ETV Bharat / state

Dengue Menace: ଅଣାୟତ୍ତ ଡେଙ୍ଗୁ ସ୍ଥିତି, ହସ୍ପିଟାଲରେ ରୋଗୀଙ୍କ ପାଇଁ ନାହିଁ ବ୍ୟବସ୍ଥା

author img

By ETV Bharat Odisha Team

Published : Aug 22, 2023, 4:00 PM IST

ରାଜଧାନୀରେ ଅଣାୟତ୍ତ ହେଲାଣି ଡେଙ୍ଗୁ । ସାମାନ୍ୟ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବା ଲାଗି ଡକ୍ଟର ଲକ୍ଷ୍ମୀଧର ସାହୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଅଣାୟତ୍ତ ଡେଙ୍ଗୁ ସ୍ଥିତି

ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ । ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି । ହେଲେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆଡମିଶନ ହୋଇଥିବା ରୋଗୀମାନେ ଅନେକ ଅବ୍ୟବସ୍ଥା ମଧ୍ୟରେ ରହିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ବେଡ ନଥିବା ବେଳେ ବାରଣ୍ଡାରେ ପଡି ରହିଛନ୍ତି ଡେଙ୍ଗୁ ରୋଗୀ । ଏପଟେ କିନ୍ତୁ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ । ଏହା ସହ ଗତ ବର୍ଷ ଅପେକ୍ଷା ରୋଗୀଙ୍କ ସଂଖ୍ୟା ବଢିଥିବା ବେଳେ ଟିକେ ଲକ୍ଷଣ ଦେଖାଗଲା ମାତ୍ରେ ତୁରନ୍ତ ପରୀକ୍ଷା କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରର ୪ଟି ଯାକ CHCରେ ଖୋଲିବ ଡେଙ୍ଗୁ ୱାର୍ଡ । ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ଡେଙ୍ଗୁ ବେଡ ରହିଛି । ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ବିଭାଗ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରାୟ ୫୦% ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ବର୍ତ୍ତମାନ ଅଗଷ୍ଟ ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ ହଜାର ୪୨୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧ ହଜାର ୨୨୦ ପଜିଟିଭ ଡେଙ୍ଗୁ ରୋଗୀ । ସେହିଭଳି ପୁରୀରୁ ୨୨୯ ଜଣ, ବାଲେଶ୍ଵରରୁ ୨୧୨ ଜଣ , କଟକରୁ ୧୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢନ୍ତୁ- ସଜାଗ ଅଛି ତ BMC ? ଭୁବନେଶ୍ବର ମାର୍କେଟରେ ଡେଙ୍ଗୁ ଆତଙ୍କ

ଏପଟେ କିନ୍ତୁ ରୋଗୀମାନେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏ ନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, " ଦୀର୍ଘ 4 ଦିନ ଧରି କ୍ୟାପିଟାଲ ହସ୍ପିଟାଲର ଡେଙ୍ଗୁ ୱାର୍ଡରେ ଆଡମିଶନ ହେଉଛୁ । କିନ୍ତୁ ଏବେ ସୁଦ୍ଧା କୌଣସି ନର୍ସ ବା ଡାକ୍ତର ଠିକ ଭାବରେ ଚେକ୍ କରୁନାହାନ୍ତି । ଏପଟେ ବେଡ ନଥିବା ବେଳେ ଅନେକ ରୋଗୀ ତଳେ ଶୋଇଛନ୍ତି । ହସ୍ପିଟାଲର ବାରଣ୍ଡାରେ ମଧ୍ୟ ରହିଛନ୍ତି ଅନେକ ରୋଗୀ ।" ଅନ୍ୟପଟେ ଜଣେ ରୋଗୀ ଅଭିଯୋଗ କରିଛନ୍ତି, "ବେଡ ନଥିବାରୁ ତଳେ ରହିଛୁ । କିନ୍ତୁ ନା ମାସାରି, ନା ସଫାସୁତରା ଏବଂ ଡାକ୍ତର ମଧ୍ୟ ଆସୁନାହାନ୍ତି । ଯାହା ଫଳରେ ମଶା ହୋଇଥିବାରୁ ରୋଗୀଙ୍କୁ କାମୁଡିବା ସହ ଆମକୁ ମଧ୍ୟ ଡେଙ୍ଗୁ ହେବାର ଆଶଙ୍କା ଭୟ ରହିଛି।"

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀଧର ସାହୁ କହିଛନ୍ତି, " ଦିନକୁ ଦିନ ରାଜଧାନୀରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ୫୦୦ରୁ ୬୦୦ ଜଣଙ୍କର ପରୀକ୍ଷା କରାଯାଉଛି । ସେଥିମଧ୍ୟରୁ ୭୦ରୁ ୮୦ ଜଣ ରୋଗୀ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରୁ ୧୫ ଜଣ ନୂଆ ରୋଗୀ ହସ୍ପିଟାଲରେ ଆଡମିସନ ହୋଇଛନ୍ତି। ସେହିପରି ଟେଷ୍ଟିଂକୁ ତ୍ବରାନ୍ବିତ କରିବା ପାଇଁ ଗୋଟେ ନୂଆ କାଉଣ୍ଟର ଖୋଲାଯିବା ସହ ୩ ଜଣଙ୍କୁ ନିୟୋଜିତ କରାଯାଇଛି।"

ଡ. ସାହୁ ଆହୁରି କହିଛନ୍ତି, " ପୂର୍ବରୁ ଟେଷ୍ଟିଂ ପାଇଁ ଡାକ୍ତରଙ୍କ ଲେଖା ଆବଶ୍ୟକ ହେଉଥିବା ବେଳେ ଏବେ ବିନା ଲେଖାରେ ମଧ୍ୟ ଚିକିତ୍ସା କରାଯାଉଛି । ବର୍ତ୍ତମାନ ହସ୍ପିଟାଲରେ ୬୫ ଜଣ ରୋଗୀ ଅଛନ୍ତି ଏବଂ ଆଉ ଅଧିକ ବେଡ ନାହିଁ । ଯଦି କିଏ ପଜିଟିଭ ଚିହ୍ନଟ ହୁଅନ୍ତି ତାଙ୍କୁ ଡୁମଡ଼ୁମା, ପଟିଆ, ୟୁନିଟ-୪ ଆଦି ହସ୍ପିଟାଲରେ ରଖାଯିବ । ଏଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ଗତ ବର୍ଷ ଅପେକ୍ଷା ରୋଗୀଙ୍କ ସଂଖ୍ୟା ବଢିଛି । ଯଦି ଟିକେ ବି ରୋଗର ଲକ୍ଷଣ ରହୁଛି ପରୀକ୍ଷା ଜଲଦି କରାଇବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.