ETV Bharat / state

BSKY-ନବୀନ କାର୍ଡ ରାଜନୀତି, ସରକାରୀ ଅର୍ଥରେ ନିର୍ବାଚନ ପ୍ରଚାର ହେଉଛି କହିଲେ ବିରୋଧୀ

author img

By ETV Bharat Odisha Team

Published : Jan 2, 2024, 7:15 PM IST

BSKY-ନବୀନ କାର୍ଡକୁ ନେଇ ରାଜନୀତି
BSKY-ନବୀନ କାର୍ଡକୁ ନେଇ ରାଜନୀତି

BSKY Nabin Card Politics: ବିଏସ୍‌କେୱାଇ-ନବୀନ କାର୍ଡ ନେଇ ଆରମ୍ଭ ହେଉଥିବା ସଚେତନତା କାର୍ଯ୍ୟକ୍ରମକୁ ବିରୋଧୀଙ୍କ ସମାଲୋଚନା । ସରକାରୀ ଟଙ୍କାରେ ରାଜ୍ୟ ସରକାର ନିର୍ବାଚନୀ ପ୍ରଚାର କରୁଛନ୍ତି ବୋଲି କହିଲେ କଂଗ୍ରେସ ଓ ବିଜେପି । ଅଧିକ ପଢ଼ନ୍ତୁ.

BSKY-ନବୀନ କାର୍ଡକୁ ନେଇ ରାଜନୀତି

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ବିଏସ୍‌କେୱାଇ-ନବୀନ କାର୍ଡକୁ ନେଇ ଆରମ୍ଭ ହେଲା ରାଜନୀତି । ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ ରାଜ୍ୟବାସୀ । କେଉଁମାନେ ଏଥିରେ ସାମିଲ ହୋଇ ପାରିବେ, କି ପ୍ରକାର ସୁବିଧା ପାଇବେ ଏବଂ କେମିତି ପଞ୍ଜିକରଣ କରିବେ, ସେ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା- ନବୀନ କାର୍ଡ ନାଁରେ ସରକାରୀ ଟଙ୍କାରେ ରାଜ୍ୟ ସରକାର ନିର୍ବାଚନୀ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଉଭୟ ବିରୋଧୀ ଦଳ ।

'ଦ୍ଵିତୀୟ ପର୍ଯ୍ୟାୟ ଲୁଟ୍ ' ! : ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ସରକାରୀ ଅର୍ଥରେ ରାଜନୈତିକ ଡ୍ରାମା କରୁଛନ୍ତି ନବୀନ ସରକାର । ଓଡ଼ିଶା ଲୋକଙ୍କ ପଇସା ଓ ରାଜକୋଷରୁ ଲୁଟ୍ କରାଯାଉଛି । ବିଭିନ୍ନ ଯୋଜନା ନାଁରେ ଦଳୀୟ ପ୍ରଚାର କରି ଓଡ଼ିଶାର ରାଜକୋଷକୁ ସର୍ବାଧିକ ଦୁରୁପୋଯୋଗ କରିଛି ବିଜେଡି ସରକାର । ସେମିତି ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଏସ୍‌କେୱାଇ- ନବୀନ କାର୍ଡ ବାବଦରେ ସଚେତନତା ନାଁରେ ଦଳୀୟ ପ୍ରଚାର କରିବା ଆରମ୍ଭ କରିଛି ବିଜେଡି ସରକାର । ସ୍କୁଲ, କଲେଜରେ ନବୀନଙ୍କ ଫଟୋ ଲଗାଇ ଦଳୀୟ ପ୍ରଚାର କରିବା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଛି । ଲୋକ ଜାଣିଗଲେଣି ଯେ, ରାଜକୋଷକୁ ଭ୍ରଷ୍ଟାଚାର କରି ଯେତିକି ଲୁଟିଲେ, ଏବେ ସେ ଭ୍ରଷ୍ଟାଚାରକୁ ଘଣ୍ଟ ଘୋଡାଇବାକୁ ଦ୍ଵିତୀୟ ପର୍ଯ୍ୟାୟ ଲୁଟ ଆରମ୍ଭ କରିଛି ବିଜେଡି । ଏ ହରିଲୁଟର ଅନ୍ତ ହେବା ଦରକାର ।"

