ETV Bharat / state

ରାଜ୍ୟରେ ଡେଙ୍ଗୁ ଚିନ୍ତା: ହସ୍ପିଟାଲରେ ବଢୁଛି ଲୋଡ୍, ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ

author img

By

Published : Aug 11, 2023, 7:52 PM IST

ରାଜ୍ୟରେ ଡେଙ୍ଗୁ ଚିନ୍ତା
ରାଜ୍ୟରେ ଡେଙ୍ଗୁ ଚିନ୍ତା

ସବୁଠି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ ମେଡ଼ିକାଲରେ ଲୋଡ୍ ବଢୁଛି। ତେଣୁ ଘରେ ରହି ଚିକିତ୍ସିତ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅଧିକ ପଢନ୍ତୁ

ରାଜ୍ୟରେ ଡେଙ୍ଗୁ ଚିନ୍ତା

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଇଛି ଡେଙ୍ଗୁ। ସବୁଠି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ ମେଡ଼ିକାଲରେ ମଧ୍ୟ ବହୁ ସଂଖ୍ୟାରେ ରୋଗୀ ଭର୍ତ୍ତି ହେଉଛନ୍ତି । ହସ୍ପିଟାଲରେ ଲୋଡ୍‌ ବଢୁଥିବାରୁ ଘରେ ରହି ଚିକିତ୍ସିତ ହେବାକୁ ରୋଗୀଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପ୍ରାୟ 85 ପ୍ରତିଶତ ଡେଙ୍ଗୁ ରୋଗୀଙ୍କର ହସ୍ପିଟାଲରେ ଚିକିତ୍ସା ହେବା ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ସେପଟେ ଡେଙ୍ଗୁକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ବର୍ତ୍ତମାନ 28 ହଜାର 953 ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି । ଗତବର୍ଷ ଏହି ସମୟରେ 15 ହଜାର 900 ଡେଙ୍ଗୁ ଟେଷ୍ଟ୍‌ କରାଯାଇଥିଲା । ଅର୍ଥାତ ଗତବର୍ଷ ତୁଳନା ଟେଷ୍ଟିଂର ସଂଖ୍ୟା ଦୁଇ ଗୁଣ ବଢିଛି । ସାରା ରାଜ୍ୟ ତୁଳନାରେ ଖୋର୍ଦ୍ଧା ଓ ବିଏମ୍‌ସି ଅଞ୍ଚଳରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ହାରାହାରି 40ରୁ 50 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ 40 ଜଣ ଡେଙ୍ଗୁ ରୋଗୀ ଥିଲେ । ସେହିଭଳି ଭୁବନେଶ୍ବର ଏମ୍ସରେ 6 ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଆଇସିୟୁରେ ରହିଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।


ତେବେ ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ଏହି ସମୟରେ ବିଶେଷ ଭାବରେ ଡେଙ୍ଗୁର ପ୍ରଭାବ ଅଧିକ ଦେଖିବାକୁ ମିଳିଥାଏ । ରାଜ୍ୟରେ ମୋଟ 16 ହଜାର 70 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧାରେ 951 ଜଣ, ବାଲେଶ୍ଵରରେ 138 ଜଣ ଓ ପୁରୀରେ 108 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ 50 ଜଣ ରୋଗୀ ଆଡ଼ମିଶନ ହେଉଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲରେ ଯେଉଁ ରୋଗୀ ଆଡ଼ମିଶନ ହେଉଛନ୍ତି ସମସ୍ତେ ଭୁବନେଶ୍ଵର ଲୋକ ନୁହଁନ୍ତି । ସେଥି ମଧ୍ୟରୁ ବାହାର ଜିଲ୍ଲାର ଲୋକମାନେ ବି ରହିଛନ୍ତି। ତେବେ ଦେଖିବାକୁ ଗଲେ 80 ରୁ 85 ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଆବଶ୍ୟକତା ନାହିଁ।"

ଏହା ବି ପଢନ୍ତୁ...ଡେଙ୍ଗୁ ସଂକ୍ରମଣରେ ଚତୁର୍ଥ ସ୍ଥାନରେ କଟକ, ଭୟଭୀତ ନହେବାକୁ ସିଡିଏମଓଙ୍କ ପରାମର୍ଶ

ସେ ଆହୁରି ମଧ୍ୟ କହିଛନ୍ତି, "ଘରେ ରହି ଚିକିତ୍ସା ହୋଇପାରିବେ ରୋଗୀ । ଡେଥ୍‌ ରେଟ୍ ମାତ୍ରା ବହୁତ କମ୍ । ରିକଭେରି ରେଟ୍ ବହୁତ ଭଲ ରହିଛି । ଯଦି ଆମେ ଭଲ ଭାବରେ ଅଧିକ ପାଣି ପିଇବା ସାଧାରଣ ଚିକିତ୍ସା କରିବା, ତେବେ ମେଡିକାଲ ଯିବାର କୌଣସି ଆବଶ୍ୟକତା ପଡେ ନାହିଁ । ପରିସ୍ରା ଠିକ୍‌ ଭାବରେ ହେଉଛି କି ନାହିଁ, ବାନ୍ତି ହେବା, ଠିକ ଭାବରେ ଭୋକ ନଲାଗିବା, ପେଟ ବ୍ୟଥା ହେଉଥିଲେ ଏହି ସମୟରେ ହସ୍ପିଟାଲରେ ଚିକିତ୍ସା ହେବା ଆବଶ୍ୟକ ।

"ଯେହେତୁ କ୍ୟାପିଟାଲ ହସ୍ପିଟାଲ୍‌ ଉପରେ ଅଧିକ ଲୋକ ଭରସା କରୁଛନ୍ତି ତେବେ ଅନେକ ଜିଲ୍ଲାର ଲୋକମାନେ ହସ୍ପିଟାଲକୁ ଆସୁଛନ୍ତି । ତେଣୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଅନ୍ୟପଟେ ଜିଲ୍ଲାଗୁଡ଼ିକୁ ମଧ୍ୟ ଡେଙ୍ଗୁ ପାଇଁ ଅଧିକ ବେଡ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଲୋକମାନେ ଭୟଭୀତ ରହିବା ଆବଶ୍ୟକ ନାହିଁ । ଘରେ ଶୋଇବା ସମୟରେ ମସାରୀ ବ୍ୟବହାର କରିବେ । କାରଣ ଘରର ଅନ୍ୟ ଜଣଙ୍କୁ ମଶା କାମୁଡ଼ିବା ଦ୍ବାରା ସେମାନଙ୍କୁ ମଧ୍ୟ ଡେଙ୍ଗୁ ହେବାର ସମ୍ଭାବନା ଅଧିକ ରହିଛି । ଡେଙ୍ଗୁ ରୋଗୀଙ୍କ ମୃତ୍ୟୁକୁ ନେଇ ଜଣେ ବରିଷ୍ଠ ଡାକ୍ତର ଏକ ଅଡିଟ୍‌ କରନ୍ତି । ମୃତ୍ୟୁ ଡେଙ୍ଗୁ ଜନିତ ହେବା ଆବଶ୍ୟକ । ଅଡିଟ ପରେ ହିଁ ଡେଙ୍ଗୁ ମୃତ୍ୟୁ କଥା କୁହାଯାଇପାରିବ" ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.