍ତରେ ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ବିରୋଧ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସରକାରଙ୍କ ମହିଳା ସଶକ୍ତିକରଣ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଜନ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଦ୍ବାରା ପ୍ରାୟୋଜିତ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.