ଏହାସହ ବିଏସ୍‌କେୱାଇରେ ବଡ଼ ସ୍କାମ୍‌ ଚାଲିଥିବା ଅଭିଯୋଗ ଆଣିଛି ବିଜେପି । ପୃଥ୍ବୀରାଜ କହିଛନ୍ତି, "ଅନେକ ହସ୍ପିଟାଲ ରୋଗୀଙ୍କ କାର୍ଡକୁ ସ୍ବାଇପ କରି ପଇସା ଉଠାଇ ନେଉଛନ୍ତି । ରୋଗୀଙ୍କୁ କିଛି ପଇସା ଦେଇ କାର୍ଡ ସ୍ଵାଇପ କରାଯାଉଛି । ଏଥିପାଇଁ ଫେକ୍‌ ରୋଗୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ଦୁର୍ନୀତିରେ ସରକାରଙ୍କ ବଡ଼ପଣ୍ଡା ମାନଙ୍କ ଜ୍ଞାତସାରରେ ହେଉଛି । ସମସ୍ତଙ୍କ ମିଳିଭଗତରେ ଟଙ୍କା ଲୁଟ କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାରଙ୍କ BSKY ନବୀନ କାର୍ଡକୁ କଟାକ୍ଷ କଲେ ବିରୋଧୀ

'ସରକାରୀ ଟଙ୍କାରେ ହେଉଛି ନିର୍ବାଚନ ପ୍ରଚାର': ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ସରକାରୀ ଟଙ୍କାରେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରଚାର ହେଉଛି । ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା କରୁଛନ୍ତି ସରକାର । ରାଜ୍ୟରେ ଅଧିକ ମଦରୁ ରାଜସ୍ବ ବଢିଛି । ରାଜ୍ୟ ଭାରତରେ ବହୁତ ତଳେ ଥିବାବେଳେ ମୁଖ୍ୟମନ୍ତ୍ରୀ କିନ୍ତୁ ଉପରେ ଅଛନ୍ତି । ସବୁଠୁ ବଡ଼କଥା ହେଲା ରାଜ୍ୟ ସରକାର ଯେଉଁ ୫ ଲକ୍ଷ ଟଙ୍କା କାର୍ଡରେ ଘୋଷଣା କରିଛନ୍ତି, ଲୋକମାନେ ପ୍ରକୃତରେ ଉପକୃତ ହେଉଛନ୍ତି ତ ?" ଓଡ଼ିଶାର ଆୟ ପ୍ରାୟ ୩୦ ଗୁଣ ଅଧିକ ବଢ଼ିଛି । ସେ ପଇସା କଣ ଖର୍ଚ୍ଚ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...BSKY ନବୀନ କାର୍ଡର ଶୁଭାରମ୍ଭ; ଉପକୃତ ହେବେ ୧.୧୦ କୋଟିରୁ ଅଧିକ ପରିବାର

'ଉପକୃତ ହେବେ ଜନତା': ଅନ୍ୟପଟେ ବିଜେଡି ବିଧାୟକ ଭର୍ତ୍ତୃହରି ମହତାବ କହିଛନ୍ତି, "ଏହି ସେବା ଦୁର୍ବଳ ଶ୍ରେଣୀର ଅନେକ ପରିବାର ପାଇ ପାରୁନାହାନ୍ତି । କାରଣ ଏହା ବିପିଏଲ୍‌ କାର୍ଡ ସହିତ ସଂଯୁକ୍ତ ଅଛି । ତେଣୁ ଏବେ ଯେଉଁ କାର୍ଡ ହେଇଛି, ଏଥିରେ ସମସ୍ତେ ଉପକୃତ ହୋଇପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.