ETV Bharat / state

ସଜାଗ ଅଛି ତ BMC ? ଭୁବନେଶ୍ବର ମାର୍କେଟରେ ଡେଙ୍ଗୁ ଆତଙ୍କ

author img

By

Published : Aug 20, 2023, 9:30 PM IST

ରାଜଧାନୀରେ ଡେଙ୍ଗୁ ଆତଙ୍କ
ରାଜଧାନୀରେ ଡେଙ୍ଗୁ ଆତଙ୍କ

ରାଜଧାନୀରେ ଡେଙ୍ଗୁ ଆତଙ୍କ । ୱାର୍ଡରୁ ୱାର୍ଡ ମାର୍କେଟରୁ ମାର୍କେଟ ଡେଙ୍ଗୁ ଡେଇଁ ଚାଲିଥିବା ବେଳେ ବିପଜ୍ଜନକ ସ୍ଥିତିରେ ସିଆରପିର ପ୍ରିୟଦର୍ଶିନୀ ମାର୍କେଟ । ଅଧିକ ପଢନ୍ତୁ

ରାଜଧାନୀରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ବର: ରାଜଧାନୀବାସୀଙ୍କ ଡରାଉଛି ଡେଙ୍ଗୁ । ଦିନକୁ ଦିନ ଡେଙ୍ଗୁର ସଂଖ୍ୟା ବଢିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ସଂଖ୍ୟା ସର୍ବାଧିକ ୧୧୬୭ ଜଣ ଡେଙ୍ଗୁ ରୋଗୀ ରହିଛନ୍ତି । ରାଜ୍ୟରେ ୧୮ ତାରିଖ ସୁଦ୍ଧା ୩୫ ହଜାର ୫୯୫ ରକ୍ତ ନମୁନା ପରୀକ୍ଷଣ ହୋଇଥିବା ବେଳେ ୨ ହଜାର ୨୯୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ ରାଜଧାନୀର ପୁରତନ ତଥା ବଡ଼ ମାର୍କେଟ ପ୍ରିୟଦର୍ଶିନୀ ମାର୍କେଟରେ ଡେଙ୍ଗୁରେ ୧୫ ଦିନରେ ୧୫ ବ୍ୟବସାୟୀ ଆକ୍ରାନ୍ତ ହେଲେଣି । ବିଏମ୍‌ସି କି ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରିଛି ବ୍ୟବସାୟୀ ସଂଘ ।

ପ୍ରିୟଦର୍ଶିନୀ ମାର୍କେଟ ସଭାପତି ଶରତ ରାଉତ କହିଛନ୍ତି ,"ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସରେ ୪୦ ବର୍ଷର ପୁରୁଣା ମାର୍କେଟ ହୋଇଥିବା ବେଳେ ସମୁଦାୟ ୩୦୦ ଜଣ ବ୍ୟବସାୟୀ ଅଛନ୍ତି । ସେମାନଙ୍କ ପାଇଁ ପ୍ରଶାସନ କୌଣସି ପ୍ରକାର ସୁବିଧା କରୁନାହିଁ । ଶୌଚାଳୟକୁ ନବୀକରଣ କରାଯିବା କଥା କହି ୩ ମାସ ପୂର୍ବରୁ ବିଏମ୍‌ସି ଏହାକୁ ଭାଙ୍ଗିଦେଇଛି । ଶୌଚାଳୟ ନିର୍ମାଣ ବଦଳରେ ଶୌଚାଳୟକୁ ଆବର୍ଜନା କେନ୍ଦ୍ରରେ ପରିଣତ କରିଦେଇଛି ବିଏମସି । ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି, ଏହା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଯାହା ବର୍ତ୍ତମାନ ମଶା ବଂଶବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଛି । ଏହାସହ ଭୁବନେଶ୍ୱରରେ ଡେଙ୍ଗୁ ସଚେତନତା ଓ ଡ୍ରାଏ ଡେ ପାଳନ କରି ସଫେଇ କାର୍ଯ୍ୟକ୍ରମ ଜୋରଦାର ଚାଲୁଛି । ହେଲେ ଏତେ ବଡ ମାର୍କେଟରେ ପ୍ରଶାସନ ପକ୍ଷରୁ କୌଣସି ବି କାର୍ଯ୍ୟକ୍ରମ ହେଉନାହିଁ । ପ୍ରିୟଦର୍ଶିନୀ ମାର୍କେଟରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢିବା ସହ ଦୁଇ ଜଣ ବ୍ୟବସାୟୀଙ୍କ ଜୀବନ ଯାଇଛି ।’’

ସେପଟେ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, ‘‘ବିଏମସିକୁ ଦୋଷ ଦେଲେ ହେବ ନାହିଁ ବରଂ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ସମସ୍ତ ମାର୍କେଟରେ ସ୍ପେଶାଲ ଡ୍ରାଇଭ୍‌ କାର୍ଯ୍ୟ କରୁଛି । ଲୋକଙ୍କୁ ସଚେତନ କରାଯାଉଛି । ଫାଇନ ଆଦାୟ କରାଯାଉଛି । ହେଲେ ବ୍ୟବସାୟୀ ନିଜ କାର୍ଯ୍ୟରୁ ନିବୃତ୍ତ ହେଉ ନାହାଁନ୍ତି । ନିଜ ଆଖପାଖ ପରିଷ୍କାର ରଖନ୍ତୁ ତେବେ ଡେଙ୍ଗୁକୁ ମାତ୍ ଦେଇପାରିବା ।’’

ଅଧିକ ପଢନ୍ତୁ: ରାଜ୍ୟରେ ଡେଙ୍ଗୁ ଚିନ୍ତା: ହସ୍ପିଟାଲରେ ବଢୁଛି ଲୋଡ୍, ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ

ରାଜଧାନୀର ପ୍ରିୟଦର୍ଶିନୀ ମାର୍କେଟରେ ଡେଙ୍ଗୁ ଆତଙ୍କ ବଢ଼ିବା ପରେ ଚିନ୍ତାରେ ରାଜଧାନୀବାସୀ । ସେପଟେ ବିଭିନ୍ନ ହସ୍ପିଟାଲରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଏହାକୁ ନେଇ ମେଡିକାଲରେ ବେଡ୍‌ ବୃଦ୍ଧି ସହ ଚିକିତ୍ସା ବ୍ୟବସ୍ଥା ଉପରେ ନଜର ରଖିଛି ସ୍ବାସ୍ଥ୍ଯ ବିଭାଗ । କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ୨୦ଟି ବେଡ୍‌ ବଢା ଯିବ ବୋଲି ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଧନଞ୍ଜୟ ଦାସ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.